ନରସିଂହପୁର କମଳାଡ଼ିହରେ ଦୁର୍ଗାପୂଜା ପୂର୍ବରୁ ଖୋଲିବ ଷ୍ଟେଟବ୍ୟାଙ୍କ


ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲାର ବଡ଼ମ୍ବା ଓ ନରସିଂହପୁର ଅଞ୍ଚଳରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ପାଇଁ ଜିଲ୍ଲାପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଅଞ୍ଚଳର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି । ନରସିଂହପୁରର କମଳାଡ଼ିହରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମ୍ବର କର, ଉପ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ଦିବେନ୍ଦୁ ଦାସ, ଚିଫ ମ୍ୟାନେଜର ଚିତ୍ତରଞ୍ଜନ ପଟ୍ଟନାୟକ ଓ ବୈଷୟିକ ଟିମ ସହ ଯାଇ କମଳାଡ଼ିହ ପଞ୍ଚାୟତ ଦ୍ୱାରା ପ୍ରଦତ୍ତ ବି.ଏନ. ଆର. ଜି.ଏସ.କେ ବିଲ୍ଡିଂ ରେ ନୂତନ ବ୍ୟାଙ୍କ ଖୋଲିବା ପାଇଁ ନିରୁପିତ କରିଛନ୍ତି ।
ଏହା ଦ୍ୱାରା କମଳାଡ଼ିହ ରେଗେଡା ଓ ସଂଲଗ୍ନ ପଞ୍ଚାୟତ ଅଧିବାସୀଙ୍କ ବହୁ ଦିନର ଏକ ଷ୍ଟେଟବ୍ୟାଙ୍କ ଖୋଲିବା ପାଇଁ ଥିବା ଆଶା ଫଳବତୀ ହେବାକୁ ଯାଉଛି । ଗତ ୩ ବର୍ଷ ଧରି ବିଧାୟକ ଶ୍ରୀ ମିଶ୍ର ଏବଂ ବିଶେଷ କରି ସର୍ବଶ୍ରୀ ଭର୍ତ୍ତୃହରି ମହତାବ ଏଥିପାଇଁ ଲଗାତାର ଉଦ୍ୟମ କରି ଆସିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଚେୟାରମ୍ୟାନ କିଶୋର ମିଶ୍ର, ବିଡ଼ିଓ ପ୍ରଦୀପ ସାହୁ, ତହସିଲଦାର ଆଲୋକ କୁମାର ଦେହୁରୀ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବେହେରା ପ୍ରମୁଖ ଉପସ୍ଥିତଥିଲେ । ଏହା ଦ୍ୱାରା ପର୍ଯ୍ୟଟନର ବିକାଶରେ ଏହା ସହାୟକ ହେବ ବୋଲି ଅଧିକାରୀମାନେ ମତପ୍ରକାଶ କରିଛନ୍ତି । ଏହି ପରିଦର୍ଶନ ବେଳେ ବିଏସଏନଏଲ ଅଧିକାରୀ ସର୍ବଶ୍ରୀ କୈଳାଶ ମହାରଣା, ବଳରାମ ପାଲ ମୁଖ୍ୟ ପରିଚାଳକଙ୍କୁ ଜିଲ୍ଲାପାଳ ତୁରନ୍ତ ସେପ୍ଟେମ୍ବର ପୂର୍ବରୁ ନେଟ ଓ ମୋବାଇଲ କାର୍ଯ୍ୟକାରିତା ସଂଯୋଗ ଓ ଉନ୍ନତି କରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଅଞ୍ଚଳବାସୀ ଓ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ସର୍ବଶ୍ରୀ ବୈକୁଣ୍ଠ ସାହୁ, ସଞ୍ଜୟ ଡାଳୁଆ, ଲୋକନାଥ ସାହୁ ଅଚ୍ୟୁତ ସାହୁ, ଯୋଡୁମ ପ୍ରଗଣା ଆଞ୍ଚଳିକ କମିଟି ପବିତ୍ର ପ୍ରଧାନ, ତଥା ପୂର୍ବ ଜିଲ୍ଲାପରିଷଦ ସଭ୍ୟ ନାରଣ ନାୟକ, ଟୁଟୁ ଡ଼ାଳୁଆ ପ୍ରମୁଖ ଖୁସି ପ୍ରକଟ କରିଛନ୍ତି ।

Leave a Reply

Your email address will not be published. Required fields are marked *