ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି

ଆଇନ ସେବା ଭବନ ଉଦ୍‌ଘାଟନ ସମାରୋହରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି
‘ବିଚାର ବ୍ୟବସ୍ଥା ପିପୁଲ ଫ୍ରେଣ୍ଡଲି ହେବା ଜରୁରୀ’


କଟକ(ଏନ୍‌.ଏମ୍‌.): ଦେଶ ସ୍ୱାଧୀନତାରେ ୭୪ବର୍ଷ ପରେ ବି’ ଅନେକ ଲୋକ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବାକୁ ପସନ୍ଦ ନକରି ପୁରୁଣାକାଳିଆ ଜୀବନ ବଞ୍ଚିବାକୁ ଭଲ ପାଉଛନ୍ତି । ସେହିପରି ଭାରତୀୟ ଆଇନର ଭାଷା ସାଧାରଣ ଲୋକଙ୍କ ପକ୍ଷେ ବୁଝିବା କଷ୍ଟକର । ଏଥିସହ ଭାରତୀୟ ବିଚାର ବ୍ୟବସ୍ଥା ଯେଭଳି ରହିଛି ସେଥିରେ ଜଣେ ସାଧାରଣ ଲୋକ ଆଇନକୁ ଆଶ୍ରା କରି ଶେଷ ପର୍ଯ୍ୟନ୍ତ ରହିପାରୁ ନାହିଁ । ଫଳରେ ଆଇନ ବ୍ୟବସ୍ଥା ମଧ୍ୟରୁ ସେ ନିଜକୁ ଜଣେ ବାହାର ଲୋକ ବୋଲି ବିଚାର କରୁଛି । ତେଣୁ ଭାରତର ବିଚାର ବ୍ୟବସ୍ଥା ଏପରି ହେବା ଦରକାର ଯାହା ସାଧାରଣ ଲୋକଙ୍କର ସାଥୀ(ପିପୁଲ ଫ୍ରେଣ୍ଡଲି) ହୋଇ ପାରୁଥିବ ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ତଥା ଜାତୀୟ ଆଇନସେବା ପ୍ରାଧିକରଣର ପାଟ୍ରନ୍‌-ଇନ୍‌-ଚିଫ୍ ଜଷ୍ଟିସ୍ ଏନ୍‌. ଭି ରମଣା ଆଇନ ସେବା ଭବନର ଉଦ୍‌ଘାଟନ ଅବସରରେ ମତବ୍ୟକ୍ତ କରିଛନ୍ତି ।
ରାଜ୍ୟ ଆଇନସେବା ପ୍ରାଧିକରଣର ନୂତନ ଭବନ ‘ଆଇନ ସେବା ଭବନ’ର ଉଦ୍‌ଘାଟନ ପରେ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟାନ୍ୟ ବିଚାରପତିମାନେ ଯୋଗ ଦେଇଥିଲେ । ଏହି ଉଦ୍‌ଘାଟନୀ ସମାରୋହରେ ପ୍ରଧାନ ବିଚାରପତି ଶ୍ରୀ ରମଣା କହିଲେ ଯେ, ସାଧାରଣ ଲୋକଙ୍କର ଏକ ବଦ୍ଧମୂଳ ଧାରଣା ରହିଛି କୋର୍ଟ ଆଇନ ତିଆରି କରନ୍ତି । ଏଭଳି ଏକ ଭୁଲ୍ ଧାରଣା ଦୂରହେବା ହେବା ଆବଶ୍ୟକ । ଆଇନ ତିଆରି କରିବାରେ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବ୍ୟବସ୍ଥାପିକା ଆଇନକୁ ଆଉ ଥରେ ପରଖିବା ଦରକାର । ସମୟ ଏବଂ ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇନରେ ସଂସ୍କାର ଅଣାଯିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଗୁରୁତ୍ୱରୋପ କରିଥିଲେ । ବାସ୍ତବତା ସହ ଆମ ଆଇନ ଖାପ୍‌ଖୁଆଇ ପାରୁଥିବା ଦରକାର । କାର୍ଯ୍ୟପାଳିକା ନିୟମରେ ସରଳୀକରଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉଭୟ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା ସମ୍ବିଧାନର ଆବଶ୍ୟକତା କ’ଣ ରହିଛି ତାହାକୁ ଦୃଷ୍ଟିରେ ରଖି ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ । ଯାହାଫଳରେ ବିଚାର ବ୍ୟବସ୍ଥା ଏକ ଆଇନ ତିଆରି ପାଇଁ ପଦକ୍ଷେପ ନନେଇ ଆଇନର ଉପଯୁକ୍ତ ତର୍ଜମା କରିପାରିବ । ଫଳରେ ସମ୍ବିଧାନର ଏହି ତିନି ମୁଖ୍ୟ ଅଙ୍ଗ ଯଦି ଠିକ୍ ଭାବେ କାର୍ଯ୍ୟ କରନ୍ତି ତାହେଲେ ବିଚାର ବ୍ୟବସ୍ଥାରେ ଯେଉଁ ପ୍ରତିବନ୍ଧକ ରହିଛି ତାହା ଦୂର ହୋଇପାରିବ ବୋଲି ଜଷ୍ଟିସ୍ ରମଣା ମତ ଦେଇଥିଲେ । ଜଷ୍ଟିସ୍ ରମଣା ‘ଆଇନ ନିକଟରେ ପହଞ୍ଚିବା’(ଆସେସ୍ ଟୁ ଜଷ୍ଟିସ୍‌) ସମ୍ପର୍କରେ ମତଦେଇ କହିଛନ୍ତି ଯେ, ଯେଉଁସବୁ ଆଇନ ସହାୟତା କେନ୍ଦ୍ର ରହିଛନ୍ତି ସେମାନେ ଗରିବମାନଙ୍କୁ ଆଇନ ସମ୍ପର୍କିତ ସହାୟତାର ହାତ ବଢାଇବା ଆବଶ୍ୟକ । ଯେଉଁମାନେ ବିଚାର ବ୍ୟବସ୍ଥା ବାହାରେ ରହି ଯାଉଛନ୍ତି ସେମାନଙ୍କୁ ଆଇନ ସମ୍ପର୍କିତ ସଚେତନ ମଧ୍ୟ କରିବା ଆବଶ୍ୟକ । ଯେତେବେଳେ ଜଣେ ସାଧାରଣ ଲୋକର ବିଚାର ବ୍ୟବସ୍ଥା ଉପରେ ବିଶ୍ୱାସ ବଢିବ ସେତେବେଳେ ଏହି ବ୍ୟବସ୍ଥା ସୁଦୃଢ ବୋଲି ଆମେ କହିପାରିବା । ଏ କ୍ଷେତ୍ରରେ ଉଭୟ ବାର୍ ଏବଂ ବେଞ୍ଚ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍ ବୋଲି ପ୍ରଧାନ ବିଚାରପତି ଉଲ୍ଲେଖ କରିଥିଲେ । ଯେଉଁ ରାଜ୍ୟରେ ଉଭୟ ଆର୍ଥିକ ଏବଂ ଆଞ୍ଚଳିକ କ୍ଷେତ୍ରରେ ଅଧିକ ଅସମାନତା ରହିଛି ସେଠି ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବାରେ ବାଧା ସୃଷ୍ଟି ହେଉଛି । ଓଡ଼ିଶା ଭଳି ରାଜ୍ୟରେ ୮୩.୩ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ସାଧାରଣ ବିଚାର ବ୍ୟବସ୍ଥା ବାହାରେ ରହି ଯାଉଛନ୍ତି । ତେଣୁ ଏ କ୍ଷେତ୍ରରେ ଆଇନ ସେବା ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତୀୟ ବିଚାର ବ୍ୟବସ୍ଥାରେ ଦୁଇଟି କଥା ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରଥମେ ହେଉଛି ଆମ ବିଚାର ବ୍ୟବସ୍ଥାକୁ ଭାରତୀୟତା ଭିତ୍ତିରି ପ୍ରସ୍ତୁତ କରିବା ଏବଂ ସାଧାରଣ ଲୋକଙ୍କୁ ବିଚାର ବ୍ୟବସ୍ଥାର ଭାଷା ବୁଝି ପାରିବା ଲାଗି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଏଥିରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରମଣା ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମନେ ପକାଇଥିଲେ । ଏହି ଅବସରରେ ସୁପ୍ରିମ୍‌କୋର୍ଟର ଅନ୍ୟତମ ବିଚାରପତି ତଥା ଜାତୀୟ ଆଇନସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ୟୁ.ୟୁ. ଲଳିତ ଏବଂ ବିଚାରପତି ଜଷ୍ଟିସ୍ ଭିନୀତ ଶରନ ମଧ୍ୟ ନିଜନିଜର ବକ୍ତବ୍ୟ ରଖିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍‌. ମୁରଲୀଧର ଓଡ଼ିଶାର ଜଣେ ହେଲେ ବି’ ଲୋକ ନ୍ୟାୟ ପାଇବାରୁ ଯେପରି ବଞ୍ଚିତ ନହୁଏ ସେଥିପାଇଁ ସେ, ତାଙ୍କର ସହଯୋଗୀ ବିଚାରପତି ଏବଂ ଆଇନସେବା ପ୍ରାଧିକରଣ ସବୁପ୍ରକାର ଚେଷ୍ଟା ଜାରି ରଖିବେ ବୋଲି ଦୃାଢୋକ୍ତି ପ୍ରକାଶ କରିଥିଲେ । ବିଚାର ବ୍ୟବସ୍ଥାରେ ଅଧିକରୁ ଅଧିକ ମହିଳା ବିଚାରପତିମାନେ ଯୋଡି ହୋଇଥିବାରୁ ଏହା ଏକ ଭଲ ସୂଚନା ବୋଲି ଜଷ୍ଟିସ୍ ମୁରଲୀଧର ପ୍ରକାଶ କରିଥିଲେ । ଏହି ଉଦ୍‌ଘାଟନ ପର୍ବପରେ ସମସ୍ତ ବିଚାରପତି ହାଇକୋର୍ଟ ପରିଦର୍ଶନରେ ଯାଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି