ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‍.ଏମ୍‍.): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ମିଶ୍ରଣ ଘଟିବ । ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ । ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କରମାଲକର ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି ।
ସାଧାରଣଲୋକଙ୍କ ହିତ ପାଇଁ ଉଭୟ ଅନୁଷ୍ଠାନ ରୋଗର ତ୍ୱରିତ ଚିହ୍ନଟ, ଶୀଘ୍ର ନିରାକରଣ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଏବଂ ତଥ୍ୟର ବିଶ୍ଳେଷଣ, ଜୈବ ପ୍ରାଦ୍ୟୋଗିକ ଜ୍ଞାନକୌଶଳ, ରୋଗର ପୂର୍ବାନୁମାନ କୌଶଳ ସୃଷ୍ଟି, ଡିଜିଟାଲ ସ୍ୱାସ୍ଥ୍ୟ, ଚିକିତ୍ସା କ୍ଷେତ୍ର ନିମନ୍ତେ ବିଭିନ୍ନ ଉପକରଣର ବିକାଶ ଏବଂ ଏହି କ୍ଷେତ୍ରରେ ଉନ୍ନତ ଗବେଷଣା ନିମନ୍ତେ ସହଯୋଗ କରିବାକୁ ସହମତ ହୋଇଛନ୍ତି । ରାଜ୍ୟରେ ପ୍ରଥମ କରି ହୋଇଥିବା ଏପରି ପ୍ରୟାସ ଜନସ୍ୱାସ୍ଥ୍ୟ ଏବଂ ରୋଗୀ ଚିକିତ୍ସା କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ରୋଗର ନିରାକରଣ ଏବଂ ଚିକିତ୍ସାରେ ବେଶ ସହାୟକ ହେବବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ପ୍ରକାଶ କରିଛନ୍ତି । ଏହି ବୁଝାମଣା ଫଳରେ ବିଭିନ୍ନ ରୋଗର ଚିହ୍ନଟ, ଚିକିତ୍ସାଉପକରଣ, ଆପ୍‌, ପରିଧାନଯୋଗ୍ୟ ସେନ୍ସର ବିକାଶ, ପ୍ରତି ଛବି ଭିତ୍ତିକ ନିରାକରଣ(ଇମେଜିଂ) ଆଦି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗକୁ ସୁଦୃଢ଼ କରିବ । ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏପରି ବୁଝାମଣାକୁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍ ମାଣ୍ଡଭିୟ ସର୍ବଦା ଉତ୍ସାହିତ କରିଥାଆନ୍ତି । ସଫତଳାର ସହିତ ଏହି ଏମଓୟୁ ସ୍ୱାକ୍ଷରିତ ହେବାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଉଭୟ ମନ୍ତ୍ରୀଙ୍କୁ ଡ. ବିଶ୍ୱାସ କୃତଜ୍ଞତା ଜଣାଇଛନ୍ତି । ଏପରି ନିଆରା ବୁଝାମଣାରେ ଖୁସି ପ୍ରକଟ କରିବା ସହିତ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ୍ କରମଲକର କହିଛନ୍ତି ଯେ ଆଇଆଇଟି ଭୁବନେଶ୍ୱର ଏବଂ ଏମ୍ସ ସାମୂହିକ ଭାବେ ସମ୍ଭାବ୍ୟ ପାରସ୍ପରିକ ଭାଗିଦାରୀ ଉପରେ ଦୃଷ୍ଟି ରଖିଛନ୍ତି । ଏହି ଦୁଇଟି ଅନୁଷ୍ଠାନ ମଧ୍ୟରେ ହୋଇଥିବା ବୁଝାମଣା ରାଜ୍ୟ ତଥା ସମଗ୍ର ଦେଶରେ ସାମାଜିକ ପ୍ରଭାବ ବୃଦ୍ଧି କରିବ । ଜନହିତକର କାର୍ଯ୍ୟ ପାଇଁ ଏହି ପ୍ରୟାସ ବେଶ ସଫଳ ହେବ । ଏପରି ଏମଓୟୁକୁ ଉତ୍ସାହିତ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଶ୍ରୀ କରମଲକର । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏପରି ଜ୍ଞାନକୌଶଳର ପ୍ରୟୋଗ ଠୋସ୍ ଫଳାଫଳ ଆଣିବା ନେଇ ଶତପ୍ରତିଶତ ପ୍ରୟାସ କରାଯିବ ବୋଲି କହିଛନ୍ତି ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ । ଅସ୍ଥିଶଲ୍ୟ, ରେଡିଓଲୋଜି, କର୍କଟ ଭଳି ବିଭିନ୍ନ ବିଭାଗରେ କୃତ୍ରିମ ବୁଦ୍ଧିମତାର ପୟୋଗ ଫଳରେ ବେଳ ଥାଉ ଥାଉ ସ୍ତନ କର୍କଟ ଭଳି ରୋଗକୁ ମଧ୍ୟ ଚିହ୍ନଟ କରାଯାଇ ପାରିବ । ଯାହାକି ଏହାର ଚିକିତ୍ସାକୁ ସହଜ କରିବ । ସେହିପରି ଉଭୟ ଅନୁଷ୍ଠାନ ଏକ ଉତ୍ସର୍ଗୀକୃତ ଅତ୍ୟାଧୁନିକ ଗବେଷଣାଗାର ବିକାଶ ଉପରେ ଧ୍ୟାନ ଦେବେ । ଏଥିସହିତ “ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି” ଭଳି ଏକ ଉନ୍ନତ ଅନୁସନ୍ଧାନ କେନ୍ଦ୍ର ସ୍ଥାପନା ସହିତ ବିଭିନ୍ନ ଚିକିତ୍ସା ସାମଗ୍ରୀ ଏବଂ ଉପକରଣ ଉତ୍ପାଦନର ମାର୍ଗ ପ୍ରସ୍ତୁତ ହେବ । ଏହି ଅବସରରେ ଏମ୍ସ ଭୁବନେଶ୍ୱର ଷ୍ଟାଣ୍ଡିଂ ଏକାଡେମିକ୍ କମିଟି ଅଧ୍ୟକ୍ଷ ପ୍ରଫେସର ଯୋଗେଶ କେ. ଚାୱଲା, ମେଡିକାଲ୍ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ସହଯୋଗୀ ଡିନ୍ (ଅନୁସନ୍ଧାନ) ଡ. ଭାଗିରଥୀ ଦ୍ୱିବେଦୀ, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଭାରପ୍ରାପ୍ତ ଡିଡିଏ ରଶ୍ମୀରଂଜନ ସେଠୀ, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଦିନାକର ପାସ୍ଲା, ପି କେ ସାହୁ, ବ୍ରହ୍ମ ଦେଓ ଏବଂ ଟି ଭି ସତ୍ୟମ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *