ଆଠଗଡ଼ରେ କଙ୍ଗାରୁ କୋର୍ଟ: ଗାଁରୁ ବାସନ୍ଦ, ନିଆଁ ପାଣି ଓ ରାସ୍ତା ମନା

#ଆଠଗଡ଼(ଏନ୍.ଏମ୍.): ସଭ୍ୟତା ଯେତିକି ଆଗକୁ ଆଗକୁ ବଢ଼ୁଛି ଜନସାଧାରଣଙ୍କ ଚିନ୍ତାଧାରା ସେତିକି ନିମ୍ନାଭିମୁଖୀ ହେଉଛି । ଅବଶ୍ୟ ଏକଥା କହିବା ବେଳକୁ ନିଜକୁ ମଧ୍ୟ ସଂକୋଚ ଲାଗୁଛି । ଆଜିର ସମାଜରେ ଜନସାଧାରଣଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ ହେବା ପାଇଁ ଯଥେଷ୍ଟ ସଚେତନତା କରାଯିବା ସହ ସମ୍ବିଧାନର ସୁରକ୍ଷା ପାଇଁ ପ୍ରଶାସନ ଠାରୁ ନ୍ୟାୟପାଳିକା ପର୍ଯ୍ୟନ୍ତ ଅଛନ୍ତି । ଯେଉଁଠି ନିରପେକ୍ଷ ବିଚାର କରାଯାଇ ଦୋଶୀକୁ ଦଣ୍ଡବିଧାନ କରାଯାଇଥାଏ । ତେବେ ଏଭଳି ସରକାରୀ ବ୍ୟବସ୍ଥାକୁ ଅଣଦେଖା କରି ନିଜେ ନିଜର ରାୟ ଶୁଣାଇବା ବା ଦଣ୍ଡବିଧାନ କରାଇବା କେତେଦୂର ସମୀଚୀନ ତାହା ସମସ୍ତେ ଜାଣନ୍ତି । ତେବେ ଆଇନକାନୁନକୁ ଜଳାଞ୍ଜଳି ଦେଇ ଆଜିର ଦିନରେ ବି ଗାଁର କିଛି ମୁଖିଆ କଙ୍ଗାରକୁ କୋର୍ଟ ଚଳାଇବା ସାରା ରାଜ୍ୟବାସୀଙ୍କୁ ଚକିତ କରିଛି । ତେବେ ଏଭଳି ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ଧାଇପୁର ଗ୍ରାମରେ ଦେଖିବାକୁ ମିଳିଛି । ସେଠାରେ ଆଜି କଙ୍ଗାରୁ କୋର୍ଟ ଚାଲିଥିବାବେଳେ ଗ୍ରାମର ଗୋଟିଏ ପରିବାରକୁ କଟକଣା ଲଗାଯାଇଛି । ନିଆଁ ପାଣି ସାଙ୍ଗକୁ ରାସ୍ତାରେ ଯିବାରେ ମନା । ଯାହାକୁ ନେଇ ଏବେ ନ୍ୟାୟ ପାଇଁ ଆଠଗଡ ଥାନାର ଦ୍ୱାରସ୍ତ ହୋଇଛନ୍ତି ସେହି ଗ୍ରାମର ସୁଧାଂଶୁ ଚରଣ ସାହୁ ଓ ତାଙ୍କ ପରିବାର । ସେପଟେ ଉଚିତ ନ୍ୟାୟ ଯୋଗାଇ ଦେବା ପାଇଁ ପୁଲିସ ମଧ୍ୟ ଦୃଢ଼ ପ୍ରତିଶୃତି ଦେଇଛି । ଏଭଳି ଅଭାବନୀୟ ଘଟଣାକୁ ସମସ୍ତ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯିବା ସହ କଙ୍ଗାରୁ କୋର୍ଟ ଚଳାଇଥିବା ବ୍ୟକ୍ତିଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଆବଶ୍ୟକ ପଡ଼ିଲେ ଏ ନେଇ ଡିଜିପିଙ୍କୁ ସ୍ମାରକପତ୍ର ଦେବା ସହ ଏଭଳି ସାମାଜିକ ବ୍ୟାଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବହୁ ସ୍ୱେଚ୍ଛାସେବୀ ସଂଗଠନ ଚେତାବନୀ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଧାଇପୁର ଗ୍ରାମରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ରହିଥିବା ସରକାରୀ ରାସ୍ତା ଉପରେ କୋଠଘର ନିର୍ମାଣ ପାଇଁ ଗାଁ କମିଟି ନିଷ୍ପତି ନେଇଥିଲା । ତେବେ ଏଭଳି ନିର୍ମାଣ ହେଲେ ସୁଧାଂଶୁ ଚରଣ ସାହୁଙ୍କ ପରିବାର ଘରୁ ବାହାରିବା ପାଇଁ ସମସ୍ୟା ହେବ ଅଭିଯୋଗ କରି ଏହାକୁ ବିରୋଧ କରିଥିଲେ । ଏପରିକି ଗାଁଲୋକଙ୍କ ମନଇଚ୍ଛା କାମକୁ ସେ ବିରୋଧ କରିବା ଯୋଗୁଁ ଉତ୍ୟକ୍ତ ଗାଁ କମିଟି ସେଠାରେ ଏକ କଙ୍ଗାରୁ କୋର୍ଟ ଡକାଇ ସେମାନଙ୍କୁ ନିଆଁପାଣି ବାସନ୍ଦ କରିଥିଲେ । ତେବେ ଗାଁ ମୁରବୀଙ୍କ ମନଇଚ୍ଛା ନିଷ୍ପତ୍ତି ପ୍ରତିବାଦରେ ଶ୍ରୀ ସାହୁ ଥାନାର ଦ୍ୱାରସ୍ଥ ହେବା ସହ ଉଚିତ ନ୍ୟାୟ ସହ ପରିବାରର ସୁରକ୍ଷା ପାଇଁ ପୁଲିସର ଶରଣାପନ୍ନ ହୋଇଛନ୍ତି । ତେବେ ତାଙ୍କ ପରିବାରକୁ ତୁରନ୍ତ ସୁରକ୍ଷା ଦେବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି ।