ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

News by Ajit Kumar Mallick (Konark)

କୋଣାର୍କ (ଏନ‌.ଏମ‌.): କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ପାଖରେ ହବିଷ ବ୍ରତ କରିବାକୁ ହବିଷ୍ୟାଳୀ ମାନେ ପୁରୀ ଆସୁଥିବୋବେଳ ସେମାନଙ୍କ ସୁବିଧା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦେକ୍ଷପ ଗ୍ରହଣ କରାଯାଇଛି। ଆଜି ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀମାନଙ୍କ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା ବ୍ୟବସ୍ଥା, ଖାଇବା ଇତ୍ୟାଦିର ସୁବନ୍ଦୋବସ୍ତ ବିଗତ ବର୍ଷ ମାନଙ୍କ ରେ କରାଯାଇଥିଲା। ତେବେ କରୋନା ପାଇଁ ଗତ ଦୁଇ ବର୍ଷ ଏହି ବ୍ୟବସ୍ଥା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ହବିଷ୍ୟାଳୀ ମା’ ମାନଙ୍କ ପାଇଁ ପୁନଶ୍ଚ ଏହାର ବ୍ୟବସ୍ଥା କରାଯାଇଛି। ହବିଷ୍ୟାଳୀ ମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ବିବିଧ ବ୍ୟବସ୍ଥା ସମ୍ପର୍କରେ ଏକ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ବିଭାଗ ପରସ୍ପର ସମନ୍ବୟ ରଖି ସୁଚାରୁ ରୂପେ ଓ ଶୃଙ୍ଖଳିତ ଭାବେ ଏହାକୁ ସମ୍ପାଦାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଗଲା ଯେ, ହବିଷ୍ୟାଳୀ ମାନଙ୍କୁ ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଓ ମୋଚି ସାହି ସ୍ଥିତ ମୁନିସିପାଲ୍ଟି କଲ୍ୟାଣ ମଣ୍ଡପ ଠାରେ ରଖାଯିବ। ସେମାନଙ୍କର ପଞିକରଣ ପାଇଁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଥିବାରୁ ତାହାର ଡାଟାବେଶକୁ ତ୍ୱରାନ୍ୱିତ କରାଯିବ। ଆବେଦନ ଗୁଡିକୁ ଯାଞ୍ଚ ପରେ ଯୋଗ୍ୟ ହବିଷ୍ୟାଳୀଙ୍କ ପାଇଁ ସମସ୍ତ ସୁବିଧା କରାଯିବ। ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖ ଠାରୁ ନଭେମ୍ବର ୮ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନଙ୍କର ରହିବା ବ୍ୟବସ୍ଥା କରାଯାଇଛି। ସେମାନଙ୍କ ମହାପ୍ରସାଦ ସେବନ,ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ,ବିଦ୍ୟୁତ ଯୋଗାଣ,ଅଗ୍ନି ନିର୍ବାପକ ବ୍ୟବସ୍ଥା, ପରିବହନ ବ୍ୟବସ୍ଥା, ପ୍ରବଚନ ଓ ଭାଗବତ କଥାମୃତ ଇତ୍ୟାଦି ର ମଧ୍ୟ ସୁବନ୍ଦୋବସ୍ତ କରାଯିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ ପି ମିହିରପ୍ରସାଦ ପଣ୍ଡା, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ମନ୍ଦିର କମିଟି ସଦସ୍ୟ ବୃନ୍ଦ, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ ଚଳିତ ମାସ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଆବେଦନକାରୀ www.puri.nic.in ସାଇଟରୁ ଫର୍ମ ପୂରଣ କରି ପୁରୀ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ oritourpuri@gmail.com ରେ ଅନଲାଇନ ବା ଅଫଲାଇନ, ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିପାରିବେ।ଦରଖାସ୍ତକାରୀଙ୍କ ନାମ, ବୟସ, ସ୍ଥାୟୀ ଓ ବର୍ତ୍ତମାନର ଠିକଣା, ଯୋଗାଯୋଗ ନମ୍ବର ବା ମେଲ ଆଇଡି, ଜରୁରୀ ଆବଶ୍ୟକତା ପାଇଁ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବର, ଆଧାର ବା ଭୋଟର ପରିଚୟ ପତ୍ର ନମ୍ବର, ଆବେଦନ ପତ୍ରରେ ଗୋଟିଏ ଓ ଅନ୍ୟ ଦୁଇଟି ପାସପୋର୍ଟ ସାଇଜ ଫଟୋ ସହ ଆବେଦନ କରିପାରିବେ। ଆବେଦନ କାରୀ ଡବଲ ଡୋଜ କୋଭିଡ ଟୀକା ନେଇଥିବା ଜରୁରୀ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *