News by B.Mishra (BBSR)

୨୦୨୪ ପାଇଁ ନିର୍ବାଚନୀ ରଣନୀତି
ରାଜ୍ୟ ବିଜେପିର ଦ୍ୱିତୀୟ ରୁଦ୍ଧଦ୍ୱାର ବୈଠକ: ଫୋକସରେ ୧୩ ଲୋକସଭା ନିର୍ବାଚନ ମଣ୍ଡଳୀ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ତତ୍ପର ହୋଇ ଉଠିଛନ୍ତି । କିଭଳି ନିର୍ବାଚନ ବୈତରଣୀ ପାର ହେବେ ଏ ନେଇ ଚାଲିଛି ଅଙ୍କକଷା । ଏହା ମଧ୍ୟରେ ବିଜେପି ମଧ୍ୟ ଆସନ୍ତା ନିର୍ବାଚନରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡିଛି । ଓଡ଼ିଶାରେ ନୂତନ ଦଳୀୟ କର୍ମକର୍ତ୍ତା ପରିବର୍ତ୍ତନ ନେଇ ମଧ୍ୟ ବିଚାର ବିମର୍ଶ ଚାଲିଛି । କେତେକ ନିର୍ବାଚନ ମଣ୍ଡଳୀରେ ନୂତନ ବିଧାୟକ ପ୍ରାର୍ଥୀ ଚୟନ ନିମନ୍ତେ ଘନଘନ ବୈଠକ ଚାଲୁଥିବାବେଳେ ଅନ୍ୟ ଦଳରୁ ଲୋକ ପ୍ରିୟ ନେତାମାନଙ୍କୁ ଆଣି ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ ବିଜେପି ଯୋଜନା କରୁଥିବା ଶୁଣିବାକୁ ମିଳିଛି । ଅନ୍ୟପକ୍ଷରେ ନିକଟତମ ପ୍ରତିଦ୍ୱନ୍ଦୀମାନଙ୍କୁ କିଭଳି ଧରାଶାୟୀ କରି ପୁଣି କ୍ଷମତା ହାସଲ କରାଯାଇ ପାରିବ ସେ ନେଇ ଶାସକ ଦଳ ପକ୍ଷରୁ ବିଭିନ୍ନ ରଣନୀତି ସୃଷ୍ଟି କରାଯାଉଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବିଜେପି ପକ୍ଷରୁ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ୍ ବଂଶଲଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବିଜେପିର ଆଜି ଦ୍ୱିତୀୟ ରୁଦ୍ଧଦ୍ୱାର ବୈଠକ ଚାଲିଛି । ଏହି ବୈଠକରେ ପରାଜିତ ସଂସଦୀୟ କ୍ଷେତ୍ରକୁ ନେଇ ବିଶେଷ ଆଲୋଚନା କରାଯାଉଥିବା ଜଣାଯାଇଛି । ୨ ଟି ପର୍ଯ୍ୟାୟରେ ବୈଠକ କରାଯିବା ନେଇ ସୂଚନା ରହିଛି । ପ୍ରଥମ ପର୍ଯ୍ୟାୟରେ ଯେଉଁ୧୩ଟି ଲୋକସଭା କ୍ଷେତ୍ରରେ ଗତଥର ବିଜେପି ପରାଜିତ ହୋଇଥିଲା, ସେଥିରେ କିପରି ଏଥର ଜିତାପଟ ହାସଲ କରିବ ଦଳ ସେନେଇ ପ୍ରଭାରୀ, ସହ ପ୍ରଭାରୀ ଓ ବିଭିନ୍ନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରାଯିବାକୁ ଥିବାବେଳେ ୨ୟ ପର୍ଯ୍ୟାୟରେ ବିଜେପିର ବିଧାୟକମାନଙ୍କ ସହ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ୍ ବଂଶଲ ଭର୍ଚୁଆଲ୍ ବୈଠକ କରିବେ ବୋଲି ଜଣାପଡ଼ିଛି । ଏଥି ସହିତ ବିଜେପିରେ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ପ୍ରକାର ଚୁଡ଼ାନ୍ତ ତାଲିକା ହୋଇଥିଲେ ମଧ୍ୟ ଏହା ପ୍ରକାଶ ପାଇ ନଥିବା ଯୋଗୁଁ ଦଳୀୟ କର୍ମୀଙ୍କ ମଧ୍ୟରେ ନାନା ପ୍ରକାର କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ତେବେ ଚଳିତ ମାସ ସୁଦ୍ଧା ନୂତନ କର୍ମକର୍ତ୍ତାଙ୍କ ଚୁଡ଼ାନ୍ତ ତାଲିକା ପ୍ରକାଶ କରିବାକୁ ଦଳୀୟ ମୁଖ୍ୟ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେପି ଜନସାଧାରଣଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ହୋଇଥିବା ନେତାମାନଙ୍କୁ ତାଲିକାରୁ ବାଦ ଦେବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳିଛି । ତେବେ ବୈଠକରେ ଦଳୀୟ ସଙ୍ଗଠନ ଓ ୨୦୨୪ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ରାଜ୍ୟ ମୁଖିଆଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *