୫ ଦଫା ଦାବି ନେଇ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରିଲା କଟକ ରିଟେଲ ଡିଲର ସଂଘ

#କଟକ(ଏନ୍.ଏମ୍.): କଟକ ରିଟେଲ ଡିଲର ସଂଘ ପକ୍ଷରୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ଘେରାଉ କରାଯାଇଛି । ୫ଦଫା ଦାବି ପୂରଣ ନିମନ୍ତେ ଡିଲରମାନେ ଦୀର୍ଘ ଦିନ ଧରି ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେହୁରା ହୋଇଥିଲେ ମଧ୍ୟ ଏଥି ପ୍ରତି କେହିଁ ଦୃଷ୍ଟି ଦେଉ ନାହାନ୍ତି । ଯାହାର ପରିଣାମ ଆଜି ରିଟେଲ ଡିଲରମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ବାଧ୍ୟ ହୋଇଛନ୍ତି । ଦାବି ଅନୁଯାୟୀ ଡିଲରମାନେ କରୋନା ସମୟରେ ନିଜର ତଥା ନିଜ ପରିବାରର ଜୀବନକୁ ବିପନ୍ନ କରି ମାଗଣାରେ ଯୋଗାଇ ଦିଆଯାଇଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୀର୍ଘ ୨୮ମାସ ଧରି ବିନା ପାରିଶ୍ରମିକରେ ବିତରଣ କରିଥିଲେ । ଏ ନେଇ କେନ୍ଦ୍ର ସରକାର ପାରିଶ୍ରମିକ ଅର୍ଥ ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ସରକାର ତାହାକୁ ପ୍ରଦାନ କରିବାରେ ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ତେବେ ବାରମ୍ବାର ଦାବି କରିବା ପରେ ରାଜ୍ୟସରକାର ମାତ୍ର ୬ମାସର ପାଉଣା ଦେଇ ଅବଶିଷ୍ଟ ୨୨ମାସର ପ୍ରାପ୍ୟ ଦେଉ ନାହାନ୍ତି । ପୁନଶ୍ଚ ଚଳିତ ଜାନୁୟାରୀ ମାସରୁ ଜୁନ ମାସ ପର୍ଯ୍ୟନ୍ତ ଅଗ୍ରୀମ ଭାବେ ସାମଗ୍ରୀ ବଣ୍ଟନ କରିଚାଲିଥିଲେ ମଧ୍ୟ ପାରିଶ୍ରମିକ ବାବଦକୁ କିଛି ପଇସା ଦିଆଯାଇ ନାହିଁ କି ଏ ନେଇ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ଅପରପକ୍ଷରେ ଡିଲର ମାନେ ନିଜ ଅର୍ଥରୁ ଦୋକାନଗୃହ ଭଡ଼ା, ନେଟ ଖର୍ଚ୍ଚ, ସହାୟକମାନଙ୍କ ପାରିଶ୍ରମିକ, କୋଟା ଖାତାର ଖର୍ଚ୍ଚ, ବିଦ୍ୟୁତ ଖର୍ଚ୍ଚ ଓ ଅନ୍ୟାନ୍ୟ ଖର୍ଚ୍ଚ ପଇଠ କରି ସାମଗ୍ରୀ ବିତରଣ କରି ଚାଲିଛନ୍ତି । ପୁନଶ୍ଚ ପରିବହନ ଠିକାଦାରମାନେ ସେମାନଙ୍କ ପ୍ରାପ୍ୟ ପାଉଥିବାବେଳେ ଖୁଚୁରା ବିକ୍ରେତାମାନେ ଏଥିରୁ ବଞ୍ଚିତ ହେବା ଦୁର୍ଭାଗ୍ୟ ଜନକ ବୋଲି ଡିଲର ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଏଥି ସହିତ ଖୁଚୁରା ବିକ୍ରେତାମାନଙ୍କୁ ଧାର୍ଯ୍ୟ ଓଜନ ଠାରୁ କମ ସାମଗ୍ରୀ ଦେଉଥିବା, ଅଭଦ୍ରଚିତ୍ତ ବ୍ୟବହାର କରୁଥିବା ପରିବହନ ଠିକାଦାରମାନଙ୍କ ନିଯୁକ୍ତି ତୁରନ୍ତ ରଦ୍ଦ କରାଯିବା, ବଣ୍ଟନାରେ ସୁବିଧା ପାଇଁ ଖୁଚୁରା ବିକ୍ରେତାମାନଙ୍କ ପରିବହନ ଠାକାଦର ଚୟନ କରିବାର ଅଧିକାର ପ୍ରଦାନ କରାଯିବା, ବଣ୍ଟନ ଓ ଯୋଗାଣର ସ୍ୱଚ୍ଛତା ପାଇଁ ଖୁଚୁରା ବିକ୍ରୟ କେନ୍ଦ୍ର ନିକଟରେ ପରିବହନ ଠାକଦାରଙ୍କ ଦ୍ୱାରା ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା ସହ ସମସ୍ତ ସାମଗ୍ରୀ ଓଜନ କରି ଦିଆଯିବାକୁ ଦାବି କରାଯାଇଛି । ଏଥି ସହିତ ଖୁଚୁରା ବିକ୍ରେତାଙ୍କ ଅଭିଯୋଗକୁ ଅଣଦେଖା କରି ପରିବହନ ଠିକାଦାରଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ତେବେ ବିଭାଗ ପକ୍ଷରୁ ତୁରନ୍ତ ଏହି ଦାବି ପୂରଣ କରାନଗଲେ ଆସନ୍ତା ଜୁଲାଇ ମାସରୁ ଡିଲରମାନେ କୌଣସି ସାମଗ୍ରୀ ଉଠାଣ କିମ୍ବା ବଣ୍ଟନ କରିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଡିଲର ସଂଘ ସଭାପତି ମଧୁସୂଦନ ସାହୁଙ୍କ ନେତୃତ୍ୱରେ କଟକ ସହରର ସମସ୍ତ ଡିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ୫ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭରେ କାର୍ଯ୍ୟକାରୀ ସଭାପତି ସୟଦ ଏକ୍ରାମ ହୁସେନ, ଉପସଭାପତି ପୀତବାସ ଜେଠୀ, ପୂର୍ଣ୍ଣଚନ୍ଦ୍ର ସାହୁ, ସହ ସମ୍ପାଦକ ବିଜୟ କୁମାର ସାହୁ, ପ୍ରେମ କୁମାର ସେନ, ବିନୟ ବୈଶାଖ, ଚନ୍ଦ୍ରମଣି ମହାରଣା, ତାପସ ମହାନ୍ତି, ସଂଗଠନ ସମ୍ପାଦକ ଅଭିମନ୍ୟୁ ନାୟକ ୱାର୍ଡ ପ୍ରତିନିଧ ଶିବ ସେଠୀ, ନଗେନ ସାହୁ, ସେକ ହଲିମ, ଦେବେନ୍ଦ୍ର ପତ୍ର, ବୀରକିଶୋର ବେହେରା, ପ୍ରଦୀପ ପ୍ରସାଦ, ଉମାକାନ୍ତ ସାହୁ, ପ୍ରଶାନ୍ତ ଜେନା, ସାରଦା ପ୍ରସନ ମହାନ୍ତି, ବିଜନ କୁମାର ସାହୁଙ୍କ ସମେତ ୧ନମ୍ବର ୱାର୍ଡରୁ ଆରମ୍ଭ କରି ୫୯ଟି ୱାର୍ଡ ପର୍ଯ୍ୟନ୍ତ କାର୍ଯ୍ୟରତ ଶତାଧିକ ଖୁଚୁରା ବିକ୍ରେତା ଯୋଗ ଦେଇଥିଲେ ।

