ମୋ ସ୍କୁଲ ଅଭିଯାନ: ୨୩ଟି ଜିଲ୍ଲାରେ ୧୭ କୋଟି ୭୯ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ


ଭୁବନେଶ୍ୱର (ଏନ୍‍.ଏମ୍‍.): ‘ମୋ ସ୍କୁଲ୍ ଅଭିଯାନ’ର ୩୦ତମ କାର୍ଯ୍ୟର୍ନିବାହୀ ପରିଷଦ ବୈଠକ ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ୍ ମୋଡ୍‌ରେ ଆୟୋଜିତ ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଗତ ୧ ମାସ ମଧ୍ୟରେ ୯ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ ସହ ଯୋଡ଼ି ହୋଇଥିବାବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୪ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୧ କୋଟି ୯୦ ଲକ୍ଷ, ବଲାଙ୍ଗୀରରେ ୨୩ ଲକ୍ଷ ୨୦ ହଜାର, କଟକରେ ୧୯ ଲକ୍ଷ ୨୬ ହଜାର, ଢେଙ୍କାନାଳରେ ୧୬ ଲକ୍ଷ ୫୭ ହଜାର ଏବଂ ଯାଜପୁରରେ ୧୪ ଲକ୍ଷ ୩୪ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ୬ ଲକ୍ଷ ୧୬ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ୍ ଅଭିଯାନ’ରେ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷରେ ବିଭିନ୍ନ ସିଏସ୍‌ଆର ପାଣ୍ଠିରୁ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ‘ମୋ ସ୍କୁଲ୍ ଅଭିଯାନ’କୁ ୧ କୋଟି ୬୬ ଲକ୍ଷ ୫୦ ହଜାର ଟଙ୍କାର ଅନୁଦାନ ଆସିଛି । ପୁରାତନ ଛାତ୍ରଛାତ୍ରୀ ଏବଂ ସିଏସ୍‌ଆର ପାଣ୍ଠି ଅନୁଦାନ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ôଥକ ସହାୟତାକୁ ମିଶାଇ ମୋଟ ୧୭ କୋଟି ୭୯ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟର୍ନିବାହୀ ପରିଷଦ ଅନୁମୋଦନ ପ୍ରଦାନ କରିଛି । ବାଲେଶ୍ୱର ଜିଲ୍ଲାରେ ଚଳିତଥର ମଧ୍ୟ ପୁରାତନ ଛାତ୍ରଛାତ୍ରୀମାନେ ସର୍ବାଧିକ ଆର୍ôଥକ ଅନୁଦାନ ପ୍ରଦାନ କରିଛନ୍ତି । ଏହି ଜିଲ୍ଲାରେ ‘ମୋ ସ୍କୁଲ୍ ଅଭିଯାନ’କୁ ବିପୁଳ ସମର୍ଥନ ମିଳିଥିବାବେଳେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମୋ ସ୍କୁଲ୍ ଅଭିଯାନ’ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ପ୍ରଚେଷ୍ଟା ଜାରି ରହିଛି । ‘ମୋ ସ୍କୁଲ୍ ଅଭିଯାନ’ ଅନ୍ତର୍ଗତ ସ୍କୁଲ୍ ଆଡପ୍‌ଶନ୍ ବା ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଇତିମଧ୍ୟରେ ୭୮୩ ସ୍କୁଲ୍‌ରେ ମେଣ୍ଟର, ପୁରାତନ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକମାନଙ୍କୁ ନେଇ ଭର୍ଚୁଆଲ୍ ବୈଠକର ଆୟୋଜନ କରାଯାଇଛି । ଏବେସୁଦ୍ଧା ୧୩୨୯ ଜଣ ମେଣ୍ଟର ରାଜ୍ୟର ୧୩୬୪ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି । ରାଜ୍ୟ ସରକାରଙ୍କ ‘୫-‘ଟି’- ହାଇସ୍କୁଲ୍ ଟ୍ରାନ୍ସଫର୍ମେଶନ କାର୍ଯ୍ୟକ୍ରମ’ର ୨ୟ ପର୍ଯ୍ୟାୟରେ ମୋଟ ୩୩୬୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଏଥିଲାଗି ଆବଶ୍ୟକ ଆର୍ôଥକ ସହାୟତା ତୁରନ୍ତ ଯୋଗାଇଦେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି । ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ଏକ ଆଡ୍‌ଭାଇଜରୀ ତଥା ପରାମର୍ଶନାମା ଜାରି କରାଯାଇଛି । ଭିତ୍ତିଭୂମି ବିକାଶ ସହ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଇ-ଲାଇବ୍ରେରୀ ଏବଂ ସାଇନ୍ସ ଲାବୋରୋଟୋରୀର ପରିଚାଳନା ପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ଭାବରେ ତାଲିମ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଡିଜିଟାଲ୍ କ୍ଷେତ୍ର୍ରରେ ଦକ୍ଷତା ବିକାଶ ଲାଗି ଏବେ ସୁଦ୍ଧା ଅଧିକାଂଶ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲାର ୪୭୨ ସ୍କୁଲର ୧୦୦୪ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଡିଜିଟାଲ ସ୍କିଲ୍ କ୍ଷେତ୍ରରେ ପ୍ରଶିକ୍ଷିତ କରାଯାଇଛି । ଆଗାମୀ ଦିନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ବନ୍ଦ ଥିବାବେଳେ ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବଜାୟ ରଖିବା ଏବଂ ସେମାନଙ୍କୁ ପୁସ୍ତକ ପ୍ରତି ପୁଣିଥରେ ଆକୃଷ୍ଟ କରିବାକୁ ‘ମୋ ସ୍କୁଲ୍‌’ ପକ୍ଷରୁ ଆୟୋଜିତ ହେଉଥିବା ଲର୍ଣ୍ଣିଂ କ୍ୟାମ୍ପ୍ ଏବେ ସୁଦ୍ଧା ୧୬ଟି ଜିଲ୍ଲାର ୧୧୫୧ ସେଣ୍ଟରରେ ଆୟୋଜିତ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ୩୦ଟି ଜିଲ୍ଲାର ୩୮୪୯ଟି ସେଣ୍ଟରରେ ଏହି କ୍ୟାମ୍ପ୍‌ର ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ପ୍ରୋଜେକଫ ମନିଟରିଂ ଓ ଅଡିଟ୍ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ସ୍ୱତନ୍ତ୍ର ଅଡିଟ୍ ଟିମ୍ ଦ୍ୱାରା ଏହା ମଧ୍ୟରେ ୧୩ଟି ଜିଲ୍ଲା ଏବଂ ୨୨୭ଟି ସ୍କୁଲ୍ ଆକାଉଣ୍ଟର ଅଡିଟ୍ କରାଯାଇଛି । ଆଗାମୀ ଦିନରେ ୩୦ ପ୍ରତିଶତ ପ୍ରକଳ୍ପ ବିଦ୍ୟାଳୟର ଆକାଉଣ୍ଟ୍ ଅଡିଟ୍ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *