ସିକିମ ସତ୍ତ୍ୱ ରୟତ ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ: ପ୍ରଥମ ଦିନରେ ପାଇଲେ ୧୦ହଜାର ହିତାଧିକାରୀ

ସିକିମ ସତ୍ତ୍ୱ ରୟତ ଜମି ପଟ୍ଟା ପାଇବେ ୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ: ପ୍ରଥମ ଦିନରେ ପାଇଲେ ୧୦ହଜାର ହିତାଧିକାରୀ

#ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ । ସିକିମ ସ୍ୱତ୍ତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜନସାଧାରଣଙ୍କ ସମସ୍ୟାର ସମାଧାନ ଉପରେ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେଇ ଆସିଛି । ସିକିମ ରୟତମାନଙ୍କର ସମସ୍ୟା ବହୁ ଦିନର ସମସ୍ୟା ଥିଲା । ଜମି ଉପରେ ସେମାନଙ୍କ ଅଧିକାର ନଥିବାରୁ ସେମାନଙ୍କର ଆର୍ôଥକ ଓ ସାମାଜିକ ଜୀବନ ପ୍ରଭାବିତ ହେଉଥିଲା । ସରକାରଙ୍କ ବିଭିନ୍ନ କୃଷି ବିକାଶ କାର୍ଯ୍ୟକ୍ରମରେ ମଧ୍ୟ ସେମାନେ ଲାଭ ପାଇପାରୁ ନଥିଲେ । ସିକିମ ରୟତମାନଙ୍କର ଶହ ଶହ ବର୍ଷର ସମସ୍ୟାର ସମାଧାନକୁ ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରି ଲୋକମାନଙ୍କର ଖୁସି ହିଁ ତାଙ୍କର ସବୁଠାରୁ ବଡ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଜିଲ୍ଲା ଗସ୍ତ ଅବସରରେ ସିକିମ ରୟତମାନେ ତାଙ୍କୁ ଭେଟି ସେମାନଙ୍କର ଅସୁବିଧା ବିଷୟରେ ଜଣାଇଥିଲେ । ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାରେ ଗ୍ରାମକଣ୍ଠ ଓ ପରମ୍ବୋକ ଜମି ସମସ୍ୟାର ମଧ୍ୟ କିଛି ଦିନ ତଳେ ସମାଧାନ କରାଯାଇଥିଲା । ଜନସାଧାରଣଙ୍କ ସମସ୍ୟାର ସମାଧାନ ପ୍ରତି ଏହା ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ଓ ନିଷ୍ଠାର ପରିଚୟ ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ଏହି ଆଇନଗତ ପଦକ୍ଷେପ ବଳରେ ସିକିମ ଜମି ଉପରେ ଜମି ସ୍ୱତ୍ୱ ଥିବା ରୟତମାନେ ବଂଶାନୁକ୍ରମିକ ଓ ହସ୍ତାନ୍ତରଯୋଗ୍ୟ ଅଧିକାର ପ୍ରାପ୍ତ ହେଲେ । ଏଥି ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଜ ଆଡୁ ମକଦମା କରି ଏହି ସବୁ ସିକିମ ଜମି ସମସ୍ୟାର ସମାଧାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରି କହିଥିଲେ ଯେ, ଏହି ସିକିମ ରୟତ ସମସ୍ୟା ଦୀର୍ଘ ୫୦ ବର୍ଷରୁ ଅଧିକ ବର୍ଷର ସମସ୍ୟା ହୋଇ ରହିଥିଲା । ଜିଲ୍ଲାଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଥମେ ଏହି ଆବେଦନ ଆସିଥିଲା । ଖୁବ ଶୀଘ୍ର ଏହାର ସମାଧାନ କରାଗଲା । ବାକି ରହିଯାଇଥିବା ଜମି ପଟ୍ଟା ପ୍ରଦାନ କାର୍ଯ୍ୟକୁ ଶୀଘ୍ର ଶେଷ କରି ସ୍ୱଚ୍ଛତା ଓ ସମ୍ମାନର ସହ ବଣ୍ଟନ କରିବା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ଗଂଜାମ ଜିଲ୍ଲାର ୧୦୦ ବର୍ଷରୁ ଉର୍ଦ୍ଧ୍ୱ ଗ୍ରାମକଣ୍ଠ ପରମ୍ବୋକ ସମସ୍ୟା ରହିଥିଲା । ୨୦୦୯ ମସିହାରେ ଆଇନ ବଦଳାଇ ମୁଖ୍ୟମନ୍ତ୍ରୀ ତା’ର ସଂଶୋଧନ କଲେ । ଆପଣମାନେ ସମସ୍ତେ ଏହାର ଉପକୃତ ହେଲେ । ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଚକ ଜମି ବିକ୍ରୀ ଅସୁବିଧାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୂର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଲୋକଙ୍କ ସେବା ପାଇଁ, ଲୋକଙ୍କୁ ସଶକ୍ତ କରିବ ପାଇଁ ଆଇନ ରହିଛି । ଲୋକଙ୍କ ହିତ ପାଇଁ ଆଇନକୁ ମଧ୍ୟ ସଂଶୋଧନ କରାଯିବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟରୁ କେନ୍ଦ୍ରାପଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସାବ୍ୟସାଚୀ ନାୟକ, ଜଗତସିଂହପୁରରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଟକରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, ସିଏମସି ମେୟର ସୁବାସ ଚନ୍ଦ୍ର ସିଂହ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, ବରିଷ୍ଠ ବିଧାୟକ ପ୍ରତାପ ଜେନା, ଚନ୍ଦ୍ରସାରଥୀ ବେହେରା, ପ୍ରଶାନ୍ତ ବେହେରା, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଉପଜିଲ୍ଲାପାଳ କମଲଜିତ୍ ଦାସ୍‌, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ଓ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାର ୧୫ଟି ତହସିଲ ଅନ୍ତର୍ଗତ ୧୮୬୦ଜଣ ହିତାଧିକାରୀଙ୍କୁ ଆଜି କଟକ ଠାରେ ଉକ୍ତ ସମାରୋହରେ ପଟ୍ଟା ପ୍ରଦାନ କରିଥିଲେ । ସେହିଭଳି ବାଲେଶ୍ୱରରେ ବିଧାୟକ ସ୍ୱରୂପ ଦାସ, ଖୋର୍ଦ୍ଧାରେ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଗଂଜାମରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଓ ପୁରୀରେ ରାଜ୍ୟ ଯୋଜନା ବୋର୍ଡ ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପ୍ରମୁଖ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଉପସ୍ଥିତ ରହି ସିକିମ ରୟତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସିକିମ ରୟତ ପଟ୍ଟା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଓ ଦୂରଦର୍ଶୀ ନେତୃତ୍ୱ ଯୋଗୁ ବହୁ ବର୍ଷର ସମସ୍ୟା ହୋଇ ପଡିରହିଥିବା ଏହି ସିକିମ ରୟତ ସମସ୍ୟାର ଆଜି ସମାଧାନ ହୋଇଛି । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେବ ।

Leave a Reply

Your email address will not be published. Required fields are marked *