ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲରେ ପହଞ୍ଚିଲା ବିଜୟ ମଶାଲ : ବୀର ଯୋଦ୍ଧାଙ୍କ ଉପସ୍ଥିତିରେ ପାଳନ ହେଲା ସ୍ୱର୍ଣ୍ଣିମ ବିଜୟ ବର୍ଷ


ଭୁୁବନେଶ୍ୱର (ଏନ୍‍.ଏମ୍‍.): ଭୁବନେଶ୍ୱର ୟୁନିଟ୍‌-୮ ଡିଏଭି ପବ୍ଲିକ୍ ସ୍କୁଲଠାରେ ପବିତ୍ର ବିଜୟ ମଶାଲ ପହଁଚିବା ପରେ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏହାକୁ ଏନ୍‌.ସି.ସି କ୍ୟାଡେଟ୍‌ଙ୍କ ଦ୍ୱାରା ଗ୍ରହଣ କରାଯାଇ ବିଦ୍ୟାଳୟର ପ୍ରେକ୍ଷାଳୟ(ଭି.ଆର. ହଲ)କୁ ଅଣାଯାଇଥିଲା । ସେଠାରେ ବିଜୟ ମଶାଲ ଅବସ୍ଥାପିତ ହେବା ପରେ ପ୍ରଥମେ ଜାତୀୟ ସଂଗୀତ ପରିବେଷଣ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ସାଧାରଣ ସଭାରେ ଅତିଥି ଭାବେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବହୁ ସମ୍ମାନଜନକ ସେବା ମେଡାଲର ଅଧିକାରୀ ଲେଫ୍ଟଟନାଣ୍ଟ ଜେନେରାଲ ଜୟନ୍ତ କୁମାର ମହାନ୍ତି ଏବଂ ବ୍ରିଗେଡିୟର ବରଦା ପ୍ରସାଦ ପଟ୍ଟନାୟକ ଯୋଗଦେଇ ଯୁଦ୍ଧରେ ସେମାନଙ୍କର ଯୋଗଦାନ, ଯୁଦ୍ଧକୌଶଳ, ବିଜୟର ସଫଳତା ଏବଂ ସାଥୀ କେତେକ ବୀର ଯବାନଙ୍କ ଦେଶ ପାଇଁ ଲଢେଇରେ ବଳିଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଲେ ଯେ, ଶାନ୍ତିପ୍ରିୟ ଦେଶ ଆମ ଭାରତ ସବୁବେଳେ ବିଶ୍ୱ ସମୁଦାୟକୁ ଶାନ୍ତିର ବାର୍ତା ଦେଇ ଆସିଛି । କିନ୍ତୁ ପୂର୍ବ ପାକିସ୍ତାନରେ ଯେତେବେଳେ ମାନବାଧିକାର ଏବଂ ସାଧାରଣ ଲୋକଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି, ସେତେବେଳେ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ସ୍ୱତନ୍ତ୍ର ବାଂଲାଦେଶ ରାଷ୍ଟ୍ର ଗଠନ ପାଇଁ ଭାରତ ନିଜର କର୍ତ୍ତବ୍ୟ କରିଛି । ଏଥିପାଇଁ ଆମ ପ୍ରତିରକ୍ଷା ଦାୟିତ୍ୱରେ ଥିବା ସ୍ଥଳବାହିନୀ, ନୌବାହିନୀ ଓ ବାୟୁସେନାଙ୍କର ଅପୂର୍ବ ବୀରତ୍ୱ ପ୍ରତି ସ୍ୱର୍ଣ୍ଣିମ ବିଜୟ ଦିବସ ବର୍ଷ ପାଳନ ଅବସରରେ ଆମେ ଅତ୍ୟନ୍ତ ଗର୍ବ କରିବା ସହ ସେମାନଙ୍କୁ ଗଭୀର ଶ୍ରଦ୍ଧା ଓ ସମ୍ମାନ ଜଣାଉଛୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଏଭି ପବ୍ଲିକ୍ ସ୍କୁଲର ଆଞ୍ଚଳିକ ଅଧିକାରୀ ଡକ୍ଟର କେଶବ ଚନ୍ଦ୍ର ଶତପଥୀ, ଡି.ଏ.ଭି ୟୁନିଟ-୮ର ପରିଚାଳକ ଡକ୍ଟର ଡି.ଏନ୍‌.ମିଶ୍ର, ସହକାରୀ ଆଞ୍ଚଳିକ ଅଧିକାରୀ, ଡିଏଭି ଓଡିଶା ଜୋନ ଡକ୍ଟର ସୁଜାତା ଯୋଗଦେଇ ବିଜୟ ମଶାଲକୁ ସମ୍ମାନ ଜଣାଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବୀର ଯବାନଙ୍କ ସ୍ମୃତିରେ ମନୋଜ୍ଞ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *