ଗଜପତିଙ୍କ ଶ୍ରୀନଅରରେ ସୁନିଆଁ ଉତ୍ସବ
ପୁରୀ(ଏନ୍.ଏମ୍.): ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଯାଇଛି ସୁନିଆଁ ଉତ୍ସବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ । ଏଥିପାଇଁ ସନ୍ଧ୍ୟାରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା । କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ । ଗଜପତି ମହାରାଜା ନୂଆ ପଇତା ଧାରଣ ସହ ରାଜକୀୟ ବେଶରେ ବିଭୁଷିତ ହୋଇଥିଲେ । ଉତ୍ସବରେ ୧୬ ଶାସନର ବ୍ରାହ୍ମଣମାନେ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଜାମାନେ ଗଜପତିଙ୍କୁ ଭେଟି ପ୍ରଦାନ କରିଥିଲେ । ସୁନିଆ ଅବସରରେ ପବିତ୍ର ଉତ୍କଳୀୟ (ରାଜକୀୟ) ନବ ବର୍ଷ ଆରମ୍ଭ ହୋଇଥାଏ । ଏଥି ସହିତ ଶ୍ରୀ ବାମନ ଜନ୍ମ ମଧ୍ୟ ପାଳିତ ହୋଇଛି । ଏହି ଅବସରରେ ଉତ୍କଳୀୟ ୧୪୩୦ ସାଲ ଆରମ୍ଭ ତଥା ଶ୍ରୀ ଶ୍ରୀ ଶ୍ରୀ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣୋଟତ୍କଳ କଳବର୍ଗେଶ୍ୱର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧି ବୀରବର ମହାପ୍ରତାପୀ ମହାରାଜା ଶ୍ରୀ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କର ୬୫ ଅଙ୍କ ଆରମ୍ଭ ଅବସରରେ ସମସ୍ତଙ୍କୁ ସାଦର ଅଭିନନ୍ଦନ ଜଣାଇବା ସହିତ ପ୍ରିତିଭରା ଶୁଭେଚ୍ଛା ଜ୍ଞାପନ କରାଯିବା ସହ ନୂତନ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା ।
ଉତ୍କଳୀୟ ସଂସ୍କୃତି ଓ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଆରମ୍ଭ ହୁଏ ନବବର୍ଷ । ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ସୁନିଆ ଦିନ ଆରମ୍ଭ ହୁଏ ଗଜପତିଙ୍କ ନୂତନ ଅଙ୍କ । ତେଣୁ ସୁନିଆକୁ ଉତ୍କଳୀୟ ଗଜପତିଙ୍କ ନବବର୍ଷ ବୋଲି ଧରାଯାଏ । ଓଡ଼ିଆ ପାଇଁ ଓ ଜାତକରେ ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଉଲ୍ଲେଖ ହୁଏ । ସୁନିଆ ଦିନଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ସୁନିଆ ଦିନ ଷୋଳଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରକୁ ଆସି ଗୋଟିଏ ଲେଖାଏଁ ନଡ଼ିଆ ଗଜପତିଙ୍କୁ ଭେଟିଦେଇ ମହାରାଜାଙ୍କୁ ଆଶିର୍ବାଦ କରିଥାନ୍ତି । ପୁନଶ୍ଚ କରଣ ସାମନ୍ତମାନେ ମଧ୍ୟ ଶ୍ରୀନଅରକୁ ଆସି ଗଜପତି ମହାରାଜାଙ୍କୁ ଭେଟିଦେଇଥାନ୍ତି । ସମସ୍ତଙ୍କୁ ଶ୍ରୀନଅରରେ ମହାପ୍ରସାଦ ସେବନରେ ଆପ୍ୟାୟିତ କରାଯାଏ । ସୁନିଆ ଦିନ ଗଜପତି ମହାରାଜା ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କନକ ଭେଟି ଅର୍ପଣ କରିବାର ପ୍ରଥା ଅଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଗଜପତି ପୁରୁଣା ନଅର ସ୍ଥଳକୁ ଯାଇ ଶ୍ୟାମାକାଳୀ ଓ ଅଷ୍ଟଶମ୍ଭୁଙ୍କୁ ଦର୍ଶନକରି ଶ୍ରୀନଅର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୁନିଆ ଦିନ ସ୍ୱର୍ଣ୍ଣମୁଦ୍ରାରେ ଗଜପତି ମହାରାଜାଙ୍କ ପୁରାତନ ଅଙ୍କ କଟାଯାଇ ସେହିଦିନଠାରୁ ନୂତନ ଅଙ୍କର ଗଣନା ଆରମ୍ଭ ହୁଏ । ଅନ୍ୟପଟେ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନ ଧୂପ ବଢିବା ପରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ବିଧି କରାଯାଇଥିଲା ।