ଅପରାଧ ବିଧି ବିଜ୍ଞାନାଗାରର ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍ଘାଟିତ
ଭୁବନେଶ୍ୱର(ଏନ୍.ଏମ୍.): ରସୁଲଗଡରେ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ଏକ ନୂତନ ଅତ୍ୟାଧୁନିକ ଅଟ୍ଟାଳିକା ଉଦ୍ଘାଟିତ ହୋଇଯାଇଛି । ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଅଟ୍ଟାଳିକାକୁ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ସି.ଆଇ.ଡି., ସିବି, ଅତିରିକ୍ତ ପୁଲିସ ମହା ନିର୍ଦ୍ଦିଶକ ସଂଜୀବ ପଣ୍ଡା, ରାଜ୍ୟ ଅପରାଧ ନଥି ସଂସ୍ଥାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରର ନିର୍ଦ୍ଦେଶକ ତଥା ପୁଲିସ ମହାନିରୀକ୍ଷକ ରାଜେଶ କୁମାର, ପୁଲିସ ଅଧିକ୍ଷକ, କମ୍ପ୍ୟୁଟର, ଡକ୍ଟର ସତ୍ୟଜିତ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଦ୍ୱାରା ନିର୍ମିତ ଏହି ୪-ତାଲା ବିଶିଷ୍ଟ ବିଜ୍ଞାନାଗାରରେ ଅତ୍ୟାଧୁନିକ ଅପରାଧ ବିଧି ବିଜ୍ଞାନାଗାର ର ସମସ୍ତ ସୁବିଧା ଉପଲବ୍ଧ ରହିଛି । ମାନବ ସମ୍ବଳ ଓ ଯନ୍ତ୍ରପାତି ଦୃଷ୍ଟିକୋଣରୁ ଓଡିଶା ଅପରାଧ ବିଧି ବିଜ୍ଞାନାଗାର ଭାରତ ବର୍ଷର ଅଗ୍ରଣୀ ବିଜ୍ଞାନାଗାରମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ବିଜ୍ଞାନାଗାର କାର୍ଯ୍ୟକ୍ଷମ ହେବା ଫଳରେ ଉକ୍ତ ବିଜ୍ଞାନାଗାରରେ ପୂର୍ବରୁ ରହିଥିବା ସ୍ଥାନ ଅଭାବର ସମସ୍ୟା ଦୂର ହୋଇଛି ଏବଂ ବୈଜ୍ଞାନିକ ମାନଙ୍କୁ କାର୍ଯ୍ୟ କରିବା ପାଇଁ ଏକ ସୁସ୍ଥ ଅନୁକୂଳ ବାତାବରଣ ମିଳିପାରିଛି ।