News by Padmalochan Mishra (Ctc)

ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ଗଡଜାତ ମିଶ୍ରଣ ଓ ହୀରାକୁଦ ବନ୍ଧ ନିର୍ମାଣ ଥିଲା ବଳିଷ୍ଠ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

News by Padmalochan Mishra (Ctc)

#କଟକ(ଏନ୍‌.ଏମ୍‌.): ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ତତ୍‌କାଳୀନ ସମୟରେ ଗଡଜାତର ମିଶ୍ରଣ ସାଙ୍ଗକୁ ହୀରାକୁଦ ବନ୍ଧ ନିର୍ମାଣ ଥିଲା ଏକ ବଳିଷ୍ଠ ପଦକ୍ଷେପ। ଯାହା ଦ୍ୱାରା ଆଜି ଓଡ଼ିଶା ସଶ୍ୟସାମଳା ହେବା ସହ ସମୃଦ୍ଧ ହୋଇ ପାରିପାରିଛି ବୋଲି ସ୍ଥାନୀୟ ବିହାରୀବାଗ ସ୍ଥିତ ବିଷୁବ ମଣ୍ଡପ ଠାରେ ପ୍ରଜାତନ୍ତ୍ରର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ପ୍ରକାଶ କରିଛନ୍ତି। ପ୍ରଜାତନ୍ତ୍ର ପରିବାର ପକ୍ଷରୁ ଡ. ହରେକୃଷ୍ଣ ମହତାବଙ୍କର ପ୍ରତିଷ୍ଠିତ ପ୍ରଜାତନ୍ତ୍ରର ୭୭ତମ ସ୍ୱନକ୍ଷତ୍ର ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ହରେକୃଷ୍ଣ ମହତାବଙ୍କ ଜୀବନୀ ଏବଂ ତାଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରିବା ସହ ତତ୍‌କାଳୀନ ସମୟରେ ପ୍ରଜାତନ୍ତ୍ର କିଭଳି ସମାଜରେ ନିଜର ଗୁରୁଦାୟିତ୍ୱ ସମ୍ଭାଳିଥିଲା ସେ ସମ୍ପର୍କରେ ପ୍ରକାଶ କରିଥିଲେ। ପ୍ରଜାତନ୍ତ୍ର ନିରପେକ୍ଷ ଓ ନିର୍ଭୀକ ଭାବରେ ସମ୍ବାଦ ପରିବେଷଣ କରି କେତେକଙ୍କର ରୋଷର ଶିକାର ହୋଇଥିଲା। ତଥାପି ବହୁ ଘାତ ପ୍ରତିଘାତ ମଧ୍ୟରେ ଏହି ଗଣମାଧ୍ୟମ ସଂସ୍ଥା ନିଜର ସ୍ଥିତିକୁ ବଜାୟ ରଖିପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମୁଖ୍ୟବକ୍ତା ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଡ. ସଞ୍ଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଓଡିଶାର ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ପ୍ରଜାତନ୍ତ୍ରର ଅବଦାନ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ପ୍ରଜାତନ୍ତ୍ର ପ୍ରଚାର ସମିତି ଅଧ୍ୟକ୍ଷ ତଥା ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ଦେଇ ପ୍ରଜାତନ୍ତ୍ରର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ।

Leave a Reply

Your email address will not be published. Required fields are marked *