କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ: ନଳକୂପ ଅଚଳ, ଜଳକ୍ଲିଷ୍ଟରେ ସିଏମସି ବାସିନ୍ଦା
ଜଗତପୁର(ଏନ୍.ଏମ୍.): କଟକ ସହର ଭଳି ରାଜ୍ୟର ଗୋଟିଏ ଅଗ୍ରଣୀ ସହରରେ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ôଚତ ହେଉଛନ୍ତି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ରେ ଜନସାଧାରଣ ପାନୀୟ ଜଳ ପାଇବାରୁ ବଞ୍ôଚତ ହେଉଥିବାବେଳେ ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ ରହିଛନ୍ତି । ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ୨ଟି ନଳକୂଅ ଅଚଳ ହୋଇଥିଲେ ମଧ୍ୟ ଏହାର ମରାମତି କରାଯାଉ ନାହିଁ । ସେହିଭଳି ଆଉ ଗୋଟିଏ ନଳକୂଳରୁ ବାହାରୁଥିବା ଗୋଳିଆ ଆବର୍ଜନା ପାଣି ଯୋଗୁଁ ଏହା ମଧ୍ୟ ଅବ୍ୟବହୃତ ହୋଇ ପଡ଼ି ରହିଛି । ତେବେ ଏହି ଅଞ୍ଚଳରେ ୩ଟି ନଳକୂଅ ଥିଲେ ମଧ୍ୟ ଜନସାଧାରଣ ସେବାରେ ଲାଗୁ ନଥିବା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି ।
ଗୋଟିଏ ପଟେ ରାଜ୍ୟ ବ୍ୟାପି ସରକାର ଜଳ ହିଁ ଜୀବନ ବାର୍ତ୍ତା ଦେଉଥିଲା ବେଳେ ଏହା କେବଳ ପ୍ରହସନ ପାଲଟିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସରକାର ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଜଗତପୁର ଅଞ୍ଚଳରେ ବିଭାଗୀୟ ଅଧିକାରୀଙ୍କ ବେପରୁଆ ନୀତି ଯୋଗୁଁ ତାହା ଦିଗହରା ହୋଇଛି । ଅସହ୍ୟ ଖରା ତଥା ଗ୍ରୀଷ୍ମ ପ୍ରବାହ ସମୟରେ ପାଣି ଟୋପେ ପାଇଁ ସାଧାରଣ ଲୋକେ ତ୍ରାହି ତ୍ରାହି ହେଲେଣି । ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଫକିରପୁର ପଣ୍ଡା ସାହି ଆଇବି ରୋଡ ସ୍ଥିତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପାଖରେ ଥିବା ଅଚଳ ନଳକୂପକୁ ନେଇ ଜନ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେଠାକୁ ପ୍ରତିଦିନ ଶହ ଶହ ଲୋକେ ନିଜର ରାସନ ସାମଗ୍ରୀ ଆଣିବା ପାଇଁ ଯାଇଥାନ୍ତି କିନ୍ତୁ ସେଠାରେ ପାଣି ଟୋପେ ଖୋଜିଲେ ମିଳେ ନାହିଁ । ପୁନଶ୍ଚ ସିଏମସି ପକ୍ଷରୁ ପାଇପ ଯୋଗେ ଘର ଘରକୁ ପାଣି ଯୋଗାଇ ଦିଆଯାଉଥିବାବେଳେ ସାଧାରଣ ଖଟିଖିଆ ଦିନମଜୁରିଆ କଥା ଭୁଲିଯାଇଥିବା ଅଭିଯୋଗ ହୋଇଛି । ସେହିପରି ଭୂବନପୁର କେନାଲ ବନ୍ଧ ଉପରେ, ଆଇବି ରୋଡ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ନିକଟରେ ଥିବା ନଳକୂଅ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଥିବାବେଳେ ଲକ୍ଷ୍ମଣପୁର ତାରିଣୀ ମନ୍ଦିର ପାଖରେ ଥିବା ଏକ ନଳକୂପରୁ ମାଟିଆ ରଙ୍ଗ ପାଣି ବାହାରୁଛି । ତେବେ ଏ ସଂକ୍ରାନ୍ତରେ ସ୍ଥାନୀୟ କର୍ପୋରେଟରଙ୍କୁ ପଚାରିବାରୁ କେହି ଅଭିଯୋଗ କରିନାହାନ୍ତି ଅଭିଯୋଗ ମିଳିଲେ ନଳକୂପ କାମ ହେବ ବୋଲି କହିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ନଳକୂଅ ମରାମତି ପାଇଁ ଅଭିଯୋଗକୁ ଅପେକ୍ଷା କରିବା ବିଭାଗୀୟ ଅଧିକାରୀ ନିୟମିତ ବ୍ୟବଧାନରେ କାହିଁକି ନଳକୂଅର ଅବସ୍ଥା ଯାଞ୍ଚ ନକରିବେ । ଯଦି ସିଏମସି କର୍ତ୍ତୃପକ୍ଷ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ଅଞ୍ଚଳବାସୀ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।