ରାଜ୍ୟରେ ଆଳୁ ସଂକଟ ନେଇ ତେଜୁଛି ଅସନ୍ତୋଷ
ମମତାଙ୍କ କୁଶପୁତ୍ତଳିକା ଦାହ, ରାଜପଥରେ ଅଟକିଲା ଶତାଧିକ ଟ୍ରକ
News by Smruti Ranjan Tripathy (Choudwar)
ଚୌଦ୍ୱାର(ଏନ୍.ଏମ୍.): ସାରା ରାଜ୍ୟରେ ଏବେ ଆଳୁକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ସରକାରର ବୈମାତୃକ ମନୋଭାବ ଲାଗି ଏହାର ପ୍ରଭାବ କଟକ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ଆଳୁର ଅହେତୁକ ଦରବୃଦ୍ଧି ଯୋଗୁଁ ଖାଉଟିମାନେ ବିଭିନ୍ନ ସମସ୍ୟା ଭୋଗୁଥିବା ବେଳେ ଏହାର ବାସ୍ତବିକ ଚିତ୍ରକୁ ନଜରରେ ରଖ୍ କଟକ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ଜଣାପଡ଼ିଛି। ଖବର ମୁତାବକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥୁବା ଆଳୁଗାଡ଼ିଗୁଡ଼ିକୁ ଉକ୍ତ ସରକାର ବାଟରେ ଅଟକାଇ ରଖିବା ଫଳରେ ଏବେ ରାଜ୍ୟର ଆଳୁର ସଙ୍କଟ ଦେଖିବାକୁ ମିଳିଛି। ଯାହାଫଳରେ ସାଧାରଣ ଜନତା ଚଢ଼ା ଦରରେ ଆଳୁ କ୍ରୟ କରୁଛନ୍ତି। ଏ ନେଇ ସାଧାରଣ ଖାଉଟି ବିଭିନ୍ନ ସମସ୍ୟା ଭୋଗୁଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ପଶ୍ଚିମବଙ୍ଗ ସରକାରର ଏଭଳି ମନୋମୁଖୀ କାର୍ଯ୍ୟ ଲାଗି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଆଜି କଟକ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ରାଜ୍ୟ ମହିଳା ମାନବାଧିକାର ସଦସ୍ୟା ସସ୍ମିତା ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ମଙ୍ଗୁଳି ଛକର ୧୬ନମ୍ବର ଜାତୀୟ ରାଜପଥ ଉପରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଓଡ଼ିଶା ରାଜ୍ୟ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଖାଦ୍ୟ ସାମଗ୍ରୀ ଯଥା ମାଛ, ଅଣ୍ଡା, କଦଳୀ ଗାଡ଼ିଗୁଡ଼ିକୁ ମଙ୍ଗୁଳି ଛକରେ ଦୀର୍ଘ ୫ଘଣ୍ଟା ଧରି ଅଟକାଯିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ ସହ ନାରା ବାଜି କରାଯାଇଥିଲା। ତେବେ ପଶ୍ଚିମବଙ୍ଗ ସରକାରର ଏଭଳି ଅମାନବିକତା କାର୍ଯ୍ୟରୁ ନିବୃତ୍ତ ରହି ଓଡ଼ିଶାକୁ ଆଳୁ ରପ୍ତାନୀ କରିବାକୁ ଦାବି କରାଯାଇଛି। ଯଦି ଏହାର ତୁରନ୍ତ ସମାଧାନ ନ କରାଯାଏ ତେବେ ଆଗକୁ ଏହି ଆନ୍ଦୋଳନ ସମଗ୍ର ରାଜ୍ୟରେ ତୀବ୍ରତର କରାଯିବା ସହ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଗାଡ଼ିଗୁଡ଼ିକୁ ଅଟକ ରଖାଯିବ ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ କ୍ଷେତ୍ରବାସୀ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ରବୀନ୍ଦ୍ର କୁମାର ମହାପାତ୍ର, ସ୍ୱପ୍ନା ଫାଉଣ୍ଡେସନ୍ସର ସଦସ୍ୟା ପୁଷ୍ପଲତା ମହାନ୍ତି, ଆଦିଶକ୍ତି ଯୁବ ପରିଷଦର ପୁଷ୍ପାଞ୍ଜଳି ଦାସ, ନାରାୟଣ ବିଶ୍ୱାଳଙ୍କ ସମେତ ସବିତା ଦାସ, ସଚିତ୍ରନନ୍ଦ ରାଉତ, ରତ୍ନାକର ନାୟକ, ରଞ୍ଜନ ବେହେରା, ସଞ୍ଜିବ ଜେନା, ପ୍ରହଲ୍ଲାଦ ମହାରଣା ପ୍ରମୁଖ ଯୋଗଦେଇଥିଲେ।