News by Ajit Kumar Mallick (Konark)

ଓଡ଼ିଶା ମିଡ଼ିଆ ଆୱାର୍ଡ଼ ୨୦୨୨ ସମାରୋହ:୧୫ଟି ବର୍ଗରେ ୧୮ ଜଣ ସମ୍ମାନିତ
‘ପ୍ରଗତିଶାଳୀ ସାମ୍ବାଦିକ ମାନେ ହିଁ ସାମାଜର ଜାଗ୍ରତ ପ୍ରହରୀ’

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ନମସ୍କାର କମ୍ୟୁନିଟି ମିଡ଼ିଆ ନେଟୱର୍କ ଏବଂ ୟଙ୍ଗ ଇଣ୍ଡିଆ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସଠାରେ ଓଡ଼ିଶା ମିଡିଆ ଆୱାର୍ଡ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଓଡିଶାରେ ସାମ୍ବାଦିକତାର ମୂଲ୍ୟବୋଧ, ଗୁଣାତ୍ମକ ମାନ, ନୂତନ ପରୀକ୍ଷା ନିରୀକ୍ଷା, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଅଙ୍ଗୀକାର, ନୂତନ ପ୍ରତିଭା ତଥା ସାମଗ୍ରିକ ଭାବେ ଗୁଣାତ୍ମକ ଅବଦାନକୁ ଲୋକଲୋଚନକୁ ଆଣିବା ପାଇଁ ଓଡିଶା ମିଡିଆ ସମିଟ୍ ଓ ଓଡିଶା ମିଡିଆ ଆୱାର୍ଡ ଏକ ଗଠନାତ୍ମକ ପ୍ରୟାସ । ରାଜ୍ୟରେ ଲୋକାଭିମୁଖି ସାମ୍ବାଦିକତାକୁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ ପୂର୍ବକ କିଛି ସାମ୍ବାଦିକ ତଥା ପ୍ରତିବଦ୍ଧ ସମାଜସେବୀଙ୍କ ଦ୍ୱାରା ୨୦୧୫ ମସିହାରୁ ଏତାଦୃଶ ପରିକଳ୍ପନା କରାଯାଇଛି । ଲୋକଙ୍କ ସମସ୍ୟାକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ଖବର ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଆଣିବା ସହ ସେଗୁଡ଼ିକର ସମାଧାନ ପାଇଁ ପ୍ରୟାସ କରିଥିବା ସାମ୍ବାଦିକ ଏବଂ ଗଣମାଧ୍ୟମ ସଦସ୍ୟଙ୍କୁ ସମ୍ମାନିତ ଏବଂ ଉତ୍ସାହିତ କରିବା ତଥା ସାମ୍ବାଦିକତାର ବିଭିନ୍ନ ଦିଗ ଓ ପ୍ରଚଳିତ ଧାରା ଉପରେ ଆଲୋଚନା ଏହାର ଲକ୍ଷ୍ୟ ବୋଲି ଆୟୋଜକ ସଂସ୍ଥା ନମସ୍କାର କମ୍ୟୁନିଟି ମିଡ଼ିଆ ନେଟୱର୍କର ମୁଖ୍ୟ ଏନ୍‌.ଏ. ଶାହା ଅନସାରୀ କହିଛନ୍ତି । ଚଳିତ ବର୍ଷର ଓଡିଶା ମିଡ଼ିଆ ଆୱାର୍ଡ ୨୦୨୨ରେ ବିରୁପାକ୍ଷ ତ୍ରିପାଠୀଙ୍କୁ ଏଡ଼ିଟର ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା । ବିରଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ଏବଂ ରବି ଦାସଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଆଜୀବନ ଯୋଗଦାନ ପାଇଁ ସମ୍ମାନିତ କରାଯାଇଥିଲା । ଏଥିସହିତ ସ୍ତମ୍ଭକାର ଅଶୋକ ସାହୁ, ସମ୍ବାଦ ପାଠିକା ସୁପ୍ରିୟା ଦାସ, କାର୍ଟୁନିଷ୍ଟ ଦେବାଶିଷ ସିଂ, ଶତରୂପା ସାମନ୍ତରାୟ, ଆଲୋକ କୁମାର ପତି, ଲକ୍ଷ୍ମୀନାରୟଣ କାନୁନଗୋ, ବିନୟଭୂଷଣ ପଟ୍ଟନାୟକ, ସନ୍ତୋଷ ମହାପାତ୍ର, ରଞ୍ଜନ ରଥ, ବିଦେଶିନୀ ପଟେଲ, ଶ୍ରେଷ୍ଠ ମିଡିଆ ଅନୁଷ୍ଠାନ ପାଇଁ ଜାଭିୟର ବିଶ୍ୱବିଦ୍ୟାଳୟ, ଶ୍ରେଷ୍ଠ ଗୋଷ୍ଠୀ ବେତାର କାର୍ଯ୍ୟକ୍ରମ ପାଇଁ ରେଡିଓ ସୁରଭିର ‘ଶିକ୍ଷା ସୁରଭି’, ଫଟୋ ସାମ୍ବାଦିକ ଅରବିନ୍ଦ ମହାପାତ୍ର, ବେଷ୍ଟ ନ୍ୟୁଜ ଅଫ ନିଉ ମିଡ଼ିଆ ପାଇଁ ‘ସ୍ୱାସ୍ଥ୍ୟ ପ୍ଲସ’, ଖବର କାଗଜ ସଂଗ୍ରହ ପାଇଁ ପେପର ମ୍ୟାନ ଶଶାଙ୍କ ଶେଖର ଦାସଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ, ଭାରତୀୟ ଗୋଷ୍ଠୀ ବେତାର ମହାସଂଘର ଉପ ସଭାପତି ଡକ୍ଟର ଶିଶିର କୁମାର ଦାସ, ଆକ୍ସନ ଏଡ୍ ନିର୍ଦେଶକ ସନ୍ଦୀପ ଚାଚରା, ୟୁନିସେଫର ମିଡିଆ ପରାମର୍ଶଦାତା ଶାରଦା ଲାହାଙ୍ଗିର, ଓଡ଼ିଶା ଗୋଷ୍ଠୀ ବେତାର ମହାସଂଘର ସଭାପତି ଏସ୍‌.ଏ.ସଫିକ ପ୍ରମୁଖ ଯୋଗ ଦେଇ ଗଣମାଧ୍ୟମର ଭୂମିକା ଉପରେ ନିଜର ମତାମତ ରଖିଥିଲେ । ବିରଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ ଏହି ସମାରୋହରେ ଅଧ୍ୟକ୍ଷତା କରିଥିଲେ । ଓଡିଶା ମିଡିଆ ଆୱାର୍ଡରେ ୟୁନେସ୍କୋ, ୟୁନିସେଫ୍‌, ବିଶ୍ୱ ବେତାର ପ୍ରସାରକ ମହାସଂଘ, ଆକ୍ସନ ଏଡ୍ ପରି ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ବିଶେଷ ଓ ସାମାଜିକ କର୍ମୀ ଯୋଗ ଦେଇଥବଲେ । ଏଥିରେ କୁମୁଦ ଶତପଥୀ, ମହମ୍ମଦ ନିୟାଜ, ରୋଜାଲିନ ପ୍ରଧାନ, ଶାହାଜାଦୀ କାଜଲ, ଅନୁପ କୁମାର ସାହୁ, ଅନ୍ଦାଜ ଆରନ, ଟିକିନା ରାଉତ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷାବିତ ପ୍ରତାପ ଚନ୍ଦ୍ର ରାଉତ ଓ ଯାଜ୍ଞସେନୀ ସଂଯୋଜନା କରିଥିଲେ । ବିଘ୍ନେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *