ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳପୂଜା
କୋଣାର୍କ (ଏନ୍.ଏମ୍.): ମା’ ଦୂର୍ଗାଙ୍କ ପୂଜା ପାଇଁ ସବୁ ଶକ୍ତିପୀଠମାନଙ୍କରେ ଆରମ୍ଭ ହୋଇଯାଇଛି ଷୋଳ ପୂଜା । ଧରାପୃଷ୍ଠକୁ ମା’ଙ୍କ ଆଗମନ ଅବସରରେ ଶକ୍ତିପୀଠମାନଙ୍କରେ ଷୋଳପୂଜା ଚାଲୁରହିଥିବାବେଳେ ବିଭିନ୍ନ ବେଶରେ ମା’ଙ୍କୁ ସୁସଜିତ କରାଯାଇ ନୀତିକାନ୍ତିରେ ପୂଜା କରାଯାଉଛି । କୋଣାର୍କ ଥାନାନ୍ତର୍ଗତ ଅବଦାନ ଗ୍ରାମପଞ୍ଚାୟତର ଯଦୁପୁର ଗ୍ରାମରେ ଅବସ୍ଥିତ ମା’ ଚିତ୍ରେଶ୍ୱରୀଙ୍କ ପୀଠ । ଅପୂର୍ବ ପ୍ରାକୃତିକ ସୁଷମା ଭାରା ନୈଶର୍ଗୀକ ଶୋଭାର ଗନ୍ତାଘର ମଧ୍ୟରେ ମା’ ଚିତ୍ରେଶ୍ୱରୀଙ୍କ ପୀଠ । ସୂର୍ଯ୍ୟକ୍ଷେତ୍ର ବା ଅର୍କକ୍ଷେତ୍ରର ରକ୍ଷାକର୍ତ୍ତୀ ଅଷ୍ଟଚଣ୍ଡୀଙ୍କ ମଧ୍ୟରେ ମା’ ଚିତ୍ରେଶ୍ୱରୀ ହେଉଛନ୍ତି ଅନ୍ୟତମ । ଐତିହାସୀକ ବିବରଣୀରୁ ଜଣାପଡେ ପ୍ରଥମ ଶତାବ୍ଦୀରେ ଏ ଅଞ୍ଚଳ ଏକ ପ୍ରମୁଖ ନୌବାଣିଜ୍ୟ କେନ୍ଦ୍ର ରୂପେ ଗଢିଉଠିଥିଲା । ସେ ସମୟରେ ଏହି ନୌବାଣିଜ୍ୟ କେନ୍ଦ୍ରର ନାମ ଥିଲା କୋଇନାପୁରା । ପରବର୍ତ୍ତି ଅବସ୍ଥାରେ ଏହି ସ୍ଥାନର ନାମ କୋଇନାପୁରାରୁ ଅପଭ୍ରଂଶ ହୋଇ କୋଣାର୍କ ନାମରେ ନାମିତ ହୋଇଥିଲା । କଥିତ ଅଛି ନୌବାଣିଜ୍ୟ କରିବାକୁ ଯାଉଥିବା ସାଧବମାନେ ସିଂହଲରୁ ମା’ଙ୍କୁ ଆଣି ଚିତ୍ରଉିତତ୍ପଳା ନଦୀକୂଳରେ ସ୍ଥାପନ କରି ପୂଜାର୍ଚ୍ଚନା କରୁଥିଲେ । ଚିତ୍ରଉିତତ୍ପଳା ନଦୀକୂଳରେ ଥିବାରୁ ମା’ଙ୍କୁ ଚିତ୍ରେଶ୍ୱରୀ ନାମରେ ନାମିତ କରାଗଲା । ଏହି ସ୍ଥାନରୁ ସାଧବ ବଣିକମାନେ ସାମୁଦ୍ରିକ ପଥଦେଇ ନୌବାଣିଜ୍ୟ କରିବାକୁ ଗଲାବେଳେ ମା’ ଚିତ୍ରଶ୍ୱରୀଙ୍କ ଠାରୁ ଶୁଭକାମନା କରି ମା’ଙ୍କୁ ବନ୍ଦର ଦେବୀ ଭାବରେ ପୂଜାର୍ଚ୍ଚନା କରିଆସୁଥିଲେ । ମା’ ବଣିକମାନଙ୍କର ଶ୍ରେଷ୍ଠା ଓ ଅଗ୍ରପୂଜ୍ୟା ଦେବୀ ରୂପେ ପରିଚିତ ଥିଲେ । ସେ ମଧ୍ୟ ଅର୍କକ୍ଷେତ୍ର କୋଣାର୍କର ଅଧିଷ୍ଠାତ୍ରୀ ଦେବୀ । ମା’ ଚିତ୍ରେଶ୍ୱରୀଙ୍କ ଅବସ୍ଥିତି ଓ ମାହାତ୍ମ୍ୟ ସମ୍ପର୍କରେ ସାରଳା ମହାଭାରତ, ପୁରୁଷୋତ୍ତମ ମାହାତ୍ମ୍ୟ, ମାଦଳା ପାଞ୍ଜି ତଥା ବିଭିନ୍ନ ଐତିହାସିକ ବିବରଣିରୁ ଅନେକ ସୂଚନା ମିଳିଥାଏ । ଏତଦ ବ୍ୟତୀତ ଏ ଅଞ୍ଚଳର ଲୋକମୁଖରେ ମା’ଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ ପ୍ରଚଳିତ ଅଛି । ମା’ ଦୂର୍ଗାଙ୍କର ଧରା ପୃଷ୍ଠକୁ ଆଗମନ ଅବସରରେ ଏହି ପୀଠ ହୋଇ ଉଠିଛି ପାର୍ବଣ ମୁଖରିତ । ଏହି ଅବସରରେ ମା’ଙ୍କ ପୀଠରେ ଆଶ୍ୱିନ ମାସର କୃଷ୍ଣପକ୍ଷ ମୂଳାଷ୍ଟମୀଠାରୁ ଷୋଳପୂଜା ଆରମ୍ଭ ହୋଇ ଶୁକ୍ଲପକ୍ଷ ମହାଷ୍ଟମୀ ପର୍ଯ୍ୟନ୍ତ ଚାଲୁରହିଛି । ମା’ ହେଉଛନ୍ତି ଆଦିକାଳୀ ଷୋଳକଳାର ଉତ୍ସ, ଏଥିପାଇଁ ମା’ଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଇଥାଏ । ଏହି ସମୟରେ ବନ୍ଦର ଦେବୀ ମା’ ଚିତ୍ରେଶ୍ୱରୀଙ୍କ ପୀଠରେ ଷୋଳଦିନ ବ୍ୟାପି ଦୁଇବେଳା ଚଣ୍ଡୀପାଠ ଓ ଷୋଡ଼ଶ ଉପଚାରରେ ବିଭିନ୍ନ ବେଶ କରାଯାଇ ପୂଜାନୀତି ସମ୍ପନ୍ନ କରାଯାଉଛି । ପ୍ରତ୍ୟହ ମା’ଙ୍କ ପୀଠରେ ଭୋର ୪ ଟାରେ ପହଡ଼ ଖୋଲା ଯାଇ ମା’ଙ୍କୁ ସୁବାସିତ ଜଳରେ ସ୍ନାନ ଓ ମାଜଣା କରାଯିବା ପରେ ସକାଳ ୫ ଟାରେ ମଙ୍ଗଳ ଆଳତୀ, ମହାପ୍ରସାଦ, ବଲ୍ଳଭ ଭୋଗ, ଦହି, ଖଇ ଓ ଖେଚୁଡି ଭୋଗ କରାଯାଉଛି । ପ୍ରାତଃ ସମୟରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ନିମନ୍ତେ ପହଡ଼ ଖୋଲା ରୁହୁଛି । ମଧ୍ୟାହ୍ନରେ ସାଧା ଅନ୍ନ, ମାଛବେସର, କାକରା, ଡାଲି, ଖଟା ଓ ଖିରି ଭୋଗ ଲାଗି ହେଉଛି । ମଧ୍ୟାନ୍ନ ଆଳତି ପରେ ଅପରାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ପହଡ଼ ପଡୁଛି଼ । ପୂନର୍ବାର ୧ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ଲାଗିରହୁଛି । ସନ୍ଧ୍ୟା ୬ ଟାରେ ଆଳତି, ୬ ଟା ୩୦ରେ ସ୍ନାନ ଓ ବାଳଭୋଗ, ରାତି ୧୦ ଟାରେ ଦହିପଖାଳ, ପଣା, କାକରା ଆଦି ଭୋଗ ହେଉଛି । ରାତ୍ର ଭୋଗ ଶେଷରେ କଂସାପାତ୍ରରେ ପଇଡ଼ପାଣିକୁ ମଦ୍ୟ ରୂପେ ମାଙ୍କୁ ସମର୍ପଣ କରାଯାଉଛି । ରାତ୍ର ୧୧ ଟାରେ ବଡ଼ସିଂହାର ଧୂପ ଓ ଆଳତି ପରେ ପହଡ଼ ପଢୁଛି଼ । ସକାଳ ମଙ୍ଗଳ ଆଳତି ଓ ରାତିରେ ବଡ଼ସିଂହାର ଧୂପ ଆଳତିକୁ ମିଶାଇ ମାଆଙ୍କ ନିକଟରେ ମୋଟ ୫ ଥର ଆଳତି କରାଯାଉଛି । ମହାଷ୍ଟମୀ ଦିନ ରାତି ୩ ଟାରେ ଘିଅ ସହିତ ୧୦୮ ବେଲପତ୍ରକୁ ହୋମାଗ୍ନିରେ ଆହୁତି କରାଯିବ ବୋଲି ମୁଖ୍ୟ ସେବାୟତମାନେ କହିଛନ୍ତି । ଷୋଳ ପୂଜା ଅବସରରେ ମା’ଙ୍କୁ ଦର୍ଶନ କରିବାପାଇଁ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ ଲାଗିରହୁଛି । ମା’ହେଉଛନ୍ତି ଏ ଅଞ୍ଚଳର ସମୁଦ୍ର ରକ୍ଷାକତ୍ରୀ ଦେବୀ । ପୂର୍ବେ ଏଠାରେ ପ୍ରତ୍ୟହ ଶହଶହ ସଂଖ୍ୟାରେ ଛେଳି, ମେଣ୍ଢା ଓ ବୋଦାଙ୍କୁ ବଳି ଦିଆଯାଉଥିଲା । ଏବେ ବଳିପ୍ରଥାକୁ ବନ୍ଦ କରିଦିଆଯାଇଥିବା ବେଳେ କିଛି ମାନସିକଧାରୀ ଭକ୍ତ ମା’ଙ୍କ ପୀଠର ଅନତି ଦୂରରେ ପଶୁବଳି ଦେଉଥିବାବେଳେ କେତେକ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ପାଣିକଖାରୁକୁ ବଳିଦେଇଥାନ୍ତି । ପାର୍ବଣ ଅବସରରେ ମା’ଙ୍କ ପୀଠରେ ମାଛ ବେସର ଶ୍ରଦ୍ଧାଳୁଙ୍କ ବେଶ ଆକୃଷ୍ଠ କରିଥାଏ । ଇଟାରେ ନିର୍ମିତ ମା’ ଆସ୍ଥାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ନୂତନ ଭାବେ ନିର୍ମାଣ କରାଯାଇଥିବା ମନ୍ଦିରଟି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ମା’ଙ୍କ ସେବା ପାଇଁ ୩୬ ପାଟକ ନିଯୋଗ ରହିଥିବା ବେଳେ ୬୦ଏକର ଜମି ରହିଛି । ମା’ଙ୍କ ସମ୍ପତ୍ତିକୁ ଏବେ ଜବରଦଖଲ କାରୀମାନେ ମାଡି ବସିଥିବାରୁ ସମ୍ପତ୍ତିର ଆୟ ମନ୍ଦିରକୁ ଆସିପାରୁ ନାହିଁ । ଯାହା ଫଳରେ କି ଅର୍ଥାଭାବ ଯୋଗୁଁ ମା’ଙ୍କ ପୀଠର ବିକାଶରେ ଘୋର ଅନ୍ତରାୟ ସୃଷ୍ଟି ହେଉଛି । ଶଦ୍ଧାଳୁଙ୍କ ପ୍ରତି ମା’ଙ୍କର ଅପାର କରୁଣା ରହିଥିବାବେଳେ ପୀଠରେ ରହିଛି ସ୍ୱତନ୍ତ୍ର ମାହତ୍ମ୍ୟ । ଏହି ପୀଠର ସାଧାଅନ୍ନ ଓ ମାଛ ବେସର ପ୍ରସିଦ୍ଧ ଭୋଗ । ଯଦୁପୁର ଗ୍ରାମର ବାସିନ୍ଦା ତଥା ସମାଜସେବୀ ନିରଞ୍ଜନ ବାରିକ କୁହନ୍ତି କୋଣାର୍କଠାରୁ ୧୦କିଲୋମିଟର ଦୂରରେ ମା’ଙ୍କ ପୀଠଟି ଅବସ୍ଥିତି ହୋଇଥିଲେ ମଧ୍ୟ ଏହି ଐତିହାସିକ ପୀଠଟି ଚିର ଅବହେଳିତ ଅବସ୍ଥାରେ ପଡିରହିଛି । ଏହି ଐତିହାସିକ ପୀଠଟିି ସରକାରୀ ଉଦାସିନତାର ଶିକାର ହୋଇ ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲି ଆସିଲାଣି । ସରକାରଙ୍କ ପ୍ରୋତ୍ସାହନ ମିଳିଲେ ପୀଠଟିର ବିକଶିତ ହୋଇ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ ହେବାସହ ପ୍ରମୁଖ ଦେବୀ ପୀଠ ଭାବରେ ପ୍ରସିଦ୍ଧି ଲାଭ କରିପାରିବ ।