ନକଲି ଔଷଧ କାରବାର: କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର (ଏନ୍.ଏମ୍.): ରାଜ୍ୟରେ ସମ୍ପ୍ରତି କରୋନା ଦ୍ୱିତୀୟ ଲହର ଯୋଗୁଁ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଥିବାବେଳେ ସେମାନଙ୍କୁ ଭୁଆଁ ବୁଲାଇ ବେଶ ଅର୍ଥ ରୋଜଗାର କରିବା ଉଦ୍ଦେଶ୍ୟରେ ଅସାଧୁ ଔଷଧ ବ୍ୟବସାୟୀମାନେ ପ୍ରାଣଘାତି ନକଲି ଔଷଧ ବିକ୍ରି କରିବା ଦୁର୍ଭାଗ୍ୟ ଜନକ । ତେବେ ରାଜ୍ୟରେ ନକଲି ଔଷଧ କାରବାର ବଢ଼ିଥିବା ଦେଖିବାକୁ ମିଳିଛି । ପ୍ରଥମେ କଟକରୁ ନକଲି ଔଷଧ ଜବତ କରାଯାଇଥିଲା । ଏହାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନକଲି ଔଷଧ ଠାବ ସହିତ ଏସବୁ ଜବତ କରାଯାଇଛି । ତେବେ ଏହାର ମୂଳୋତ୍ପାଟନ କରିବା ନିମନ୍ତେ ନକଲି ଔଷଧ କାରବାର ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ ମୁଖ୍ୟମନ୍ତ୍ରୀ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଫାଭିପିରାଭିର ସହିତ ଆଉ ୯ ପ୍ରକାର ଔଷଧ ବି ଠାବ କରାଯାଇଥିଲା । ତେଣୁ ଜୀବନ ରକ୍ଷାକାରୀ କରୋନା ଔଷଧ ଫାଭିପିରାଭିର ସହିତ ଅନ୍ୟ ୯ ପ୍ରକାର ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।