କଳ୍ପନା ଜଳ୍ପନାର ଅନ୍ତ: ବିକଳ୍ପ ରାସ୍ତା ଦେଇ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ
#ଆଠଗଡ଼(ଏନ୍.ଏମ୍.): ଦୀର୍ଘ ଦିନର କଳ୍ପନା ଜଳ୍ପନାକୁ ଅନ୍ତ କରି ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଧବଳେଶ୍ୱର ପୀଠ ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ଧବଳେଶ୍ୱରଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ଉପରେ କଟକଣା ଉଠିଯିବା ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ତେବେ ବାବା ଧବଳେଶ୍ୱରଙ୍କୁ ସର୍ବସାଧାରଣ ଦର୍ଶନ ପାଇଁ ଆଠଗଡ ଉପଜିଲ୍ଲାପାଳ ଅନୁମତି ଦେଇ ଛନ୍ତି । ମହାନଦୀ ପଠା ମଧ୍ୟରେ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ । ଏହାକୁ ନେଇ ଅଞ୍ଚଳବାସୀ ଓ ପୂଜକମାନେ ବେଶ ଖୁସି ଅଛନ୍ତି । ଆସନ୍ତା ମକର ସଂକ୍ରାନ୍ତିଠାରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ବାବା ଧବଳେଶ୍ୱରଙ୍କ ପୀଠ ଖୋଲିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା । ହେଲେ ନିର୍ମାଣଧୀନ ଅସ୍ଥାୟୀ ରାସ୍ତା କାମ ଯୁଦ୍ଧକାଳୀନ ଭିତିରେ ଶେଷ ହୋଇବାରୁ ପ୍ରଶାସନ ଆଗୁଆ ଅନୁମତି ଦେଇଛି । ମହାନଦୀର ମଞ୍ଚେଶ୍ୱର ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁମାନେ ଚାଲି ଚାଲି ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିବାର ସୁଯୋଗ ଦିଆଯାଇଛି । ତେବେ ଆଜି ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଥିବା ଯୋଗୁଁ ବହୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ଲାଭ କରିଥିଲେ । ଏହି ଅବସରରେ ବାବା ଧବଳେଶ୍ୱରଙ୍କ ଜୟ ଧ୍ୱନୀରେ ଗଗନପବନ ମୁଖରିତ ହୋଇ ଉଠିଥିଲା । ସୂଚନା ଯୋଗ୍ୟ ଯେ, ବାବା ଧବଳେଶ୍ୱରଙ୍କ ପୀଠକୁ ଯାତାୟତ ପାଇଁ ନିର୍ମିତ ଝୁଲାପୋଲ ଏକମାତ୍ର ରାସ୍ତା ଥିବାବେଳେ ଏହାକୁ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ଠାରୁ ଧବଳେଶ୍ୱରଙ୍କ ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା । ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଇ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ଲଗାଯାଇଥିଲା । ଧବଳେଶ୍ୱରଙ୍କ ମନ୍ଦିର ଖୋଲିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ସହ ପୂଜକ ସମାଜ ପକ୍ଷରୁ ଦାବି ହୋଇ ଆସୁଥିଲା । ପ୍ରଶାସନର ଏଭଳି ନିଷ୍ପତ୍ତି ପ୍ରତିବାଦରେ ପୂଜକ ସମାଜ ଓ ବିଭିନ୍ନ ସଂଗଠନ ଗଣତାନ୍ତ୍ରୀକ ପଦ୍ଧତିରେ ଶାନ୍ତିଶୃଙ୍ଖଳାର ସହ ଧାରଣାରେ ବସିବା ଏବଂ ହୋମ ଆଦି ଯଜ୍ଞ କରିଥିଲେ । ହଠାତ୍ ଧବଳେଶ୍ୱରଙ୍କ ପୀଠକ ପ୍ରଶାସନ କଟକଣା ଲଗାଇବା ଯୋଗୁଁ ପୀଠ ଉପରେ ଭରଷା କରି ଗୁଜୁରାଣ ମେଣ୍ଟାଉଥିବା ପୂଜକ, ସେବକ ତଥା ଅଞ୍ଚଳର କିଛି ଛୋଟ ଛୋଟ ବ୍ୟବସାୟୀ ପ୍ରଭୃତ କ୍ଷତି ସହିଥିଲେ । ଏପରିକି ଧବଳେଶ୍ୱରଙ୍କ ମୁଖ୍ୟ ପୂଜାକୁ ନଜରରେ ରଖି ଲକ୍ଷାଧିକ ଟଙ୍କା କରଜ କରି ଭୋଗରାଗ ତଥା ପୂଜା ସାମଗ୍ରୀ ବ୍ୟବସାୟ କରିବା ପାଇଁ ବ୍ୟବସାୟୀମାନେ ପ୍ରସ୍ତୁତ ଥିବାବେଳେ ହଠାତ କଟକଣା ଲଗାଇବା ଯୋଗୁଁ ସେମାନେ ହତାସ ହୋଇ ପଡ଼ିଥିଲେ । ତେବେ ପ୍ରଶାସନର ଏଭଳି ନୀତି ଯୋଗୁଁ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବାକୁ ମଧ୍ୟ ଦାବି ହୋଇଛି । କାରଣ ପ୍ରତିବର୍ଷ ଭଳି ଏଥର ମଧ୍ୟ ଧବଳେଶ୍ୱର ଯାତ୍ରା ନିମନ୍ତେ ଝୁଲାପୋଲ ଯାଞ୍ଚକାରୀ ଦଳ ଗ୍ରୀନ ସିଗନାଲ ଦେଇଥିଲେ । ହେଲେ ଗୁଜୁରାଟ ଅଘଟଣ ପରେ ଧବଳେଶ୍ୱର ଝୁଲାପୋଲକୁ ବନ୍ଦ କରି ଦିଆଯାଇଥିଲା । ତେବେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ମଧ୍ୟ ଉଠିଛି ।