କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର

କଳାତାଲିକା ଭୁକ୍ତ ସଂସ୍ଥାକୁ ସିଏମସି ଇ-ଟେଣ୍ଡରରୁ ବାଦ ଦେବାକୁ ଦାବିରେ ଆରଡିସିଙ୍କୁ ସ୍ମାରକପତ୍ର


କଟକ(ଏନ୍‌.ଏମ୍‌.): କଟକ ସହରରେ ସଫେଇ କାର୍ଯ୍ୟ ନିମନ୍ତେ ସିଏମସି ପକ୍ଷରୁ କରାଯାଇଥିବା ଇ-ଟେଣ୍ଡର ପ୍ରକିୟାରେ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ଆଜି ଏ ନେଇ ପରିଷଦ ପକ୍ଷରୁ ଆଜି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ କଳାତାଲିକାଭୁକ୍ତ ସଂସ୍ଥାକୁ ଟେଣ୍ଡରରୁ ବାଦ ଦେବା ପାଇଁ ଦାବି କରାଯାଇଛି ।
ଅଭିଯୋଗ ଅନୁଯାୟୀ, ସିଏମ୍‌ସି ପକ୍ଷରୁ ସଫେଇ କାର୍ଯ୍ୟକୁ ନେଇ କରାଯାଇଥିବା ଇ-ଟେଣ୍ଡରରେ ଠିକାଦାରଙ୍କ ଦସ୍ତାବିଜ୍ ଅପ୍‌ଲୋଡ୍ କରିବାର ନିୟମ ଥିଲେ ମଧ୍ୟ ଏହି ଟେଣ୍ଡର ସମ୍ପର୍କରେ ଡକ୍ୟୁମେଣ୍ଟ ଅପ୍‌ଲୋଡ କରାଯାଇନାହିଁ । ତେଣୁ ଏଥିରେ ବିଭାଗୀୟ ଅଧିକାରୀଙ୍କ ସହିତ କଳାତାଲିକା ଭୁକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ଏକ ଅସାଧୁ ମେଣ୍ଟ ରହିଥିବା ସ୍ପଷ୍ଟ କରିଛି ବୋଲି ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି । ସିଏମସି ପକ୍ଷରୁ ସଫେଇ କାର୍ଯ୍ୟର ଟେଣ୍ଡର ନିମନ୍ତେ ଟିସିଏନ୍‌/ଇ-ଟେଣ୍ଡର ନୋଟିସ୍ ନମ୍ବର ୪୪/(ଇଡବ୍ଲ୍ୟୁ) ତା ୦୪.୦୧.୨୦୨୦ ଅନୁଯାୟୀ ଏହି ଇ-ଟେଣ୍ଡର ଗତ ମାର୍ଚ୍ଚ ୨୨ ତାରିଖରେ ଖୋଲାଯିବା ପାଇଁ ଧାର୍ଯ୍ୟ ହୋଇଥିଲା । ଇ-ଟେଣ୍ଡର ଖୋଲିବା ପରେ ଜଣାପଡ଼ିଲା ଯେ, ୯ ଜଣ ଠିକାଦାର ଏଥିରେ ଅଂଶ ଗ୍ରହଣ କରିଛନ୍ତି । ନିୟମାନୁଯାୟୀ ପ୍ରତ୍ୟେକ ଠିକାଦାର ନେଟ୍‌ରେ ଛାଡିଥିବା ଡକ୍ୟୁମେଣ୍ଟକୁ ଟେଣ୍ଡରରେ ଭାଗ ନେଇଥିବା ଅନ୍ୟ ଠିକାଦାର ଦେଖିପାରିବେ । ମାତ୍ର ଏହି ଇ-ଟେଣ୍ଡର ଖୋଲା ହେବାର ୧୦୦ ଦିନରୁ ଅଧିକ ବିତିଯାଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ନେଟ୍‌ରେ ଉପଲବ୍ଧ ହେଉ ନାହିଁ । ଏଥିରେ କଟକ ମହାନଗର ନିଗମର ଟେଣ୍ଡର ପ୍ରକ୍ରିୟାରେ ସ୍ୱଚ୍ଛତା କେତେଦୂର ରହିଛି ତାହା ସହଜେ ଅନୁମେୟ ବୋଲି ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ କେଉଁ ଠିକାଦାରକୁ ଆଖି ଆଗରେ ରଖି ସିଏମ୍‌ସି ଏଭଳି କାର୍ଯ୍ୟ କରୁଛି ସେ ନେଇ ଚର୍ଚ୍ଚା ଜୋର ଧରିଛି । ପୁନଶ୍ଚ ସିଏମସିର ଏମ୍‌ଏସଡବ୍ଲ୍ୟୁ ଇ-ଟେଣ୍ଡରରେ ଏହି ଅନିୟମିତତା ଦେଖିବାକୁ ମିଳିଛି । ସେହିପରି ଏହି ଟେଣ୍ଡର ପାଇଁ ନିୟମ ରହିଥିଲା ଯେ, ପୂର୍ବରୁ କୌଣସି ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ଲାକ୍ ଲିଷ୍ଟେଡ୍ ହୋଇଥିବା ହୋଇଥିବା ସଂସ୍ଥା ଏହି ଟେଣ୍ଡରରେ ଭାଗ ନେଇପାରିବେ ନାହିଁ । ମାତ୍ର ଏହି ନିୟମକୁ ଉଲ୍ଲଙ୍ଘନ କରି କେତେକ ବ୍ଲାକ୍ ଲିଷ୍ଟେଡ୍ ଠିକାଦାର ମିଥ୍ୟା ସତ୍ୟପାଠ ଦେଇ ଏମଏସ୍‌ଡବ୍ଲ୍ୟୁ ଇ-ଟେଣ୍ଡରରେ ଭାଗ ନେଇଥିବା ଅଭିଯୋଗ ଉଠିଛି । ତେବେ ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ସିଏମ୍‌ସି ଇ-ଟେଣ୍ଡରରେ ଭାଗ ନେଇଥିବା ଓ ମିଥ୍ୟା ତଥ୍ୟ ଦାଖଲ କରି ଚଞ୍ଚକତା କରି ଠିକା ନେଉଥିବା ଏକ ସଂସ୍ଥା ଅନୁଗୁଳ ମ୍ୟୁନିସିପାଲଟି ବ୍ଲାକ୍ ଲିଷ୍ଟେଡ୍ ବା କଳା ତାଲିକାଭୁକ୍ତ କରିଥିବା ଏହି ସଂସ୍ଥା ରିଲୋକେସନ ପାଇଁ ଓଡ଼ିଶା ହାଇକୋର୍ଟରେ ଅପିଲ କରିଥିଲେ ମଧ୍ୟ କୋର୍ଟ ଉକ୍ତ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି । ଏଥିସହିତ କଳା ତାଲିକାଭୁକ୍ତ ସଂସ୍ଥାକୁ ସିଏମସି ସମସ୍ତ ଟେଣ୍ଡରକୁ ବାଦ ଦେବାକୁ ଦାବି ହୋଇଛି । ପୁନଶ୍ଚ ଏହି ସଂସ୍ଥାର କର୍ମଚାରୀ ବିଭିନ୍ନ ସମୟରେ କଟକ ମେଡିକାଲ (ଏସ୍‌.ସି.ବି)ରେ ଦଲାଲ କାର୍ଯ୍ୟରେ ଲିପ୍ତ ରହି ଗିରଫ ହେବା ଘଟଣା ତଦନ୍ତ ସାପେକ୍ଷ ବୋଲି କୁହାଯିବା ସହ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆର.ଡି.ସିଙ୍କ ନିକଟରେ ଦୃଢ଼ ଦାବି କରାଯାଇଛି । ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ଟିମ ଆରଡିସି ସୁରେଶ ଚନ୍ଦ୍ର ଦଳାଇଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛି । ତେବେ ଘଟଣାର ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆରଡିସି ଶ୍ରୀ ଦଳାଇ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବିକ୍ଷୋଭରେ ଚୈତନ୍ୟ ସାମଲ, ଚନ୍ଦ୍ରମଣୀ ସାମଲ, ଆଇନଜୀବୀ ଅକ୍ଷୟ କୁମାର ସାମଲ, ଜୁନେଦ୍ ଖାଁ, ବଳରାମ ସ୍ୱାଇଁ, ଅର୍ଜୁନ ସାମଲ, ଗୀତାଞ୍ଜଳି ସ୍ୱାଇଁ, ଅମର ସାମଲ, ଗମନ ସାମଲ, ବିଜୟଲକ୍ଷ୍ମୀ ସାହୁ, ଝୁନୁ ନାୟକ, ସାବିତ୍ରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *