ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସକାଶେ ଘରୋଇ ହ୍ୟାଚେରୀକୁ ପ୍ରୋତ୍ସାହିତ କରାଯିବ
ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ସକାଶେ ଘରୋଇ ହ୍ୟାଚେରୀକୁ ପ୍ରୋତ୍ସାହିତ କରାଯିବ । ଏଥି ସହିତ ପଞ୍ଚାୟତ ପୋଖରୀ ଏବଂ ବାୟୋ-ଫ୍ଳକ୍ ଯୋଜନା ସଫଳ ହେଉଥିବା ହେତୁ ଏହାକୁ କ୍ଲଷ୍ଟର ଆପ୍ରୋଚ୍ ଜରିଆରେ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜଳଭଣ୍ଡାରରେ କେଜ୍ ମାଧ୍ୟମରେ ମାଛଚାଷ କରିବାକୁ ଚାଷୀଙ୍କୁ ପ୍ରବର୍ତ୍ତାଇବା ଏବଂ ଏ କ୍ଷେତ୍ରରେ ଖାଦ୍ୟ ଉତ୍ପାଦନକାରୀ ସଂସ୍ଥାଙ୍କୁ ପ୍ରୋତ୍ସାହିତ କରିବାକୁ ହେବ ବୋଲି କୁହାଯାଇଛି । ତା’ଛଡ଼ା ବାୟୋଫ୍ଲକ୍ର ବିବିଧିକରଣ କରିବା ନିମନ୍ତେ ମାଛଚାଷୀଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦେବା ଉପରେ ଆଲୋଚନା କରାଯାଇଥିଲା । ସେହିପରି ମାଛ ବିହନ ଉତ୍ପାଦନ କ୍ଷେତ୍ରରେ ବର୍ତ୍ତମାନ ଯାଏଁ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇନଥିବାବେଳେ ଘରୋଇ ବିହନ ଉତ୍ପାଦନ ସଂସ୍ଥାଗୁଡ଼ିକୁ ଏ ଦିଗରେ ଉତ୍ସାହିତ କରାଯିବ । ଆବଶ୍ୟକ ସ୍ଥଳେ ସରକାରୀ ମାଛ ବିହନ ଉତ୍ପାଦନ ପାଇଁ ଥିବା ହ୍ୟାଚେରୀକୁ ଅନ୍ୟୁନ ୧୦ ବର୍ଷ ପାଇଁ ଲିଜ୍ ସୂତ୍ରରେ ଘରୋଇ ସଂସ୍ଥାକୁ ଦିଆଯିବା ଉପରେ ଆଲୋଚନା କରାଯାଇଥିଲା । ତା’ଛଡ଼ା ମୌସୁମୀ ପୂର୍ବରୁ ଯେପରି ମାଛଚାଷୀ ସହଜ ଏବଂ ସୁଲଭରେ ମାଛମଞ୍ଜି ପାଇପାରିବେ ସେଥିପାଇଁ ଆଗୁଆ ଭାବେ ବିହନ ଉତ୍ପାଦନ ପାଇଁ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏ କ୍ଷେତ୍ରରେ ଦକ୍ଷିଣପୂର୍ବ ଏସୀୟ ଦେଶଗୁଡ଼ିକର ବୈଷୟିକ ଜ୍ଞାନକୌଶଳର ଉପଯୋଗ ନିମନ୍ତେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ୨୦୨୩-୨୪ ସୁଦ୍ଧା ଯେପରି ଏ କ୍ଷେତ୍ରରେ ଆମେ ଆତ୍ମନିର୍ଭରଶୀଳ ହୋଇପାରିବା ସେ ଦିଗରେ କାମ କରିବାକୁ କୁହାଯାଇଥିଲା । ସମୁଦ୍ର ଓ ଲୁଣି ମାଛ ଉତ୍ପାଦନକୁ ମଧ୍ୟ ଅନୁରୂପ ଭାବରେ ବୃଦ୍ଧି କରାଯିବ । ସେଥିପାଇଁ ୫ଟି ବନ୍ଦରକୁ ବିକଶିତ କରିବା ସହିତ ମତ୍ସ୍ୟ ଅବତରଣ କେନ୍ଦ୍ରଗୁଡ଼ିକୁ ଅତ୍ୟାଧୁନିକ କରାଯିବ । ରାଜ୍ୟର ଉପକୂଳସ୍ଥିତ ୨.୯୨ଲକ୍ଷ ହେକଫର ଘରୋଇ ଜମି ଲୁଣି ମାଛଚାଷ ନିମନ୍ତେ ଉପଯୁକ୍ତ ଥିଲେ ହେଁ ଉପକୂଳ ଆକ୍ୱାକଲଚର ଅଥରିଟିର କଟକଣା ପାଇଁ ତାହା ସମ୍ଭବ ହୋଇପାରୁ ନଥିବା ବିଭାଗୀୟ କର୍ତ୍ତୃପକ୍ଷ ଜଣାଇଥିଲେ ।
ସେହିପରି ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ରାଜ୍ୟକୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ହେବ । କୃତ୍ରିମ ପ୍ରଜନନକୁ ଫଳପ୍ରଦ କରିବା ସହ ସମୟାନୁଯାୟୀ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଘରୋଇ ଉଦ୍ୟୋଗଗୁଡ଼ିକ ଏଥିପାଇଁ ଉତ୍ସାହିତ କରିବାକୁ ପଦକ୍ଷେପ ନିଆଯାଉଛି । ତା’ଛଡ଼ା ମାଂସ ଓ ଅଣ୍ଡା ଉତ୍ପାଦନରେ ମଧ୍ୟ କିପରି ଆଖିଦୃଶିଆ ପ୍ରଗତି ହୋଇପାରିବ ସେଥିନେଇ ବିଭିନ୍ନ ଦିଗ ପ୍ରତି ଅନୁଧ୍ୟାନ କରାଯାଇଥିଲା । ପୁଞ୍ଜିନିବେଶକାରୀ ଇଚ୍ଛା ପ୍ରକାଶ କରୁନଥିବା ପରି କେତେକ ସମସ୍ୟା ହେତୁ ଅନ୍ୟ ରାଜ୍ୟ ତୁଳନାରେ ଆମେ ଏ ଦିଗରେ ମନ୍ଥର ଅଛୁ । ଯେହେତୁ ଏହା ମୂଳଧନ କେନ୍ଦ୍ରିକ ଏବଂ ବିନିଯୋଗ ଅର୍ଥ ଫେରିବା ସମୟ ଅବଧି ଅଧିକ ହୋଇଥିବା ହେତୁ ଏ କ୍ଷେତ୍ରରେ ସଫଳତା ମିଳିପାରୁ ନାହିଁ । ତେଣୁ ଏ କ୍ଷେତ୍ରରେ ମଧ୍ୟ କ୍ଲଷ୍ଟର ଆପ୍ରୋଚ୍କୁ ଅନୁସରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ଦକ୍ଷତାର ସହ କାର୍ଯ୍ୟକାରୀ କରିବାକୁ ଆପିକଲ୍ରେ ରହିଥିବା ମାନବସମ୍ବଳ ଅଭାବ ପୂରଣ ପାଇଁ ପ୍ରାଣୀଧନ ସମ୍ବଳ ବିକାଶ ବିଭାଗରୁ ମାନବସମ୍ବଳ ଅଣାଯିବ । ତା’ଛଡ଼ା ଦୀପା ଟିମ୍ର ସହାୟତା ନିଆଯିବ ବୋଲି ଧାର୍ଯ୍ୟ କରାଯାଇଛି । ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀଧନ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଜି. ରଘୁପ୍ରସାଦ, ପ୍ରାଣୀଧନ ଓ ପଶୁ ଚିକିତ୍ସା ବିଭାଗ ନିର୍ଦ୍ଦେଶକ ଡକ୍ଟର ୟେଦୁଲ୍ଲା ବିଜୟ, ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଲୋକନାଥ ବେହେରା, ଆପିକଲର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ପ୍ରଭାତ କୁମାର ରାଉଳ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ ।