ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ
#କଟକ(ଏନ୍.ଏମ୍.): ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା, ଦୃଢ ସଂକଳ୍ପ, ମାନସିକତା ଓ ଆତ୍ମଚିନ୍ତନ ଓଡିଶାରେ ଶିଳ୍ପ ବିକାଶର ଧାରାକୁ ତ୍ୱରାନ୍ୱିତ କରିପାରିଛି । ଶିଳ୍ପର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଆନୁଷଙ୍ଗିକ ଦିଗ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ଯାହାଫଳରେ ଆଭ୍ୟନ୍ତରୀଣ ଓ ବୈଦେଶିକ ପୁଞ୍ଜି ବିନିଯୋଗରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ଅନେକ ବିଶିଷ୍ଠ ଶିଳ୍ପସଂସ୍ଥା ଆଗ୍ରହ ପ୍ରକାଶ କରୁଛନ୍ତି । ୧୩୦କୋଟି ମେଟ୍ରିକଟନ ଚାଉଳ ଉତ୍ପାଦନ କରୁଥିବା ଓଡିଶା ବର୍ତ୍ତମାନ ଚାଉଳ ରପ୍ତାନି କ୍ଷେତ୍ରରେ ଏକ ବଳକା ରାଜ୍ୟଭାବେ ଉଭା ହୋଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ଶାସନ ଭାର ଗ୍ରହଣ କରିବାବେଳେ ରାଜ୍ୟର ସମୁଦାୟ ବଜେଟ ୧୧ହଜାର୮ଶହ କୋଟି ଟଙ୍କାରେ ସୀମିତ ଥିବାବେଳେ ତାହା ଆଜି ୨ଲକ୍ଷ ୩୦ହଜାର କୋଟି ଟଙ୍କାରେ ପହଞ୍ଚିପାରିଛି । ତଦନୁଯାୟୀ ଓଡିଶାର ମୁଣ୍ଡପିଛା ଆୟ ୧୨,୪୦୦ ଟଙ୍କାରୁ ୧ଲକ୍ଷ୫୦ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଶିଳ୍ପ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ପରିମଳ, ପାନୀୟଜଳ, ମହିଳା ସଶକ୍ତିକରଣ ଇତ୍ୟାଦି କ୍ଷେତ୍ରରେ ଆମେ ଆଶାନୁରୂପକ ସଫଳତା ପାଇପାରିଛୁ । ଏହା କେବଳ ଦୁରଦୃଷ୍ଟି, ଦୃଢସଂକଳ୍ପ ଓ ଜନସାଧାରଣଙ୍କ ସହଯୋଗ ଓ ସଦିଚ୍ଛା ଯୋଗୁ ସମ୍ଭବ ହୋଇପାରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦଘାଟନର ମୁଖ୍ୟଅତିଥି ଭାବେ ଯୋଗଦେଇ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି ।
ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ ମୋହମ୍ମଦ ମୋକିମ ଯେ, କହିଲେ ଯେ, ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଯେଉଁମାନେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସେହିଭଳି ବ୍ୟକ୍ତିତ୍ୱମାନେ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଉତ୍ତରପିଢୀକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ କହିଲେ ଯେ , ରାଜ୍ୟ ସରକାର ଶିଳ୍ପର ବିକାଶ ନିମନ୍ତେ ବଦ୍ଧପରିକର । ଜଗତପୁର ଶିଳ୍ପାଞ୍ଚଳର ବିକାଶ ନିମନ୍ତେ ୨୭କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି । ଉକ୍ତ ପ୍ରସ୍ତାବକୁ ମଞ୍ଜୁର କରିବାକୁ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଓ ଓଡିଶାର ମୁଖ୍ୟଶାସନ ସଚିବ ତଥା ମୁଖ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଯୋଗଦେଇ ଦୂରଦୃଷ୍ଟି, ମାନସିକତା ଓ ପ୍ରତିବଦ୍ଧତା ଶିଳ୍ପ ଉଦ୍ୟୋଗୀମାନଙ୍କୁ ଶିଖରରେ ପହଞ୍ଚାଇଥାଏ ବୋଲି କହିଥିଲେ । ଶିଳ୍ପୋଦ୍ୟୋଗୀମାନଙ୍କୁ ଅନେକ ଘାତପ୍ରତିଘାତ ମଧ୍ୟ ଦେଇ ଗତି କରିବାକୁ ପଡିଥାଏ । ପ୍ରତିକୂଳ ପରିବେଶରେ ନିଜକୁ ଖାପଖୁଆଇ ଶିଳ୍ପ ପ୍ରସାର କରିପାରିଲେ ଶିଳ୍ପ ସମୃଦ୍ଧ ଓଡିଶାର ସ୍ୱପ୍ନ ସାକାର ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ଅବସରରେ ମୁଖ୍ୟଶାସନ ସଚିବ ଆଜି ପୂର୍ବାହ୍ନରେ ଆନନ୍ଦ ଭବନ ଓ ବିଜୁ ପଟ୍ଟନାୟକ ଛକସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, କଟକ ଡିସିପି ପିନାକ ମିଶ୍ର, ଓଡିଶା ଫେଡେରେସନ ଅଫ ଇଣ୍ଡଷ୍ଟ୍ରିଜ ଡଃ. ଶରତ କୁମାର ସାହୁ ପ୍ରମୁଖ ଯୋଗଦେଇ ଉଦ୍ୟୋଗୀମାନେ ଜିଲ୍ଲା ପ୍ରଶାସନ ସହିତ ଉତ୍ତମ ସମନ୍ୱୟ ରକ୍ଷାକଲେ ଅନେକ ସମସ୍ୟାର ଆଶୁ ସମାଧାନ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ ଏବଂ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଚାଳନ କରିଥିବ ବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ନୱାଲ କିଶୋର ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପୂର୍ଣ୍ଣଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଶିବୋ ଟୋପୋଙ୍କ ସମେତ ବିଭିନ୍ନ ଶିଳ୍ପ ସଂସ୍ଥାର ଉଦ୍ୟୋଗପତି, ଜିଲ୍ଲାର ବରିଷ୍ଠ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।