କଟକ ଜିଲ୍ଲାରେ ଥମୁନି କରୋନା: ବଡମ୍ବା-ନରସିଂହପୁରରେ ୨୯ନୂତନ ପଜିଟିଭ ଚିହ୍ନଟ, ୨ମୃତ୍ୟୁ
ନରସିଂହପୁର(ଏନ୍.ଏମ୍.): କରୋନା ମୁକାବିଲା ନେଇ ରାଜ୍ୟ ସରକାର ଯେତେ ଯାହା ପଦକ୍ଷେପ ନେଇଥିଲେ ସୁଦ୍ଧା ଅମାନିଆମାନଙ୍କ ଯୋଗୁଁ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉନାହିଁ । ସମ୍ପ୍ରତି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସୂଚନା ଅନୁଯାୟୀ ଆଜି ବଡମ୍ବାରେ ୧୨ଜଣ, ନରସିଂହପୁରରେ ୧୭ଜଣ ସର୍ବମୋଟ ୨୯ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନରସିଂହପୁରରେ ରେଗେଡାରୁ ୬ଜଣ, ନିଜିଗଡ଼ରେ ୨ଜଣ, ବଡଭୁଇଁରେ ୩ଜଣ, ନରସିଂହପୁର ସଂଲଗ୍ନ ରତାପାଟରେ ୨ଜଣ, ବାଲିସାହି, କାଞ୍ଜିଆପଦା, କରିଲୋ, କାଠଖୁଣ୍ଟରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୪ଜଣଙ୍କୁ ନରସିଂହପୁର କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ସେହିଭଳି ବଡମ୍ବାରେ ବଡମ୍ବାଗଡ଼ରୁ ୪, କରଡ଼ାରୁ ୨,ସାନବାରସିଂହ, କେଶାବେରେଣୀ, ମାଳତୀ, ମୂଳିଆବାଙ୍କ, ବଡ଼କମିଲୋ ଓ ମହୁଲିଆ ପ୍ରଭୃତି ଗ୍ରାମରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବଡମ୍ବା ଡ଼ମଣଗାଡ଼ିଆର ଜଣେ ଯୁବକ ବଡମ୍ବାର ଜଣେ ଦୋକାନୀ ଯଥାକ୍ରମେ ଅଶ୍ୱିନୀ କୋଭିଡ ହସ୍ପିଟାଲ ଓ କିମ୍ସ କୋଭିଡ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ଯୋଡୁମ ଗ୍ରାମପଞ୍ଚାୟତର ଜଣେ ବ୍ୟକ୍ତି ଅମ୍ଳଜାନ ହ୍ରାସ ପାଇବାରୁ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର କୋଭିଡର ଉପସର୍ଗ ୨/୩ ଦିନ ଧରି କାଶ ପ୍ରଭୃତି ଥିବାରୁ କୋଭିଡ ବୋଲି କୁହାଯାଉଛି । ଏହାପରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୃତ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।