ଅଞ୍ଚଳବାସୀଙ୍କ ବିରୋଧ ସତ୍ତ୍ୱେ ଟାୱାର ନିର୍ମାଣ: କୁହୁଳୁଛି ଅସନ୍ତୋଷ
କଟକ(ଏନ୍.ଏମ୍.): ଅଞ୍ଚଳବାସୀଙ୍କ ବିରୋଧ ତଥା ପ୍ରଶାସନିକ ନିର୍ଦ୍ଦେଶ ସତ୍ତ୍ୱେ ବେଆଇନ ଭାବେ ଟାୱାର ନିର୍ମାଣକୁ ନେଇ ଅସନ୍ତୋଷ କୁହୁଳୁଛି । ସ୍ଥାନୀୟ ମଙ୍ଗଳାବାଗ ନୂଆପାଟଣା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ଛାତ ଉପରେ ରିଲାଏଲ୍ସ ଜିଓ ଟାୱାର ନିର୍ମାଣ କରୁଛି । ତେବେ ଏହି ଟାୱାର ଜନବସତି ଭିତରେ ରହିବା ଦ୍ୱାରା ଝଡ଼ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କାରେ ଅଞ୍ଚଳବାସୀ ଏହାକୁ ବିରୋଧ କରିଛନ୍ତି । ଏପରିକି ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ କଟକ ମହାନଗର ନିଗମ(ସିଏମସି) କମିଶନର ମଧ୍ୟ ୨୦୨୧ ଅଗଷ୍ଟ ୫ତାରିଖରେ ଚିଠି ନମ୍ବର ୭୧୭୭ରେ ଷ୍ଟାଣ୍ଡିଂ ଅର୍ଡ଼ର ଦେଇଥିଲେ । ନିର୍ଦ୍ଦେଶନାମା ଅନୁଯାୟୀ ନୂଆପାଟଣା ପ୍ଲଟ ନମ୍ବର ୧୪୦୫ରେ ରିଲିଆନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଏହି ଟାୱାର ନିର୍ମାଣ କରାଯାଉଥିବାବେଳେ ଅଞ୍ଚଳବାସୀଙ୍କ ବିରୋଧ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତିକ୍ଷତି ବଢ଼ାଇବା ଆଶଙ୍କା ରହିଛି । ତେଣୁ ଏ ନେଇ ସିଏମସି ଓ ଆରଏଣ୍ଡବି ପକ୍ଷରୁ ଯୁଗ୍ମ ତଦନ୍ତ କମିଟି ଏହାର ଅନୁସନ୍ଧାନ କରିବା ପରେ ନିର୍ମାଣ ଉପରେ ନିଷ୍ପତ୍ତି ନିଆଯିବାକୁ କୁହାଯାଇଥିଲା । ଏହାର ଏକକିତା ନକଲ ମଧ୍ୟ କଟକ ଡିସିପି, ମଙ୍ଗଳାବାଗ ଆଇଆଇସି ଓ ସିଏମସି ଏନଫୋର୍ସମେଣ୍ଟ ବିଭାଗକୁ ଦିଆଯାଇଥିଲା । ହେଲେ କମ୍ପାନୀ କର୍ତ୍ତୃପକ୍ଷ ସିଏମସି କମିଶନରଙ୍କ ଏହି ନିର୍ଦ୍ଦେଶନାମାକୁ ଅଣଦେଖା କରି ସରକାରୀ ଛୁଟି ଦିନମାନଙ୍କରେ କାମ କରାଉଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ତେବେ ଅଞ୍ଚଳବାସୀ ପୁନର୍ବାର ସିଏମସି କମିଶନରଙ୍କୁ ଭେଟିବାରୁ ପରଦିନ ସିଏମସି ଏନଫୋର୍ସମେଣ୍ଟ ଟିମ କାମକୁ ତଦାରଖ କରିବା ସହ ବନ୍ଦ କରାଇ ସ୍ଥାନୀୟ ମଙ୍ଗଳାବାଗ ଥାନାକୁ ଅବଗତ କରାଇଥିଲେ । ହେଲେ ଉକ୍ତ ସଂସ୍ଥା ଗତକାଲି ସପ୍ତାହନ୍ତ ସର୍ଟଡାଉନର ସୁଯୋଗ ନେଇ ଟାୱାର କାମ ପୁଣି କରିବା ଦ୍ୱାରା ଅଞ୍ଚଳବାସୀ ବିରୋଧ କରିଥିଲେ । ଯାହା ସିଏମସିର ନିର୍ଦ୍ଦେଶନାମାକୁ ଅବମାନନା କରି ସଂସ୍ଥା ପକ୍ଷରୁ ପ୍ରାୟ ୮୦ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ କରିଦେଇଛନ୍ତି । ତେବେ ଏ ନେଇ ସିଏମସି କମିଶନର ଖବର ପାଇବା ପରେ ସିଏମସି ଏନଫୋର୍ସମେଣ୍ଟ ଟିମକୁ ପୁନର୍ବାର କ୍ଷେତ୍ର ପରିଦର୍ଶନ ପାଇଁ ପଠାଇ କାମ ବନ୍ଦ କରିଥିଲେ । ଏ ନେଇ ଅଞ୍ଚଳବାସୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ସମ୍ପୃକ୍ତ ସଂସ୍ଥାର କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଟାୱାର ନିର୍ମାଣ କରିବା ନେଇ ଅସନ୍ତୋଷ କୁହୁଳୁଥିବାବେଳେ ଆଗାମୀ ଦିନରେ ଏହାକୁ ନେଇ ଏକ ବିସ୍ପୋରଣ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଅଞ୍ଚଳବାସୀ ସ୍ଥାନୀୟ ଥାନାକୁ ଅବଗତ କରିଥିଲେ ମଧ୍ୟ ପୁଲିସ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ । ତେଣୁ ଏହାର ସୁଯୋଗ ନେଇ ଟାୱାର ନିର୍ମାଣ କରୁଥିବା ସଂସ୍ଥା ସ୍ଥାନୀୟ ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ହାତରେ ରଖି ଅଞ୍ଚଳବାସୀଙ୍କୁ ନାଲିଆଖି ଦେଖାଇ ଟାୱାର ନିର୍ମାଣ କରାଉଥିବା ଅଭିଯୋଗ ଉଠିଛି । ତେବେ ଟାୱାର ନିର୍ମାଣ କ୍ଷେତ୍ରରେ ସ୍ଥାନୀୟ ଥାନା ଅଧିକାରୀଙ୍କ ସହଯୋଗ ରହୁଥିବାରୁ ସଂସ୍ଥା ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା କୁହାଯାଉଛି । ଏହାର ବିଧିବଦ୍ଧ ତଦନ୍ତ କରାନଗଲେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟିହେବ ସେଥିପାଇଁ କଟକ କମିଶନରେଟ ପୁଲିସ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏହି ଟାୱାର ନିର୍ମାଣ ନକରିବା ପାଇଁ ଅଞ୍ଚଳର ତପନ କୁମାର ସାହୁ, ଶଙ୍କର କୁମାର ସାହୁ, କାଳନ୍ଦୀ ସାହୁ, ଶିବକୁମାର ସାହୁ, ସୁମିତ୍ରା ସାହୁ, ଅଞ୍ଜନ ବେହେରା, ସୁଧାଂଶୁ ଶେଖର ବେହେରା, ହରେକୃଷ୍ଣ ବେହେରା, ବିବେକାନନ୍ଦ ନାୟକ, ମନିଷା ସାହୁ ପ୍ରମୁଖ ସିଏମସି କମିଶନରଙ୍କୁ ନିବେଦନ କରିଛନ୍ତି ।