ପଥରଗଣ୍ଡ ଗୋଷ୍ଠୀ ସଂଘର୍ଷ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ଥାନା ଅଧିନ ଗଡିଆସାହି ପଞ୍ଚାୟତ ପଥରଗଣ୍ଡ ଗ୍ରାମରେ ନିର୍ବାଚନୀ ହିଂସା ଥମିବାରେ ନାଁ ଧରୁନି । ଦୀର୍ଘ ଦିନ ଧରି ଛକାପଞ୍ଝା ଚାଲିଥିବାବେଳେ ଗୋଷ୍ଠୀ ସଂଘର୍ଷ ମଧ୍ୟ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ୨ଗୋଷ୍ଠୀ ମଧ୍ୟରେ ରାଜନୈତିକ ହିଂସାକାଣ୍ଡ ଘଟଣା ଘଟି ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷର ଏତଲାକ୍ରମେ ଖଣ୍ଡପଡା ଥାନାରେ ୨ଟି ମାମଲା ରୁଜୁ ହୋଇଥିଲା । ଗୋଷ୍ଠୀ ସଂଘର୍ଷ ଘଟଣାର ମୁଖ୍ୟ ଅଭିଯୁକ୍ତ ପଥରଗଣ୍ଡ ଗ୍ରାମର ସନ୍ତୋଷ ନାୟକ ଓରଫ ଟିକିନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଖଣ୍ଡପଡା ଉପକାରାଗାରକୁ ପଠାଇ ଦିଆଯାଇଛି । ଏଥି ପୂର୍ବରୁ ପୁଲିସ ଏହି ଘଟଣାରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରିଥିବା ଆଇଆଇସି ରମେଶ କୁମାର ଦେବତାଙ୍କ ଠାରୁ ପ୍ରକାଶ ।