କଟକ ପାଲଟିଛି ଦେହ ବ୍ୟବସାୟୀଙ୍କ ସାମ୍ରାଜ୍ୟ
କମିଶନରେଟ ପୁଲିସର ଚଢ଼ାଉ: ୨ଟି ସ୍ଥାନରୁ ୩ ଗିରଫ ୪ ଉଦ୍ଧାର
କଟକ(ଏନ୍.ଏମ୍.): ଲକ୍ଡାଉନ ଓ ସଟଡାଉନ ସମୟରେ କଟକ ସହରରେ ଆରମ୍ଭ ହୋଇଯାଇଛି ଦେହ ବ୍ୟବସାୟ । ଗୋଟିଏ ଦିନରେ ସହରର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ସେକ୍ସ ରାକେଟ ଠାବ ହୋଇଛି । ମାଲଗୋଦାମ ଥାନା ପୁଲିସ ଏକ ହୋଟେଲରେ ଚଢଉ କରି ଜଣେ ଯୁବତୀକୁ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ବାଦାମବାଡି ଥାନା ପୁଲିସ ମଧ୍ୟ ଏକ ଭଡା ଘରୁ ୩ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାକେଟର ମୁଖ୍ୟକାର୍ପଟଦାରକୁ ଗିରଫ କରିଛି । ତେବେ ଉଭୟ ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯିବା ସହ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।
କମିଶନରେଟ ପୁଲିସର ସୂଚନା ଅନୁଯାୟୀ, ମାଲଗୋଦାମ ଥାନା ଅନ୍ତର୍ଗତ ପିଲିଗ୍ରୀମ ରୋଡ ଠାରେ ଥିବା ଅମ୍ବିକା ରେସିଡେନ୍ସି ହୋଟେଲରେ ସେକ୍ସ ରାକେଟ ଚାଲୁଥିବା ନେଇ ସୂଚନା ମିଳିବା ପରେ ଇନ୍ସପେକ୍ଟର ତୃପ୍ତିରଞ୍ଜନ ନାୟକ ସଦଳବଳେ ଚଢଉ କରିଥିଲେ । ଏହି ସମୟରେ ହୋଟେଲର ଏକ ରୁମରୁ ଜଣେ ଯୁବତୀ ଓ ଜଣେ ଗ୍ରାହକକୁ ଅସଞ୍ଜତ ଅବସ୍ଥାରେ ଠାବ କରା ଯାଇଥିଲା । ଅଧିକ ଛାନଭିନ ପରେ ଉକ୍ତ ହୋଟେଲର ଆଉ ଏକ ରୁମରୁ ସେକ୍ସ ରାକେଟର କିଙ୍ଗପିନ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଜନୈକା ମହିଳାଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା । ଧରାପଡିଥିବା ଗ୍ରାହକ ଜଣକ ସ୍ଥାନୀୟ ନୟାସଡକ ଅଞ୍ଚଳର ସୁରେଶ ମାଙ୍ଗାଲିଆ(୪୦) ବୋଲି ଜଣାପଡ଼ିଛି । ଚଢାଉ ବେଳେ ଉକ୍ତ ରୁମରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ତେବେ ଦୀର୍ଘ ଦିନ ହେବ ଏହି ହୋଟେଲରେ ଦେହ ବ୍ୟବସାୟ ଚାଲୁଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ମହିଳା କିଙ୍ଗପିନ ଜଣକ ଭୁବନେଶ୍ୱରରେ ରହି ଅନଲାଇନ ବା ହ୍ୱାଟସଆପ ଜରିଆରେ ଏହି କାରବାର ଚଳାଇଥିଲେ । ତାଙ୍କୁ ଯୋଗାଯୋଗ କରୁଥିବା ଗ୍ରାହକଙ୍କୁ ସିଏ ପ୍ରଥମେ ହ୍ୱାଟସଆପରେ ଯୁବତୀଙ୍କ ଫଟୋ ପଠାଉଥିଲା । ଏହାପରେ ଗ୍ରାହକ ଅନଲାଇନ ପେମେଣ୍ଟ କରିବା ପରେ ସେ ଯୁବତୀଙ୍କୁ ଉକ୍ତ ହୋଟେଲକୁ ପଠାଉଥିଲା । ଏଥିଲାଗି ହୋଟେଲର ଏକ ନିର୍ଦ୍ଦିଷ୍ଟ ରୁମକୁ ସବୁବେଳେ ସଂପୃକ୍ତ ମହିଳା ଓ ଅନ୍ୟ ଜଣଙ୍କ ନାଁରେ ବୁକ ରଖାଯାଉଥିଲା । ଯାହାକି ହୋଟେଲର ରେଜିଷ୍ଟର ଯାଞ୍ଚ ପରେ ପୁଲିସ ଜାଣିବାକୁ ପାଇଛି । ତେବେ ଏହି ବେଆଇନ କାରବାରରେ ଉକ୍ତ ହୋଟେଲର ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ସନେ୍ଦହ ଥିବାରୁ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଯଦି ପ୍ରମାଣ ମିଳେ ତେବେ ତାଙ୍କୁ ଗିରଫ କରାଯିବ ବୋଲି ଇନ୍ସପେକ୍ଟର ଶ୍ରୀ ନାୟକ ସୂଚନା ଦେଇଛନ୍ତି । ସେହିପରି ଆଜି ମଧ୍ୟ ଶଙ୍କରପୁର ଦାସ ସାହିରେ ଦେହ ବ୍ୟବସାୟ ଚାଲୁଥିବା ନେଇ ବାଦମବାଡ଼ି ଥାନାକୁ ସୂଚନା ମିଳିବା ପରେ ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ର ସଦଳବଳେ ଚଢଉ କରିଥିଲେ । ପୁଲିସ ଅଞ୍ଚଳର ଏକ ଭଡା ଘରେ ଚଢଉ କରି ୨ଜଣ ଯୁବତୀ ଓ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲା । ଏମାନଙ୍କ ଘର ଢେଙ୍କାନାଳ, କେନ୍ଦ୍ରାପଡା ପାଟକୁରା ଓ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାପଡିଛି । ଏହି କାରବାରର ମୁଖ୍ୟକାର୍ପଟଦାର ମର୍କତନଗର ଅଞ୍ଚଳର ଭାସ୍କର ଚନ୍ଦ୍ର ଜେନାକୁ ମଧ୍ୟ ଗିରଫ କରାଯାଇଛି । ଚଢଉ ବେଳେ ଉକ୍ତ ଘରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ସହ ୫ଟି ମୋବାଇଲ ଜବତ ହୋଇଛି । ତେବେ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଭାସ୍କର ଓ ଭଦ୍ରକ ଅଞ୍ଚଳର ଜଣେ ମହିଳା ବ୍ୟବସାୟିକ ଉଦେ୍ଦଶ୍ୟରେ ଏହି ଘରକୁ ଭଡା ନେଇ ଦେହବେପାର ଚଳାଇଥିଲେ । ସେମାନେ ବିଭିନ୍ନ ଜିଲ୍ଲାରୁ ଯୁବତୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କଟକ ଆଣି ଦେହ ବ୍ୟବସାରେ ଲଗାଉଥିଲେ । ତେବେ ଘର ମାଲିକ କଟକ ବାହାରେ ରହୁଥିବାରୁ ଏ ବିଷୟରେ ଜାଣିନଥିବା ପୁଲିସ ସୂଚନା ଦେଇଛି । ଏନେଇ ମାଲଗୋଦାମ ଓ ବାଦାମବାଡି ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି ।