ମହାବଳ ବାଘ ସୂରଜ ସଫାରୀରୁ ଖସିଯିବା ଖବର ପାଇ ନନ୍ଦନକାନନରେ ଖେଳିଗଲା ଆତଙ୍କ
# ଭୁବନେଶ୍ୱର (ଏନ୍.ଏମ୍.): ନନ୍ଦନକାନନର ସଫାରୀରୁ ମହାବଳ ବାଘ ସୂରଜ ଖସି ଯାଇଥିବା ଚର୍ଚ୍ଚାକୁ ଆସିଛି । ତେବେ ଏହି ଖବର ପ୍ରଚାରିତ ହେବା ପରେ ନନ୍ଦନ କାନନରେ ଆଜି କିଛି ସମୟ ପାଇଁ ଆତଙ୍କ ଖେଳି ଯାଇଥିଲା । ମାତ୍ର କିଛି ସମୟ ମଧ୍ୟରେ କର୍ମଚାରୀମାନେ ଖୋଜାଖୋଜି କରି ସୂରଜକୁ ସେହି ସଫାରୀ ଭିତରୁ ହିଁ ପାଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ସଫାରୀରେ ଥିବା ବାଘଙ୍କୁ ଖାଇବାକୁ ଦେବା ପାଇଁ ନିୟୋଜିତ କର୍ମଚାରୀ ଯାଇଥିଲେ । ମାତ୍ର ଜାଲିରେ ଛିଦ୍ର ହୋଇଥିବା ଦେଖି ବାଘ ବାହାରି ଯାଇଥିବା ସନ୍ଦେହ କରିଥିଲେ । ଏକ୍ସପର୍ଟ ଟିମ୍ଙ୍କ ଦ୍ୱାରା ଖୋଜାଖୋଜି କରିବା ପରେ ପ୍ରାୟ ୧୦ରୁ ୧୫ ମିନିଟ୍ ମଧ୍ୟରେ ବାଘକୁ ଠାବ କରାଯାଇଥିଲା । ଏବେ ସ୍ଥିତି ସ୍ୱାଭାବିକ ଥିବା ନନ୍ଦନକାନନ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ତେବେ ବାଘ ସଫାରୀରୁ ଗାଏବ ଥିବା ଖବର ପ୍ରଚାରିତ ହେବା ପରେ ନନ୍ଦନକାନନରେ ଉପସ୍ଥିତ ଥିବା ପର୍ଯ୍ୟଟକ ବେଶ୍ ଭୟଭୀତ ହୋଇ ଯାଇଥିଲେ । ତେଣୁ ତୁରନ୍ତ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ବାଘ ଭଳି ପ୍ରାଣୀଙ୍କ କ୍ଷେତ୍ରରେ ଏଭଳି ଆଚରଣ ସାମାନ୍ୟ । ଜଙ୍ଗଲି ଜନ୍ତୁ ହୋଇଥିବାରୁ କେତେବେଳେ କିପରି ଆଚରଣ ଦେଖାଇବ, ତାହା ଆକଳନ କରିବା କଷ୍ଟକର ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ସୂଚନାଯୋଗ୍ୟ, କରୋନା କଟକଣା ଯୋଗୁ ପୂର୍ବରୁ ନନ୍ଦନକାନନ ଶନିବାର ଓ ରବିବାର ବନ୍ଦ ରହୁଥିଲା । ହେଲେ ଏବେ ରାଜ୍ୟ ସରକାର ସପ୍ତାହାନ୍ତ ସଟଡାଉନ୍ ପ୍ରତ୍ୟାହାର କରିବା ପରେ କେବଳ ସୋମବାର ବ୍ୟତିତ ଅନ୍ୟ ସବୁଦିନ ନନ୍ଦନକାନନ ଖୋଲା ରହିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।