କରୋନା କଟକଣା ବାଟବଣା: ରାସ୍ତାରେ ଜଗିଛି ପୋଲିସ, ଗଳିକନ୍ଦିରେ ଜମୁଛି ଆସର

କରୋନା କଟକଣା ବାଟବଣା: ରାସ୍ତାରେ ଜଗିଛି ପୋଲିସ, ଗଳିକନ୍ଦିରେ ଜମୁଛି ଆସର

କୋର୍ଡ ୱାର୍ଡରେ ବିକି୍ର ହେଉଛି ମଦ, ଗଞ୍ଜେଇ ଓ ଭାଙ୍ଗ
କଟକ(ଏନ୍.ଏମ୍.): ସମ୍ପ୍ରତ୍ତି ରାଜ୍ୟରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣ ଦ୍ରୁତ ହେଉଛି । ଦୈନିକ ୧୦ ହଜାର ଉପରେ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ମହାମାରୀକୁ ରୋକିବା ଲାଗି ରାଜ୍ୟ ସରକାର ଆସନ୍ତା ୧ ତାରିଖ ଯାଏଁ ଲକଡାଉନ ଘୋଷଣା କରିଛନ୍ତି । ତାଲାବନ୍ଦରେ ଜନସାଧାରଣ ଘରେ ରହିବା ଦ୍ୱାରା ସକି୍ରୟ କରୋନା ଚେନକୁ ବ୍ରେକ ଦିଆଯାଇ ପାରିବ । କିନ୍ତୁ ଅମାନିଆମାନେ ଏହି ନିୟମକୁ ମାନିବାକୁ ନାରାଜ । ବାରମ୍ବାର ସଚେତନ ଓ ତାଗିଦ କରାଯିବା ସତ୍ତ୍ୱେ ଅମାନିଆମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ମୁଖ୍ୟ ରାସ୍ତାରେ ପୁଲିସ ଜଗିଥିବାରୁ ଅମାନିଆମାନେ ଗଳିକନ୍ଦିରେ ନିଜର ଆସର ଜମାଉଛନ୍ତି । ସେଠାରେ ଗୁଲିଖଟି ସହ ଭୋଜିଭାତର ଆୟୋଜନ କରାଯାଉଛି । ସେଠାରେ ନା ପାଳନ ହେଉଛି କୋଭିଡ କଟକଣା, ନା ମନରେ ଭୟ ରହୁଛି । ଯଦି କେହି ଆପତ୍ତି କଲେ ତାଙ୍କୁ ନାଲି ଆଖି ଦେଖାଯାଉଛି । ଏପରି ସ୍ଥିତିରେ ସଂକ୍ରମଣ ଆଶଙ୍କା ରହୁଥିବାରୁ ସାଧାରଣ ଲୋକେ ଏବେ ଭୟଭୀତ ହୋଇପଡିଛନ୍ତି ।
ଲକଡାଉନ ଯୋଗୁଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଔଷଧ ଦୋକାନକୁ ଛାଡିଦେଲେ ରାସନ, ପନିପରିବା ଓ ଆମିଷ ଦୋକାନ ଆଦି ଦିନ ୧୨ ଯାଏ ଖୋଲା । କିନ୍ତୁ ଅମାନିଆଙ୍କୁ ସବୁ ସମୟରେ ସବୁ ପ୍ରକାରର ଅବକାରୀ ସାମଗ୍ରୀ ମିଳିଯାଉଛି । ଖାସକରି ପାନ, ଗୁଟଖା ଓ ସିଗାରେଟ ଆଦି ମିଳିଯାଉଛି । ଦୋକାନୀ ମଧ୍ୟ ଲୁଚିଛପି ଅମାନିଆଙ୍କୁ ଚଢା ଦରରେ ଏହି ସବୁ ସାମଗ୍ରୀ ବିକି୍ର କରୁଛନ୍ତି । ଏପରିକି ଅନେକ ସ୍ଥାନରେ ଦୋକାନୀମାନେ ନିଜ ଫୋନ ନମ୍ବର ଦୋକାନ ଆଗରେ ଝୁଲାଇ ଦେଇଛନ୍ତି । ଫଳରେ ଉକ୍ତ ନମ୍ବରରେ ଫୋନ କଲେ ବରାଦ ମୁତାବକ ଜିନିଷ ଯୋଗାଡ ହୋଇଯାଉଛି । ଲକଡାଉନ ଆରମ୍ଭରୁ ସହରର ସବୁ ଗଳିକନ୍ଦିରେ ଏପରି ଆଡ୍ଡା ଜମୁଥିବା ଦେଖିବାକୁ ମିଳୁଛି । କାରଣ ଗଳିକନ୍ଦିରେ ପୁଲିସ ପାଟ୍ରୋଲିଂ କରୁନଥିବାରୁ ତାହା ଅମାନିଆଙ୍କୁ ସୁହାଉଛି । ଏମିତିକି ଖୁଲମଖୁଲା ନିଶା କାରବାର ମଧ୍ୟ ଚାଲିଥିବା ଅଭିଯୋଗ ଉଠିଛି । ପୂର୍ବରୁ ମଦ କିଣିଆଣି ରଖିଥିବା ଲୋକେ ଏବେ ଗଳାବାଟ ଦେଖି କାରବାର ଚଳାଇଛନ୍ତି । ଚଢା ଦରରେ ମଦ ବିକି୍ର କରାଯାଉଛି । ଧରାପଡିଯିବା ଭୟରେ ପାଖରେ ନରଖି, ଘର ଠାରୁ ଅଳ୍ପବାଟ ଦୂର ସ୍ଥାନରେ ତାହାକୁ ଲୁଚାଇ ରଖାଯାଉଛି । ଗୋଟିଏ ସ୍ଥାନରେ ଟଙ୍କା ଦେବା ପରେ ଆଉ ଗୋଟିଏ ସ୍ଥାନରୁ ମଦ ଦିଆଯାଉଛି । ସେହିପରି ଗଞ୍ଜେଇ ଓ ଭାଙ୍ଗ ବେପାରୀ ମଧ୍ୟ ଅନାୟାସରେ ନିଜ କାରବାର ଜାରି ରଖିଛନ୍ତି । ମୁଖ୍ୟ କଥା ହେଉଛି ଅଚିହ୍ନା ଲୋକଙ୍କୁ ନିଶାଦ୍ରବ୍ୟ ବିକି୍ର କରାଯାଉନାହିଁ । ପୁଣି କେତେକ ସ୍ଥାନରେ ‘କୋଡ ୱାଡ’ରେ ନିଶା କାରବାର ହେଉଛି । ଯେପରି ମଦକୁ ବଡ ଥଣ୍ଡା, ଗଞ୍ଜେଇକୁ ଭୋଗ ଓ ଭାଙ୍ଗକୁ ସରବତ ଭାବେ କୋର୍ଡ ୱାର୍ଡରେ କୁହାଯାଉଛି । ଏହାସହ ବିଭିନ୍ନ ସ୍ଥାନରେ ଏକାଠି ହୋଇ ଭୋଜିଭାତର ଆୟୋଜନ ହେଉଥିବା ମଧ୍ୟ ଜଣାପଡ଼ିଛି । ଏପରିକି ଅଞ୍ଚଳବାସୀ ଆପତ୍ତି କଲେ, ନିଶାଡିମାନେ ତାଙ୍କୁ ଧମକଚମକ ଦେଉଛନ୍ତି । କହିବାକୁ ଗଲେ ପୁଲିସ ରାସ୍ତାରେ ନାକା ପକାଇ ଜଗିରହିଥିଲା ବେଳେ ଅମାନିଆମାନେ ପୁଲିସକୁ ଚକମା ଦେଇ ନିଜ କାରସାଦି ଚଳାଇଛନ୍ତି । କୋଭିଡ କଟକଣା ଅନୁସରଣ କରିବା ଦୂରର କଥା, ପୁଲିସ ପ୍ରତି ସେମାନଙ୍କ ଟିକେ ହେଲେ ଭୟ ନଥିବା ମନେ ହେଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏବେ ଜାଲ ମେଡିକାଲ ସାର୍ଟିଫିକେଟ ପ୍ରସ୍ତୁତ କରି ଅମାନିଆମାନେ ବାହାରେ ବୁଲାବୁଲି କରୁଛନ୍ତି । ଚେକ ପୋଷ୍ଟରେ ପୁଲିସ ଅଟକାଇଲେ ସେମାନେ ଏହି ରିପୋର୍ଟକୁ ଦେଖାଇ ଆରାମରେ ଖସିଯାଉଛନ୍ତି । ପୁଲିସ ମଧ୍ୟ ସଂକ୍ରମଣ ଭୟରେ ଉକ୍ତ ରିପୋର୍ଟକୁ ଯାଞ୍ଚ କରୁନାହିଁ । ତେଣୁ ଏଥିପ୍ରତି ପୁଲିସ କଡା ନଜର ରଖିବାକୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଏହି ଅମାନିଆଙ୍କ ଲାଗି ସଂକ୍ରମଣ ଆହୁରି ବୃଦ୍ଧି ପାଇବା ସହ କଟକର ସ୍ଥିତି ବିଗିଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ