ଭୁବନେଶ୍ୱର(ଏନ୍.ଏମ୍.): ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କୁ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତର୍କ କରି କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦ କୋଭିଡ ଓ ବାତ୍ୟା ୟାସର ସାମ୍ନା କରୁଛେ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ୨ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତରରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଅନୁରୋଧ କରି ଆହୁରି କହିଛନ୍ତି ଯେ, ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଜରୁରୀ । ଡବଲ ବିପଦ ପାଇଁ ଡବଲ ମାସ୍କ । ତା’ ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି । ସମ୍ପ୍ରତି କରୋନା ଯୋଗୁଁ କଷ୍ଟକର ସମୟ ଦେଇ ଗତି କରୁଥିବାବେଳେ ବାତ୍ୟା ୟାସ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି । ତେଣୁ ଗୋଟିଏ ସମୟରେ ୨ଟି ବଡ ବିପଦ ବାତ୍ୟା ଓ କୋଭିଡର ମୁକାବିଲା କରିବା ପାଇଁ ସମସ୍ତ ଜନସାଧାରଣ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।