ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ, ଯାତ୍ରୀ ସୁରକ୍ଷିତ


କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଖପୁରିଆ ପ୍ରେସ ଛକ ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ। ସଂଧ୍ୟାବେଳେ ବସଟି କଟକରୁ ଭୁବନେଶ୍ୱର ଯାଉଥିବାବେଳେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ବସରେ ଥିବା ଯାତ୍ରୀମାନଙ୍କୁ ସ୍ଥାନୀୟ ମଧୁପାଟଣା ପୁଲିସ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କରାଯାଇଥିବାବେଳେ କାହାରି କିଛି କ୍ଷତି ହୋଇ ନାହିଁ। ତେବେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ବସରେ ଅଗ୍ନିକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଦୀର୍ଘ ସମୟ ଧରି ରାସ୍ତା ଉପରେ ବସଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ ମଧ୍ୟ ନିଆଁର ତିବ୍ରତାକୁ ଦେଖି କେହି ପାଖକୁ ଯାଇ ପାରିନଥିଲେ। ଅଗ୍ନିକାଣ୍ଡ ଯୋଗୁଁ ରାସ୍ତାରେ ଦୀର୍ଘ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା। ଗତ କିଛି ଦିନ ଧରି ମୋ ବସ ଦୁର୍ଘଟଣାର ମାତ୍ରା ବଢ଼ିବାରେ ଲାଗିଛି। କେଉଁଟି ଧକ୍କା ହୋଇ ଯାଉଛି ତ ଆଉ କେଉଁଠି ହୁତୁ ହୁତୁ ହୋଇ ଜଳି ଯାଉଛି। ତେବେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ବସଗୁଡ଼ିକ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *