କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ବିଶେଷକରି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବୃଦ୍ଧି କରାଯାଇଥିବା ଅବଧିକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଦେ୍ର୍ଦଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରତିଦିନ କୋଭିଡ୍ ସଚେତନତା ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷଜ୍ଞମାନେ କରୋନା ସମ୍ବନ୍ଧୀୟ ତଥ୍ୟ ଦେଉଛନ୍ତି । ସେହିପରି ଆଜିର କାର୍ଯ୍ୟକ୍ରମରେ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ ।”କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ୬ରୁ ୮ ସପ୍ତାହ ରହିଥିଲା କିନ୍ତୁ ଏବେ ସେହି ବ୍ୟବଧାନକୁ ୧୨ରୁ ୧୬ ସପ୍ତାହ ବଢ଼ାଇ ଦିଆଯାଇଛି । କାରଣ ୬ରୁ ୮ସପ୍ତାହ ବ୍ୟବଧାନ ମଧ୍ୟରେ ମଣିଷ ଶରୀରରେ ମାତ୍ର ୭୦ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ତିଆରି ହେଉଥିଲା । କିନ୍ତୁ ଏବେ ବଢ଼ାଇଦେବା ଦ୍ୱାରା ୮୨ ପ୍ରତିଶତରୁ ଅଧିକ ରୋଗ ପ୍ରତିରୋଧକ ଶକ୍ତି ପ୍ରସ୍ତୁତ ହେବ । ଏହା ଆମେ କହୁନାହୁଁ, ଜାତୀୟ ସ୍ତରରେ କରୋନା ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ନେକ୍ଭାକ୍ ଓ ଏନ୍ଟାଗି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେମାନେ ସମସ୍ତ ପ୍ରକାର ବୈଜ୍ଞାନିକ ତଥ୍ୟକୁ ଆଧାର କରି ଏଭଳି ନିଷ୍ପତ୍ତି ନେଇଛନ୍ତି’, କହିଛନ୍ତି ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ।
ସେ ଆଉ ମଧ୍ୟ କହିଛନ୍ତି, “କରୋନା ସଙ୍କଟରୁ ରକ୍ଷା ପାଇବା ପାଇଁ ଓଡ଼ିଶାରେ ଦୁଇ ପ୍ରକାରର ଟିକା ଉପଲବ୍ଧ ଅଛି । ଗୋଟିଏ କୋଭିସିଲ୍ଡ ଓ ଅନ୍ୟଟି କୋଭାକ୍ସିନ । ବିଭିନ୍ନ ପର୍ଯ୍ୟାୟରେ ନାଗରିକମାନଙ୍କର ଟିକାକରଣ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା । ଏବେ ୧୮ରୁ ୪୪ବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କୁ ଟିକା ଦିଆଯାଉଛି ।”ଜଣେ ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେବାପରେ କରୋନା ଆକ୍ରାନ୍ତ ହେଉଥିବା ଖବର ଅନେକ ଦେଖିବାକୁ ମିଳୁଛି । ତେଣୁ ସେହି କ୍ଷେତ୍ରରେ ଉକ୍ତ ବ୍ୟକ୍ତି ଜଣଙ୍କ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ କି ନାହିଁ ସେଭଳି ପ୍ରଶ୍ନ ବାରମ୍ବାର ଶୁଣିବାକୁ ମିଳୁଥିବାବେଳେ, ଆଜି ତାହାର ଉତ୍ତର ରଖିଛନ୍ତି ଡାକ୍ତର ପାଣିଗ୍ରାହୀ । ସେ କହିଛନ୍ତି, “ଯଦି ପ୍ରଥମ ଡୋଜ୍ ନେବାପରେ କରୋନା ଆକ୍ରାନ୍ତ ହୁଅନ୍ତି, ତେବେ ଦ୍ୱିତୀୟ ଡୋଜ୍ ସଙ୍ଗେସଙ୍ଗେ ନେବେ ନାହିଁ । ସୁସ୍ଥ ହେବାର ୩ମାସ ପରେ ଉକ୍ତ ବ୍ୟକ୍ତି ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ’ । ଏଥିସହ ସମସ୍ତେ କୋଭିଡ୍ ଗାଇଡଲାଇନକୁ ମାନନ୍ତୁ । ଜରୁରୀ ନଥିଲେ ବହାରକୁ ବାହାରନ୍ତୁ ନାହିଁ । ମୁହଁରେ ସଠିକ୍ ଭାବରେ ମାସ୍କ ପିନ୍ଧିବା ସହ ହାତକୁ ବାର୍ ବାର୍ ସାବୁନରେ ଧୁଅନ୍ତୁ କିମ୍ବା ସାନିଟାଇଜ୍ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ