ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ

ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ

ମହିଷାଲଣ୍ଡା କ୍ରିକେଟ୍ ମ୍ୟାଚ୍ ହତ୍ୟା ଘଟଣା:୨୪ ଘଣ୍ଟାରେ ୪ ଅଭିଯୁକ୍ତ ଗିରଫ

News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ମ୍ୟାଚରୁ ହଦ୍ୟାକାଣ୍ଡ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ହତ୍ୟାକାଣ୍ଡ ଘଟିବାର ୨୪ଘଣ୍ଟା ମଧ୍ୟରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ଚୌଦ୍ୱାର ଥାନା ଅନ୍ତର୍ଗତ ମହିଷାଲଣ୍ଡା ଗ୍ରାମରେ ଗତକାଲି କ୍ରିକେଟ ମ୍ୟାଚ୍‌ବେଳେ ଏହି ହତ୍ୟା କାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଚୌଦ୍ୱାର ଥାନା ପୁଲିସ ଡାଳିଯୋଡା ବ୍ରହ୍ମପୁର ଗ୍ରାମର ମୁନା ଓରଫ ସ୍ମୃତି ରଞ୍ଜନ ରାଉତ (୨୧), ବାଦଲ ବେହେରା(୨୩), ମୁଗୁନି ଓରଫ ସଞ୍ଜୟ ରାଉତ (୩୬) ଓ ଟାଙ୍ଗୀ ତୁଳସୀପୁରର ଜଗା ଓରଫ ସଂଗ୍ରାମ ଦାସ (୧୯)କୁ ଆଜି ଗିରଫ କରି କୋର୍ଟ ଚାଲଣ କରିଛି । ଏହି ଜଘନ୍ୟ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଛୁରି, ବ୍ୟାଟ୍ ସହ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଅପରପକ୍ଷେ ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଲକି ରାଉତଙ୍କ ଶବ ଆଜି ଏସ୍‌ସିବି ମେଡିକାଲ୍‌ରେ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ମହିଷାଲଣ୍ଡା ଗ୍ରାମରେ ଡାଳିଯୋଡା ବ୍ରହ୍ମପୁର ଓ ଶଙ୍କରପୁର ଗ୍ରାମ ମଧ୍ୟରେ ଗତକାଲି ଫାଇନାଲ କ୍ରିକେଟ ମ୍ୟାଚ୍ ଖେଳ ଥିଲା । ତେବେ ଖେଳର ଅମ୍ପାୟାର ପ୍ରୀତିରଞ୍ଜନ ସାମଲଙ୍କ ଏକ କ୍ୟାଚ୍ ଆଉଟ୍ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବ୍ରହ୍ମପୁର ଟିମ୍‌ର ଖେଳାଳି ଜଗା କ୍ୟାଚ୍ ହୋଇଥିବା ବଲ୍‌କୁ ନୋ ବଲ୍ ବୋଲି ଘୋଷଣା କରିବାକୁ ପ୍ରୀତିରଞ୍ଜନଙ୍କ ଉପରେ ଚାପ ପକାଇ ଝଗଡ଼ା ଆରମ୍ଭ କରିଥିଲା । ତାଙ୍କ ସହିତ ଟିମ୍‌ର ଖେଳାଳିମାନେ ଯୋଗଦେଇ ଗଣ୍ଡଗୋଳ କରିଥିଲେ । ଏହିସମୟରେ ଲକି ପଡ଼ିଆ ଭିତରକୁ ପଶି ଗଣ୍ଡଗୋଳକାରୀଙ୍କ ବୁଝାଉଥିଲେ । ଅମ୍ପାୟାରଙ୍କ ନିଷ୍ପତ୍ତି ଚୂଡାନ୍ତ ବୋଲି ଯୁକ୍ତି କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଗା ଝଗଡା କରି ତୁରନ୍ତ ତାର ଭାଇ ମୁନାକୁ ଫୋନ କରିଥିଲା । ଫୋନ୍‌ର ୫ ମିନିଟ୍ ମଧ୍ୟରେ ଅଭିଯୁକ୍ତ ମୁନା ଓ ମୁଗୁନି ଏକ ପଲସର ମଟର ସାଇକେଲ(ନଂ-ଓଡି-୦୫-ଏବି-୦୬୫୦)ରେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଏହାପରେ ଲକିକୁ ଏକ ଛୁରିରେ ମୁନା ଆକ୍ରମଣ କରିଥିଲା । ତାଙ୍କ ପେଟ ଓ ଛାତିରେ ସେ ଛୁରାମାଡ କରିଥିଲା । କେବଳ ସେତିକି ନୁହେଁ ଅଭିଯୁକ୍ତମାନେ ବ୍ୟାଟରେ ମଧ୍ୟ ଲକିଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଲକି ଟଳିପଡ଼ିଥିଲେ । ତେବେ ଅପରାଧ ଘଟାଇ ମୁନା, ବାଦଲ ଓ ମୁଗୁନି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ମାତ୍ର ଜଗାକୁ ଗ୍ରାମବାସୀମାନେ କାବୁ କରି ପୁଲିସ ଜିମା ଦେଇଥିଲେ । ଏଥି ସହିତ ସ୍ଥାନୀୟ ଲୋକେ ଲକିକୁ ଏସ୍‌ସିବି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଗୁରୁତ୍ୱ ଦୃଷ୍ଟିରୁ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନକରି ତ୍ୱରିତ ପଦକ୍ଷେପ ନେଇ ୨୪ ଘଣ୍ଟା ମଧ୍ୟରେ ଫେରାର ହୋଇଯାଇଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନ ପ୍ରାୟ ୧ଟା ବେଳେ ଲକିର ଶବ ଗ୍ରାମରେ ପହଞ୍ôଚଥିଲା । ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏବେ ବି ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ସେଠାରେ ପୁଲିସ୍ ମୁତୟନ କରାଯାଇଛି ।

Slider ଅପରାଧ କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ