କୃଷକ ଉତ୍ପାଦକ ସଂଗଠନର ଗଠନ ଓ ପ୍ରସାର ସଂପର୍କିତ ରାଜ୍ୟସ୍ତରୀୟ କର୍ମଶାଳା
କୃଷକ ଉତ୍ପାଦକ ସଂଗଠନ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ
ଭୁବନେଶ୍ୱର(ଏନ୍.ଏମ୍.): ଅଣସଂଗଠିତ କ୍ଷୁଦ୍ର ଚାଷୀମାନଙ୍କୁ ଏକତ୍ରିତ ଓ ସୁଦୃଢ଼ କରି ସେମାନଙ୍କର ଉତ୍ପାଦନ ବୃଦ୍ଧି ଓ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟରେ ବିିକ୍ରିବଟା ଦିଗରେ କୃଷକ ଉତ୍ପାଦକ ସଂଗଠନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଅଧିକରୁ ଅଧିକ କୃଷକ ଉତ୍ପାଦକ ସଂଗଠନ ସୃଷ୍ଟି କରିବା ଓ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟର ସରକାର କୃଷକ ଉତ୍ପାଦକ ସଂଗଠନ ନୀତି ପ୍ରଣୟନ କରିଛନ୍ତି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
କୃଷି ଭବନଠାରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଆୟୋଜିତ କୃଷକ ଉତ୍ପାଦକ ସଂଗଠନର ଗଠନ ଓ ପ୍ରସାର ଶୀର୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ, ରାଜ୍ୟର ପ୍ରାୟ ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଓ ଆନୁଷଙ୍ଗିକ କୃଷି ସହିତ ଜଡ଼ିତ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ କୃଷକ ଉତ୍ପାଦକ ସଂଗଠନ ଜରିଆରେ ସେମାନେ ସୁଲଭ ମୂଲ୍ୟରେ କୃଷି ସାମଗ୍ରୀ ପାଇବା ସହିତ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଉଚିତ ଦରରେ ବିକ୍ରି କରିବାର ସୁବିଧା ପାଇପାରିବେ । କୃଷି ଉତ୍ପାଦନର ଏକତ୍ରିକରଣ, ମୂଲ୍ୟ ସଂଯୋଗ ଓ ପ୍ରତ୍ୟକ୍ଷ ବିପଣନ ଜରିଆରେ କୃଷକମାନଙ୍କର ଆୟ ବୃଦ୍ଧି କରିବା ସଂଗଠନର ମୂଳ ଲକ୍ଷ୍ୟ । କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ଯେପରି ରାଜ୍ୟର ସବୁ ଜିଲ୍ଲାରେ ସମପରିମାଣରେ ଗଢ଼ି ଉଠିପାରିବ ଏବଂ ଏହାର ଲାଭ ରାଜ୍ୟର ସମସ୍ତ ଅଞ୍ଚଳର କୃଷକମାନେ ପାଇପାରିବେ ସେଥି ନିମନ୍ତେ ପଦକ୍ଷେପ ନିଆଯାଉଛି । ମହିଳା ସଶକ୍ତିକରଣକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ କୃଷକ ଉତ୍ପାଦକ ସଂଗଠନରେ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ସାମିଲ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାର କୃଷକ ଉତ୍ପାଦକ ସଂଗଠନର ଗଠନ ଓ କାର୍ଯ୍ୟାନ୍ୱୟନ ନିମନ୍ତେ ଋଣ ଯୋଗାଣ ସମେତ ଅନେକ ସୁବିଧାସୁଯୋଗ ଯୋଗାଇ ଦେଉଥିବାବେଳେ ସଂଗଠନଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ଓ ଏହାର ଦୀର୍ଘସ୍ଥାୟିତ୍ୱ ନିମନ୍ତେ ପରିଚାଳନାରେ ପାରଦର୍ଶିତା ହାସଲ କରିବା ଜରୁରୀ । ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ସଂଗଠନର ମୂଳଲକ୍ଷ୍ୟ ହେବା ଉଚିତ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ସ୍ୱଚ୍ଛତା ରକ୍ଷା ପାଇଁ ରାଜ୍ୟରେ ଗଠନ କରାଯାଇଥିବା କୃଷକ ଉତ୍ପାଦକ ସଂଗଠନର ସମସ୍ତ ତଥ୍ୟ ସର୍ବସାଧାରଣରେ ଉପଲବ୍ଧ କରାଇବା ଦିଗରେ ପବ୍ଲିକ୍ ଡୋମେନ୍ରେ ଅପ୍ଲୋଡ଼୍ କରାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ କୃଷକ ଉତ୍ପାଦକ ସଂଗଠନର ଶାସନ ଓ ଅନୁପାଳନ ସଂପର୍କିତ ଏକ ହ୍ୟାଣ୍ଡବୁକ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉନ୍ମୋଚନ କରିଥିଲେ ।
କର୍ମଶାଳାରେ ଉଦ୍ବୋଧନ ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ଚାଷୀମାନଙ୍କୁ ସଶକ୍ତ କରିବା ନିମନ୍ତେ କୃଷକ ଉତ୍ପାଦକ ସଂଗଠନ ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ । ରାଜ୍ୟରେ ଯେପରି ଅଧିକରୁ ଅଧିକ ସଂଗଠନ ଗଢ଼ି ଉଠିବ ଓ ଏହାର ଲାଭ ସିଧାସଳଖ ଯେପରି ଚାଷୀମାନେ ପାଇପାରିବେ ସେଥି ନିମନ୍ତେ ପଦକ୍ଷେପ ନିଆଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନୀତି ଓ ଯୋଜନା ମାଧ୍ୟମରେ ଏଫ୍ପିଓମାନଙ୍କୁ ଦକ୍ଷତା ବିକାଶ, ଉତ୍ପାଦନ ପୂର୍ବ ଓ ପରବର୍ତ୍ତୀ ସହାୟତା, ଭିତ୍ତିଭୂମି ନିର୍ମାଣ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ଓ ବିପଣନ ଦିଗରେ ସହାୟତା ଯୋଗାଇଦେଉଛି । ଓଡ଼ିଶା ସରକାରଙ୍କ ଦ୍ୱାରା କୃଷକ ଉତ୍ପାଦକ ସଂଗଠନ ନିମନ୍ତେ ନିଃଶୁଷ୍ଠ ପରାମର୍ଶ ସେବା ୧୮୦୦-୩୪୫-୧୨୩୨ ଆରମ୍ଭ କରାଯାଇଛି । କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ଇ-ନାମ୍ ପ୍ଲାଟ୍ଫର୍ମ ଜରିଆରେ ସାରା ଦେଶର ବଜାର ସହିତ ଯୋଡ଼ିହେବାର ସୁଯୋଗ ରହିଛିି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ । ଓଡ଼ିଶା ମିଲେଟ୍ ମିଶନକୁ ଅଧିକ ବ୍ୟାପକ କରିବା ଦିଗରେ କୃଷକ ଉତ୍ପାଦକ ସଂଗଠନ ସହାୟକ ହେବ ବୋଲି ଶ୍ରୀ ଚୋପ୍ରା କହିଥିଲେ । କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ ଚଢ଼ା, ଉଦ୍ୟାନକୃଷି ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହିତ ରାଜ୍ୟର କୃଷକ ଉତ୍ପାଦକ ସଂଗଠନର ସଦ୍ୟତମ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । କର୍ମଶାଳାରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କୃଷକ ଉତ୍ପାଦକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଅଗ୍ରଣୀ କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା ।