ଜଗତସିଂହପୁରରେ ଅଘଟଣ: ବାଣ କାରଖାନାରେ ବିସ୍ଫୋରଣ ଘଟି୨ ମୃତ, ୩ ଗୁରୁତର
#ଜଗତସିଂହପୁର (ଏନ୍.ଏମ୍.): ବାଲିକୁଦା ବ୍ଲକ ଇଚ୍ଛାପୁର ଗାଁରେ ଅଘଟଣ ଘଟିଛି । ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହତମାନେ ଇଚ୍ଛାପୁର ଓ ଆଖାପାଖ ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ତାଙ୍କ ନାମ ଦିଲୁ ମହାନ୍ତି ବୋଲି ଶୁଣିବାକୁ ମିଳିଛି । ତାଙ୍କ ଘର ଇଚ୍ଛାପୁରରେ । ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ସେହିପରି ୩ ଗୁରୁତରଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରୁ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବଡ଼ମେଡ଼ିକାଲକୁ ଚିକିତ୍ସା ପାଇଁ ଆସିଥିବା ଦୁଇ ଜଣ ହେଉଛନ୍ତି ସୁଶାନ୍ତ ପୃଷ୍ଟି ଓ ଗୋପାଳପୁରର ଦୀନବନ୍ଧୁ ଦାସ । ତେବେ ସୂଚନା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଅଘଟଣ ଘଟିଥିଲା । କାରଖାନାରେ ବାଣ ତିଆରି ଚାଲିଥିବା ବେଲେ ହଠାତ୍ ବିସ୍ଫୋରଣ ଘଟିଥିଲା । ତେବେ ଏହାର ତୀବ୍ରତା ଏତେ ଥିଲା ଯେ କାରଖାନାଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଏପରିକି କାରଖାନାର ଇଟା, ସିମେଣ୍ଟ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି । ବାଣ କାରଖାନା ପାଖରେ ଥିବା ଏକ ଘର ଓ ଏକ ଧାନ ଗଦା ମଧ୍ୟ ଜଳି ଯାଇଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କେଉଁ କାରଣରୁ ବିସ୍ଫୋରଣ ଘଟିଲା ତାହା ଜଣାପଡ଼ି ନାହିଁ । ଏହି ବାଣକାରଖାନାର ଲାଇସେନ୍ସ ଥିଲା ବୋଲି କୁହାଯାଉଛି । କିନ୍ତୁ ପ୍ରଶାସନ ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ତେବେ ଏହି ବାଣ କାରଖାନାଟିର ଲାଇସେନ୍ସ ଥିଲା ନା ନାହିଁ, କାରଖାନାଟିର ଅବସ୍ଥା କେମିତି ଥିଲା, ପ୍ରଶାସନର ତା’ ଉପରେ ନଜର ଥିଲା ନା ନାହିଁ ଓ କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ତଦନ୍ତ କରାଗଲେ ଏହାର ପ୍ରକୃତ ଚିତ୍ର ସାମ୍ନାକୁ ଆସିବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।