ତରୋଳ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

#ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ୪୯ନମ୍ବର ୱାର୍ଡ ଜଗତପୁର ତରୋଳ ଗ୍ରାମରେ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ମହାନଦୀରୁ ୧୦୮ ଜଳ ପୂର୍ଣ୍ଣ କଳସୀରେ ଶ୍ରଦ୍ଧାଳୁ ଜଳ ନେଇ ଶୋଭାଯାତ୍ରାରେ ମା’ଙ୍କ ମନ୍ଦିରରେ ପହଁଞ୍ôଚ ଥିଲେ । ଏହି କଳସ ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ମହାନଦୀ ବଟେଶ୍ୱର ତୁଠରୁ ବାହାରି ଆଇବି ରୋଡ, ଫକିରପୁର, ଭୂବନପୁର, ନଜରପୁର, ଗୟାନାଛକ, ଗୋଲେଇଛକ ଦେଇ ତରୋଳ ଗ୍ରାମରେ ମା’ ମଙ୍ଗଳାଙ୍କ ପିଠରେ ପହଞ୍ଚିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରତିଷ୍ଠା ଉତ୍ସବ ଦୀର୍ଘ ୪ ଦିନ ବ୍ୟାପି ଚାଲିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ସଂନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି । ନିରଞ୍ଜନ ବିଶ୍ୱାଳ ଓ ଅମିତା ବିଶ୍ୱାଳ, ମଳୟ ବିଶ୍ୱାଳ ଓ ପିଙ୍କୁନା ବିଶ୍ୱାଳ ଏବଂ ଗୋଲଖ ରାଉତ ଓ ରଶ୍ମି ରାଉତ କର୍ତ୍ତା କର୍ତ୍ତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ମନ୍ଦିରଟି ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ବେଳେ ଏବେ ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଗ୍ରାମବାସୀଙ୍କ ମନରେ ଉତ୍ସାହ ଆଣି ଦେଇଛି ।