ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି : ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି : ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି
ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ


ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଇଜିଏସ(ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) କାମରେ ଦୁର୍ନୀତି ହେଉଥିବା ବିଜେପି ପାଖରୁ ଅଭିଯୋଗ ହୋଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଶତ ପ୍ରତିଶତ ଏମଜିଏନଆରଇଜିଏସ୍ କାମ ମେସିନ ଦ୍ୱାରା ହେଉଛି । ଲୋକଙ୍କ ଦ୍ୱାରା କିଛି କାମ ହେଉ ନାହିଁ । ୪୦ ପ୍ରତିଶତ କାମର ଫଲ୍ସ ବିଲ୍ କରାଯାଇଛି । ଯଦି ଏହାର ବାସ୍ତବିକ ତଦନ୍ତ କରାଯିବ ତା’ହେଲେ ୩୧୪ ବ୍ଲକର ବିଡିଓ ସସ୍‌ପେଣ୍ଡ ହେବେ । କେବଳ ସେତିକି ନୁହେଁ, ଅଢେଇ ହଜାର ଜିଆରଏସ୍‌, ୫ ହଜାର ଜେଇ ମଧ୍ୟ ସସପେଣ୍ଡ ହେବେ ବୋଲି ରାଜ୍ୟ ସରକାରଙ୍କ ଉପରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏପରି ବର୍ଷିଛନ୍ତି ।
ବିଜେପି ରାଜ୍ୟ ସାଧାରଣ ସଂପାଦକ ଆଣିଥିବା ଅଭିଯୋଗ ଅନୁଯାୟୀ, ଦାଦନ ଦୁର୍ଦ୍ଦଶା ରୋକିବାକୁ ଏମଜିଏନଆରଇଜିଏସରେ କେନ୍ଦ୍ରସରକାର ବ୍ୟାପକ ଅର୍ଥ ଦେଉଛନ୍ତି । ମାତ୍ର ଏହାର ଅସଦମାର୍ଗରେ ଖର୍ଚ୍ଚ ହେବା ସହ ପ୍ରକୃତ ହିତାଧିକାରୀଙ୍କ ବଦଳରେ ଠିକାଦାର ଓ ପୁଞ୍ଜିପତି ଲାଭବାନ ହେଉଛନ୍ତି । ବିଗତ ୭ ବର୍ଷ ମଧ୍ୟରେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ୧୬ ହଜାର କୋଟି ଦେଇଛନ୍ତି । ୨୦୨୦-୨୧ରେ ରାଜ୍ୟକୁ ୪୪୩୬ କୋଟି ଦିଆଯାଇଛି । କିନ୍ତୁ କାମଧନ୍ଦା ନପାଇ ଲୋକେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ସବୁଠାରେ ଏମଜିଏନଆରଇଜିଏସ କାମ ଲୋକ ବଦଳରେ ଜେସିବି କରୁଛି । ସୂଚନାଯୋଗ୍ୟ, ରୋଜଗାରକ୍ଷମ ହୋଇପାରି ନଥିବା ଗ୍ରାମାଞ୍ଚଳ ଲୋକଙ୍କୁ ପ୍ରତି ବର୍ଷ ଶ୍ରମ ଦାନ କରାଯିବା ନିମନ୍ତେ ଏମଜିଏନଆରଇଜିଏସ ପ୍ରଣୟନ କରାଯାଇଛି । ଏହାଦ୍ୱାରା ଗରିବ ପରିବାରର ଲୋକେ ଦାଦନ ଖଟିବାକୁ ନଯାଇ ନିଜ ଘର ପାଖରେ କାମ କରିପାରିବେ । ଗତ ବର୍ଷ କରୋନା ସମୟରେ ଯେଉଁମାନେ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ, ଅକଥନୀୟ ଯନ୍ତ୍ରଣା ଭୋଗି ନିଜ ରାଜ୍ୟକୁ ଫେରିଲେ । ଏହାକୁ ଆଖି ଆଗରେ ରଖି ଲୋକେ ଯେପରି ନିଜ ଅଞ୍ଚଳରେ କାମ ପାଇବେ, ଦାଦନ ଖଟିବାକୁ ବାହାରକୁ ଯିବେ ନାହିଁ ସେଥିନିମନ୍ତେ କେନ୍ଦ୍ର ବ୍ୟାପକ ଅର୍ଥ ବିନିଯୋଗ କରିଛନ୍ତି । ଗତ ବର୍ଷ ରାଜ୍ୟକୁ ୪୪୩୬ କୋଟି ଦିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ଗରିବ ଲୋକ ଏଠାରେ କାମ ପାଉ ନାହିଁ । ରାଜ୍ୟ ସରକାରଙ୍କର ନୈତିକ ଦାୟିତ୍ୱ ବୋଲି କିଛି ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏନଆରଇଜିଏସର ପ୍ରକୃତ ହିତାଧିକାରୀ ଗରିବ ଲୋକ ନା ବିଜେଡ଼ିର ନେତା ତାହା ବୁଝାପଡ଼ୁ ନାହିଁ ବୋଲି ସେ କହିଛନ୍ତି । ଏଥିସହ କଟକ ଜିଲ୍ଲା ବାଙ୍କି ଡମପଡ଼ା ବ୍ଲକର ଜଣେ ମହିଳା ସରପଞ୍ଚଙ୍କ ପରିବାରର ୬ଜଣ ଜବକାର୍ଡ ହୋଲଡୋର ରହିଥିବାବେଳେ ଏହି ପରିବାରର ୨ଟି ସୁରମ୍ୟ ଅଟ୍ଟାଳିକା ସହ ୩-୪ଟି ଗାଡ଼ି ରହିଛି । ଏହାସହ ପରିବାର ସହ ସରପଞ୍ଚ ବିଦେଶ ଗସ୍ତ କରିଛନ୍ତି । ସରପଞ୍ଚଙ୍କ ଶାଶୁଙ୍କ ନାଁରେ ୩ଟି ଗାଡ଼ି ଅଛି । ତାଙ୍କ ଶ୍ୱଶୁର ସେ ଅଞ୍ଚଳର କଣ୍ଟ୍ରୋଲ ଡିଲର । ସରପଞ୍ଚଙ୍କ ସ୍ୱାମୀ ଡମପଡ଼ା ବ୍ଳକର ବିଜୁ ଜନତା ଦଳର ସଭାପତି । ପଞ୍ଚାୟତର ଭେଣ୍ଡର ହେଉଛନ୍ତି ତାଙ୍କ ସ୍ୱାମୀ । ଏପରି ଜୀବନ ବଞ୍ଚୁଥିବା ଲୋକ କାର୍ଡ ହୋଲଡର ହେଲେ ସାଧାରଣ ଲୋକ କ’ଣ ଉପାସରେ ମରିବେ ବୋଲି ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ପୁଣି ସେ କହିଛନ୍ତି ଯେ, ସାଧାରଣ ଲୋକଙ୍କ ପେଟରେ ଗୋଇଠା ମାରି, ଆଖିରେ ଆଙ୍ଗୁଠି ଗେଞ୍ଜି କିପରି ଚୋରି କରାଯାଇପାରେ ତାହା ବିଜେଡିକୁ ଭଲ ଭାବେ ଜଣା । ମେସିନ ଲାଗି, ଜେସିବି, ରୋଲର ଲାଗି ବିଭିନ୍ନ କାମ ହେଉଛି, ବହୁ ସ୍ଥାନରେ ପୋଖରୀ ନ ଥାଇ, ରାସ୍ତାରେ ମୋରମ ନପଡ଼ି ବି ବିଲ୍ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅରଖପୁର ପଞ୍ଚାୟତରେ ମହାବନ୍ଧ ତିଆରି ପାଇଁ ୫,୪୫,୯୫୨ ଟଙ୍କାର ଅଟକଳ ହୋଇଛି । ଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ ପାଇଁ ବିଲ୍ ହୋଇଛି । ଫଳକ ଲାଗିଛି କିନ୍ତୁ କାମ ହୋଇନି । ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯିବା ସତ୍ତ୍ୱେ ସେ ପ୍ରକୃତ ସତ୍ୟ ବୁଝିବା ପରିବର୍ତ୍ତେ ସେ ଓଲଟା ଧମକଚମକ ଦେବା ଆରମ୍ଭ କଲେ । ୨୦୧୯ରେ ରଞ୍ଜନ ପାତ୍ର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ନାଁ ମଷ୍ଟର ରୋଲରେ ଚଢ଼ିଛି ଓ ଟଙ୍କା ବି ଉଠିଛି । ଏହାବାଦା ପୋଲସରା ବ୍ଲକର ଧୁଙ୍କାପଡ଼ା ପଞ୍ଚାୟତରେ ରହିଛି ଆଦର୍ଶ ପୋଖରୀ ବଡ଼ ବନ୍ଧ । ଫଳକ ଲାଗିଛି କିନ୍ତୁ କାମ ହୋଇନି । ୧୦ ଲକ୍ଷ ଟଙ୍କାର ଅଟକଳ ଦେଖାଇ ଚଞ୍ଚକତା ହୋଇଛି । ଖଲ୍ଲିକୋଟ ବ୍ଲକର ଏକ ପୋଖରୀ ପାଇଁ ୧୫ ଲକ୍ଷ ଖର୍ଚ୍ଚ ପରେ ବି ପୋଖରୀ ଅବସ୍ଥା ଯାହା ତାହା ରହିଛି । ରାଜ୍ୟ ସରକାର ଗରିବଙ୍କ ପେଟକୁ ଗୋଇଠା ମାରିବାରେ ବ୍ୟସ୍ତ ଥିବାବେଳେ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । କେନ୍ଦ୍ର ସରକାରଙ୍କ ପଇସା ହଡ଼ପ କରିବାକୁ ଉଦ୍ୟମ କରାଗଲେ ତାକୁ ବିରୋଧ କରାଯିବ । ଏଭଳି ୩୧୪ ବ୍ଲକର ୩୧୪ ନମୁନା ସଂଗ୍ରହ କରି ରାଜ୍ୟପାଳଙ୍କୁ ଭେଟିବୁ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ଭେଟିବୁ । କୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି ଚେତାବନୀ ଦେଇଛନ୍ତି ହରିଚନ୍ଦନ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ