ସରକାରଙ୍କ ସ୍ୱଚ୍ଛତାକୁ ଫୁ… ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ

ସରକାରଙ୍କ ସ୍ୱଚ୍ଛତାକୁ ଫୁ…
ମନରେଗା କାଯ୍ୟରେ ଦୁର୍ନୀତି ଅଭିଯୋଗ

News by Biswajit Dalai (Salepur)

ନିଶ୍ଚିନ୍ତକୋଇଲି (ଏନ୍‌.ଏମ୍‌.): ରାଜ୍ୟ ସରକାର ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପଦକ୍ଷେପ ନେଇଛନ୍ତି । ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଫାଇପ-ଟି ବିଭାଗ ମଧ୍ୟ ଖୋଲାଯାଇଛି । ହେଲେ କିଛି ଦୁର୍ନୀତିଖୋର ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରଙ୍କ ଏଭଳି ବ୍ୟବସ୍ଥା ଧର୍ମକୁ ଆଖିଠାର ସାବ୍ୟସ୍ତ ହୋଇଛି । ଫଳରେ ରାଜ୍ୟସରକାର ମଧ୍ୟ ନିନ୍ଦିତ ହେଉଥିବା ଅଭିଯୋଗ ଉଠିଛି । ଏ ନେଇ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ (ମନରେଗା)ରେ ବ୍ୟାପକ ଦୁର୍ନୀତି ହୋଇଥିବା ସାମାଜିକ କର୍ମୀ ବିଭୂତିଭୂଷଣ ଦ୍ୱିବେଦୀ ଗୁରୁତର ଅଭିଯୋଗ ଆଣିଛନ୍ତି । ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ଲାଗି ସାମ୍ବାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି । ଶ୍ରୀ ଦ୍ୱିବେଦୀଙ୍କ ଅଭିଯୋଗ ଅନୁଯାୟୀ, ନେମାଳ ପଞ୍ଚାୟତରେ ୨୦୨୨-୨୩ ଆର୍ôଥକ ବର୍ଷର ମନରେଗାରେ କାର୍ଯ୍ୟ ହୋଇଥିବାବେଳେ ଏହି ଯୋଜନାର ସମସ୍ତ ନିୟମକୁ ଉଲ୍ଲଙ୍ଘନ କରାଯାଇଛି । ସରକାର ଜବ୍‌କାର୍ଡ଼ ମାଧ୍ୟମରେ ଗରିବ ଲୋକମାନଙ୍କୁ କାମ ଦେବା ପାଇଁ ଯେଉଁ ସଂକଳ୍ପ ନେଇଥିଲେ ଏଠାରେ କିଛି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଯୋଗୁଁ ତାହା ଦିଗହରା ହେବାରେ ଲାଗିଛି । ଜବକାର୍ଡ଼ଧାରୀଙ୍କ ବଦଳରେ ରାତାରାତି ମେସିନ୍‌ରେ କାମ କରାଯିବା ସହ ଟ୍ରାକ୍ଟର ବ୍ୟବହାର କରାଯାଇଛି । ଏଥିସହିତ ଉକ୍ତ ପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ୍ କରାଯାଇଥିବା ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଅମ୍ବୁସ୍ ମ୍ୟାନ ଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ଏପରିକି ଏହି ପ୍ରକଳ୍ପ କାର୍ଯ୍ୟ ଦିନ ବଦଳରେ ରାତିରେ କାମ କରାଯିବାର ଭିଡିଓ ଓ ଫଟୋ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ଏହା ଉପରେ ସ୍ୱଚ୍ଛତା ମୂଳକ ତଦନ୍ତ ନକରି ଏକତରଫା ଯାଞ୍ଚ କରି ଅଧିକାରୀମାନେ ଚାଲିଯାଇଥିବା ଅଞ୍ଚଳବାସୀଙ୍କୁ ଚକିତ କରିଛି । ପ୍ରବଳ ବର୍ଷା ହେଉଥିବାବେଳେ ଅଧିକାରୀ ମାନେ ଦୁର୍ନୀତି ହୋଇଥିବା ପ୍ରକଳ୍ପ ତଦାରଖ କରିବାକୁ ଆସିଥିଲେ; ମାତ୍ର ଏ ନେଇ ଅଭିଯୋଗ କରିଥିବା ସ୍ଥାନୀୟ ବାସିନ୍ଦା କିମ୍ବା ଜବ୍ କାର୍ଡ ଧାରୀମାନଙ୍କୁ ଘଟଣା ସ୍ଥଳକୁ ଡାକି ଏହାର ସତ୍ୟାସତ୍ୟ ନପରଖି କାମ କରୁଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରି ଚାଲିଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଥିବା ଶ୍ରୀ ଦ୍ୱିବେଦୀ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ତେଣୁ ମନରେଗା ଯୋଜନାରେ ହୋଇଥିବା ଦୁର୍ନୀତିର ପୁନଃ ତଦନ୍ତ ପାଇଁ ଦାବି ହୋଇଛି । ଯଦି ପ୍ରଶାସନ ଏଥିରେ ଟାଳଟୁଳନୀତି ଅବଲମ୍ବନ କରନ୍ତି ତାହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *