ସୁପ୍ରିମକୋର୍ଟରେ ଆବେଦନ ଖାରଜ: ପୁରୀ ଛଡ଼ା ଅନ୍ୟ କେଁଉଠି ହେବନି ରଥଯାତ୍ରା


ନୂଆଦିଲ୍ଲୀ(ଏଜେନ୍ସି): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ନିର୍ଦ୍ଦେଶ ଦେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍‌.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ରାୟ ଦେବା ଅବସରରେ ଜଷ୍ଟିସ୍ ରମନ୍ନା କହିଥିଲେ, ଏମିତି କରିବାକୁ ମୋତେ ଭଲ ଲାଗୁନି । କିନ୍ତୁ ଆମେ ନାଚାର । ଆସନ୍ତା ବର୍ଷ ଭଗବାନ ରଥଯାତ୍ରା ପାଇଁ ଅନୁମତି ଦେବେ ବୋଲି ଆଶା କରୁଛୁ । ପୂର୍ବରୁ ଏ ସମ୍ପର୍କିତ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଥିଲେ । ଏହାପରେ ଆବେଦନକାରୀମାନେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ଦେଇ ନାହାନ୍ତି । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା । କେନ୍ଦ୍ରାପଡ଼ା, ବାରିପଦା ନୀଳଗିରି ଓ ଭଟଲି ଆଦି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା । ତେବେ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ କରୋନା ସଂକ୍ରମଣ ଦୃଷ୍ଟିରୁ ବହୁ କଟକଣା ରଖାଯାଇଛି । ଗତ ବର୍ଷ ଭଳି ଚଳିତ ବର୍ଷ ବି ଏଠାରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ହେବ । ସେବାୟତମାନଙ୍କର ଏକାଧିକ ଥର କରୋନା ଟେଷ୍ଟ ହେବ । ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିବ, ସେମାନେ କେବଳ ଏଥିରେ ସାମିଲ ହୋଇପାରିବେ । ସେହିପରି ରଥଯାତ୍ରା ସମୟରେ ପୂରା ପୁରୀ ସହରରେ ୧୪୪ ଧାରା ଜାରି ହେବ । ବାହାରୁ ଏଠାକୁ କେହି ଲୋକ ଆସିବେନି କି ପୁରୀ ଲୋକ ଏଥିରେ ସାମିଲ ହେବେ ନାହିଁ । ଏମିତିକି ବଡ଼ଦାଣ୍ଡରେ ଦୁଇ ପାର୍ଶ୍ୱରେ ଥିବା ଘର, ଧର୍ମଶାଳା, ହୋଟେଲ୍ ଆଦିର ଛାତ ଉପରୁ କେହି ରଥଟଣା ଦେଖି ପାରିବେ ନାହିଁ । ରଥଯାତ୍ରାର ଦୁଇ ଦିନ ପୂର୍ବରୁ ବଡ଼ଦାଣ୍ଡରେ ଥିବା ହୋଟେଲ୍ ଓ ଲଜ୍ ଗୁଡ଼ିକୁ ଖାଲି କରି ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କେବଳ ଆବଶ୍ୟକୀୟ ସେବାୟତ ଓ ପୁଲିସ କର୍ମଚାରୀଙ୍କୁ ନେଇ ଯଥାବିଧି ରଥ ଯାତ୍ରା ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *