ଅସରାଏ ବର୍ଷାରେ ମଧୁବନ କ୍ରୀଡାଙ୍ଗନ ପାଲଟୁଛି ଜଳାଶୟ
#ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ମଧୁବନ ମିନିଷ୍ଟାଡିୟମ ପରିସରରେ ବର୍ଷା ହେଲେ ପାଣି ଜମି ରହୁଛି । ଏପରିକି ଅଦିନିଆ ଲଗାଣ ବର୍ଷାର ପ୍ରଭାବରେ କ୍ରୀଡାଙ୍ଗନ ପରିସର ଜଳାର୍ଣ୍ଣବ ହୋଇ ଉଠୁଥିବାରୁ କ୍ରୀଡାବିତ୍ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବର୍ଷତମାମ ମଧୁବନ ମିନଷ୍ଟାଡିୟମ ପରିସରରେ କ୍ରୀଡା ପ୍ରତିଯୋଗୀତା ଠାରୁ ଆରମ୍ଭକରି ମେଳା, ମହୋତ୍ସବ, ସାଧାରଣତନ୍ତ୍ର ଓ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । ରାଜରାଜୁଡା ଅମଳରୁ ପ୍ରତିଷ୍ଠିତ ଏହି କ୍ରୀଡାଙ୍ଗନଟି ମିନିଷ୍ଟାଡିୟମର ମାନ୍ୟତା ପାଇବା ପରେ ଖଣ୍ଡପଡା ତହସିଲ ପ୍ରଶାସନ ଓ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଏଠାରେ ଅନେକ କିଛି ବିକାଶମୂଳକ କାର୍ଯ୍ୟ କରାଯାଇଛି । ଏପରିକି ମୁକ୍ତା ଯୋଜନାରେ ଲକ୍ଷଲକ୍ଷ ଟଙ୍କା ବ୍ୟୟ କରାଯାଇ ମଧୁବନ କ୍ରୀଡାଙ୍ଗନର ପାରିପାର୍ଶ୍ୱିକ ଉନ୍ନତିକରଣ କାର୍ଯ୍ୟ ଏନଏସି କାର୍ଯ୍ୟାଳୟ ପକ୍ଷରୁ ଚାଲୁ ରହିଛି । ମାତ୍ର କ୍ରୀଡାଙ୍ଗନର ମଧ୍ୟ ଭାଗ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ସାମାନ୍ୟ ଖାଲୁଆ ଯୋଗୁଁ ବର୍ଷାଜଳ ଜମି ରହି ଦୁରରୁ ଜଳାଶୟ ପରି ପ୍ରତୀୟମାନ ହେଉଛି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ନଚେତ ଆଗାମୀ ବର୍ଷା ଋତୁରେ ମଧୁବନ ମିନିଷ୍ଟାଡିୟମ ପରିସର ଏକ ଜଳାଶୟରେ ପରିଣତ ହେବାର ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ନୟାଗଡ ଜିଲ୍ଲାପାଳ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଖଣ୍ଡପଡା ସହରବାସୀ ଦାବି କରିଛନ୍ତି ।