କଟକରେ ଜିଲ୍ଲାସ୍ତରୀୟ ମେଗା କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ
#କଟକ(ଏନ୍.ଏମ୍.): ରାଜ୍ୟ ତଥା ରାଷ୍ଟ୍ର ଅର୍ଥନୀତି କୃଷକମାନଙ୍କ ଉପରେ ନିର୍ଭରଶୀଳ । ନୂତନ ଜ୍ଞାନକୌଶଳ ପ୍ରୟୋଗରେ କୃଷି ଯନ୍ତ୍ରପାତିର ଉପଯୋଗରେ କୃଷକମାନଙ୍କର ଆୟବୃଦ୍ଧି କରିବା କୃଷିମେଳାର ମୂଳ ଉଦ୍ଦେଶ୍ୟ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ଖ୍ରୀଷ୍ଟିୟାନ ସାହି ଖେଳପଡିଆଠାରେ ଅନୁଷ୍ଠିତ କୃଷି ଯନ୍ତ୍ରପାତି ମେଳାକୁ ଉଦ୍ଘାଟନ କରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ସ୍ୱଳ୍ପସମୟ ମଧ୍ୟରେ ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ କୃଷକମାନଙ୍କୁ ରିହାତି ମୂଲ୍ୟରେ ଯନ୍ତ୍ରପାତି ଯୋଗାଇଦେବା ପାଇଁ ମେଗାକୃଷି ଯନ୍ତ୍ରପାତି ମେଳା ଆୟୋଜନ ହେଉଛି । ଯାନ୍ତ୍ରିକ ପଦ୍ଧତିରେ କୃଷିଉତ୍ପାଦନ ସମୟ ସାପେକ୍ଷ ନୁହେଁ । ଯାହାଫଳରେ କୃଷକ ଭାଇମାନେ ଅନ୍ୟାନ୍ୟ ଲାଭଜନକ ଫସଲ ନିମନ୍ତେ ସମୟ ବିନିଯୋଗ କରି ସେମାନଙ୍କ ଆର୍ôଥକ ମାନଦଣ୍ଡକୁ ସୁଦୃଢ କରିବା ସହ ସ୍ୱଳ୍ପଖର୍ଚ୍ଚରେ ଅଧିକ ଲାଭବାନ ହୋଇପାରିବେ । ରାଜ୍ୟ ସରକାର ମହିଳାମାନଙ୍କୁ କୃଷି ଉପଯୋଗୀ ଯନ୍ତ୍ରପାତି ବ୍ୟବହାର କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସୁଛନ୍ତି । ଉତ୍ପାଦନ ଅଭିବୃଦ୍ଧି ନିମନ୍ତେ କୃଷି ପାଇଁ ଉଦ୍ଧିଷ୍ଟ ବଜେଟର ଶତକଡା ୩୦ଭାଗ ଅର୍ଥ ଯନ୍ତ୍ରପାତି ଉପଯୋଗ ନିମନ୍ତେ ବ୍ୟୟ କରୁଛନ୍ତି । ମହିଳାମାନଙ୍କୁ କୃଷିଉଦ୍ୟୋଗୀ ଭାବରେ ପ୍ରତିଷ୍ଠିତ କରାଇବା ନିମନ୍ତେ ଯନ୍ତ୍ରପାତି କ୍ରୟବାବଦରେ ଶତକଡା ୭୫ଭାଗ ଏବଂ ଫେଡେରେସନ ମାଧ୍ୟମରେ କ୍ରୟକଲେ ଶତକଡା ଶତପ୍ରତିଶତ ରିହାତି ଉପଲବ୍ଧ କରାଯାଉଛି ।
ଜିଲ୍ଲାପାଳ ଡଃ.ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ୩୨ଜଣ କୃଷିଉଦ୍ୟୋଗୀ ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ କୃଷି ଯନ୍ତ୍ରପାତି କ୍ରୟ କରିବା ନିମନ୍ତେ ରିହାତି ରାଶି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ, କଟକ ଜିଲ୍ଲାପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ, ବାଙ୍କୀ ବିଧାୟକ ବାଙ୍କୀ ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗଦେଇ କୃଷିର ଉନ୍ନତିରେ ଦେଶ ଓ ରାଜ୍ୟର ଉନ୍ନତି ନିର୍ଭରଶୀଳ । ପଞ୍ଜାବର କୃଷକମାନେ ଅଭିନବ ଜ୍ଞାନକୌଶଳ ପ୍ରୟୋଗରେ ଯନ୍ତ୍ରପାତି ବ୍ୟବହାର କରି ଉତ୍ପାଦନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରି ଆସୁଛନ୍ତି । ଓଡିଶା ଭଳି ଏକ କୃଷିପ୍ରଧାନ ରାଜ୍ୟରେ କୃଷିର ଆଧୁନୀକିକରଣର ଶତପ୍ରତିଶତ ଆବଶ୍ୟକତା ରହିଛି । ଯାହାଫଳରେ ଓଡିଶାର କୃଷକ ଭାଇମାନେ ଜାତୀୟ ମାନଚିତ୍ରରେ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ସୁଭଦ୍ରା ଦାସ ଓ ରାଜ୍ୟ କୃଷି ମୁଖ୍ୟ ଯନ୍ତ୍ରୀ ରାଜେନ୍ଦ୍ର ବେସରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅମ୍ବର କୁମାର କର, ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ନିରଞ୍ଜନ ଦାସ ପ୍ରମୁଖ ମଞ୍ଚାସୀନଥିବା ବେଳେ ମଣ୍ଡଳ କୃଷି ଅଧିକାରୀ କୁଳମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।