ଏସସିବି ହେପାଟୋଲୋଜି ବିଭାଗରେ ଲିଫ୍ଟ ଉଦ୍ଘାଟନ
କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲ (ଏସସିବି)କୁ ବିଶ୍ୱସ୍ତରୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ୫ଟି ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି । ଏଥି ପାଇଁ ମେଡ଼ିକାଲର ବିଭିନ୍ନ ବିଭାଗର ଉନ୍ନତି, ନୂତନ ଯନ୍ତ୍ରପାତି କିଣା ଆଦି ଆରମ୍ଭ ହୋଇଛି । ଉନ୍ନତି ଚିକିତ୍ସାସେବା ଯୋଗାଇଦେବା ନିମନ୍ତେ ରାଜ୍ୟସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଏସସିବିର ହେପାଟୋଲୋଜି (ଲିଭର ବିଭାଗ)ର ନୂତନ ନିର୍ମିତ ଲିଫ୍ଟ ଉଦ୍ଘାଟିତ ହୋଇଛି । ଏହାକୁ କଲେଜର ଡିନ୍ ଏବଂ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଉଦ୍ଘାଟନ କରିଛନ୍ତି ।
ସୂଚନା ଥାଉ କି, ପ୍ଲାଟିନମ୍ ଜୁବୁଲି ପାଳନ ହେଉଥିବା ଅବସରରେ ଅନ୍ଲାଇନ ପଦ୍ଧତିରେ ମେଡ଼ିକାଲ ଶିକ୍ଷା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ପୂର୍ବ ଭାରତର ରୋଗୀମାନଙ୍କ ପାଇଁ କଟକ ବଡ଼ମେଡ଼ିକାଲର ହେପାଟୋଲୋଜି ବିଭାଗରେ ବଡ଼ ଅବଦାନ ରହିଛି । ଡିନ୍ ଓ ଅଧ୍ୟକ୍ଷ ଦତ୍ତେଶ୍ୱର ହୋତାଙ୍କ ଉଦ୍ୟମ ଓ ଉତ୍ସାହ ସହ ବିଭାଗୀୟ ମୁଖ୍ୟ ପ୍ରଫେସର ତଥା ବିଶିଷ୍ଟ ଲିଭର ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡାକ୍ତର ସୁଶାନ୍ତ କୁମାର ଜେନା, ଡାକ୍ତର ସନାତନ ବେହେରା, ସମସ୍ତ ଡିଏମ୍ ଛାତ୍ର ଓ କର୍ମଚାରୀଙ୍କ ସମେତ ବିଭାଗର ମୁଖ୍ୟ ଦିଦି କୁମୁଦିନୀ ନାୟକ ସହଯୋଗ କରିଥିଲେ । କରୋନା ଗାଇଡ଼ ଲାଇନର ଏସ୍ଓପି ନିୟମାବଳୀକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ ସହ ଡାକ୍ତର ହୋତା ବିଭାଗରେ ଇନ୍ଡୋର ରୋଗୀମାନଙ୍କ ଭଲମନ୍ଦ ବୁଝିବା ସହ ଏଣ୍ଡୋସ୍କୋପି, ଅଲଟ୍ରାସାଉଣ୍ଡ ଓ ଫାଇବ୍ରୋସ୍କାନ ମେସିନ ଇତ୍ୟାଦି ବିଷୟରେ ପଚାରି ବୁଝିଥିଲେ । ତେବେ ହେପାଟୋଲୋଜି ବିଭାଗର ପୂର୍ବରୁ ଥିବା ଅତ୍ୟଧିକ ପାହାଚ ଉଠିବା ପାଇଁ ରୋଗୀ ମାନଙ୍କ ପକ୍ଷେ କଷ୍ଟସାଧ୍ୟ ହେଉଥିଲା । ଏହି ଲିପ୍ଟ ପାଇଁ ରୋଗୀମାନେ ପ୍ରଫେସର ହୋତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।