News by Maheswar Behera (Athagarh)

ଆଠଗଡ଼ରେ ବେଆଇନ ୭ହଜାର ୫ଶହ ଲିଟରୁ ଉର୍ଦ୍ଧ୍ୱ ଦେଶୀ ମଦ ଜବତ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ବେଆଇନ ଦେଶୀ ରନ୍ଧା ମଦର ରାଜଧାନୀ ପାଲଟିଛି ଆଠଗଡ । ଅବକାରୀ ବିଭାଗ ଯେତେଥର ଚଢ଼ାଉ କରିଛି ସେତେଥର ବିପୁଳ ପରିମାଣର ମଦ ଜବତ କରିଛି । ତଥାପି ଏହି ଅଞ୍ଚଳରୁ ବେଆଇନ ରନ୍ଧା ମଦ ତିଆରି ବନ୍ଦ ହୋଇ ପାରୁନି । ଆଜି ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ଆଠଗଡ ଅବକାରୀ ବିଭାଗ ଓ କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଦଳ ମିଳିତ ଭାବେ ଚଢାଉ କରିଥିଲେ । କଟକ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ କରାଯାଇଥିଲା । ଅବକାରୀ ବିଭାଗ ଅଧିକାରୀମାନେ ବିଭିନ୍ନ ସ୍ଥାନରୁ ୭ ହଜାର ୫ଶହ ୯୫ଲିଟର ମଦ ପ୍ରସ୍ତୁତ ପାଇଁ ଗଚ୍ଛିତ ରଖାଯାଇଥିବା ଗୁଡ ପୋଚ ଓ ୨ହଜାର ୧୩୫ ଲିଟର ବେଆଇନ ଦେଶୀମଦ ଜବତ କରି ନଷ୍ଟ କରି ଦେଇଥିଲେ । ଏତଦ୍ ସଙ୍ଗେ ମଦ ପରିବହନରେ ବ୍ୟବହାର ହେଉଥିବା ୩ ଗୋଟି ମାରୁତି କାର ଜବତ କରିଥିଲେ । ତେବେ ଏ ସଂକ୍ରାନ୍ତରେ ୫ ଗୋଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ଅବକାରୀ ଅଧିକାରୀ ମାନେ କାହାକୁ ଗିରଫ କରି ପାରିନାହାଁନ୍ତି । ଆଠଗଡ ଅବକାରୀ ଉପାଧ୍ୟକ୍ଷ ପ୍ରମୋଦ କିଶୋର ପଣ୍ଡାଙ୍କ ନେତୃତ୍ୱରେ କରାଯାଇଥିବା ଏହି ଚଢ଼ାଉରେ କଟକ ଭ୍ରାମ୍ୟମାଣ ଅବକାରୀ ଦଳ ନିରୀକ୍ଷକ ସଞ୍ଜିତ ବାର୍ଲା, ଆଠଗଡ ଅବକାରୀ ରେଞ୍ଜ ନିରୀକ୍ଷକ କେଶବ ଚନ୍ଦ୍ର ଦାସ, ଉପ ନିରୀକ୍ଷକ ସୌମ୍ୟ ରଞ୍ଜନ ମାଝୀ, ଟାଙ୍ଗୀ ଅବକାରୀ ଉପ ନିରୀକ୍ଷକ ଦୀପକ କୁମାର ମହାନ୍ତି ଓ ଅନ୍ୟ କର୍ମଚାରୀ ମାନେ ସାମିଲ ହୋଇଥିଲେ । ତେବେ ଏହି ଅଞ୍ଚଳରୁ ସମ୍ପୂର୍ଣ୍ଣ ବେଆଇନ ମଦ କାରବାର ରୋକାଯିବା ଉପରେ ଅବକାରୀ ବିଭାଗ ଗୁରୁତ୍ୱ ଦେଇଥିବା ଶ୍ରୀ ବାର୍ଲା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *