ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ସମ୍ବନ୍ଧିତ ଜିଲ୍ଲାସ୍ତରୀୟ କର୍ମଶାଳା

ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ସମ୍ବନ୍ଧିତ ଜିଲ୍ଲାସ୍ତରୀୟ କର୍ମଶାଳା

ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ସମ୍ବନ୍ଧିତ ଜିଲ୍ଲାସ୍ତରୀୟ କର୍ମଶାଳା
‘ଶିକ୍ଷା ଓ ଆଇନ ସଚେତନତା ମାଧ୍ୟମରେ ସମାଜରୁ ଏହିଭଳି କୁସଂସ୍କାରକୁ ଦୂରେଇ ହେବ’

News by Umakanta Jena (Cuttack)

#କଟକ (ଏନ୍‍.ଏମ୍‍.): ସମସ୍ତେ ଶିକ୍ଷିତ ହେଲେ ଓ ଆଇନ ବିଷୟରେ ଅବଗତ ହେଲେ ସମାଜରୁ ଡାହାଣୀ ପ୍ରଥା ଭଳି କୁସଂସ୍କାରକୁ ସମୂଳେ ଦୂରେଇ ଦିଆଯାଇ ପାରିବ । ତେବେ କଟକ ଜିଲ୍ଲାପ୍ରଶାସନ ପକ୍ଷରୁ ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ସମ୍ବନ୍ଧିତ ଜିଲ୍ଲାସ୍ତରୀୟ କର୍ମଶାଳାରେ ମତପ୍ରକାଶ ପାଇଛି । ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଡାହାଣୀର ଆଖ୍ୟା ଦିଆଯାଇ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର କବଳରୁ ସୁରକ୍ଷା ଦେବା ପାଇଁ ୨୦୧୩ ମସିହାରେ ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ ପ୍ରଣୟନ କରାଯାଇଥିଲା । ଏହି ଆଇନ ଅଧୀନରେ ଏଭଳି କୁସଂସ୍କାରର ଶିକାର ହେଉଥିବା ମହିଳାମାନଙ୍କୁ କ୍ଷତିପୂରଣ ପ୍ରଦାନ ଓ ଥଇଥାନ କରାଯିବାର ବ୍ୟବସ୍ଥା ରହିଛି । ଏଥିସହ ଅତ୍ୟାଚାର କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । ଆଜି ଏ ସମ୍ବନ୍ଧରେ ଆୟୋଜିତ ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଉପମା ଗନ୍ତାୟତ ଅତିଥିମାନଙ୍କୁ ସ୍ୱାଗତ କରି ଗାଁ ଗହଳିର ଲୋକମାନେ କୁ-ଶିକ୍ଷା ଓ ଅନ୍ଧବିଶ୍ୱାସର ଶିକାର ହୋଇ ଗୁଣିଆ, ଦିଶାରି ଆଦି ବ୍ୟକ୍ତିମାନଙ୍କ କବଳରେ ପଡୁଥିବା ମତବ୍ୟକ୍ତ କରିଥିଲେ । ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇ ପାରିଲେ ସେମାନେ ଗୁଣିଆମାନଙ୍କର ଉପଦ୍ରବରୁ ବର୍ତ୍ତିପାରିବେ ବୋଲି ଶ୍ରୀମତୀ ଗନ୍ତାୟତ ପ୍ରକାଶ କରିଥିଲେ । ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରମୋଦ କୁମାର ଆଚାର୍ଯ୍ୟ ଯୋଗଦେଇ ଆମ ସମ୍ବିଧାନରେ ସମସ୍ତଙ୍କୁ ସମାନ ଭାବରେ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି ବୋଲି ମତ ଦେଇଥିଲେ । ତେଣୁ କାହା ପ୍ରତି ବାଛ ବିଚାର ନକରି ମାନବିକ ମୂଲ୍ୟବୋଧ ଯୁକ୍ତ ସମାଜ ଗଠନ କରିବା ଓ ସାମାଜିକ ନ୍ୟାୟ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ । ଆକ୍ସନ ଏଡର ଆସୋସିଏଟ ଡାଇରେକ୍ଟର ଦେବବ୍ରତ ପାତ୍ର ଓ ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ବି. ଏନ. ଦୁର୍ଗା ପ୍ରମୁଖ ଡାହାଣୀ ପ୍ରଥା ନିରୋଧ ଆଇନ ୨୦୧୩ର ବିଭିନ୍ନ ଦିଗ ଓ ଏହାର କାର୍ଯ୍ୟକାରିତା ଉପରେ ଅବଗତ କରାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଗତି ମହାନ୍ତି ପିଲାମାନଙ୍କ ଉପରେ ଡାହାଣୀ ପ୍ରଥାର କୁପ୍ରଭାବ ଉପରେ ମତ ଦେଇଥିଲେ ।
ଏହି ଆଲୋଚନାଚକ୍ରରେ ଜିଲ୍ଲାର ବିଭିନ୍ନ ବେସରକାରୀ ସଂଗଠନ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଚାଇଲ୍ଡ ଲାଇନର, ୱାନ ଷ୍ଟପ ସେଣ୍ଟର ଓ ସ୍ୱଧାର କର୍ମକର୍ତ୍ତା ଏବଂ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀମାନେ ଉପସ୍ଥିତ ଥିଲେ । ଆକ୍ସନ ଏଡର ଜିଲ୍ଲା ସଂଯୋଜିକା ନିବେଦିତା ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ସମାଜ କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ସ୍ୱର୍ଣ୍ଣମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ପୁଷ୍ଟି ସଂଯୋଜକ ସୁଧାଂଶୁ ମଣ୍ଡଳ ଓ ଜିଲ୍ଲା ପୋଷଣ ସଂଯୋଜକ ଶ୍ରୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ