ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ

ରାଜ୍ୟରେ ମଡେଲ ମଣ୍ଡି ନିର୍ମାଣ କରାଯିବ, ଚାଷୀମାନେ ସୁବିଧାରେ କୃଷିଜାତ ଦ୍ରବ୍ୟ ବିକ୍ରି କରିପାରିବେ- ଯୋଗାଣ ମନ୍ତ୍ରୀ
ପ୍ରଥମ ପର୍ଯ୍ୟାୟରେ ୫୨ଟି ମଡେଲ ମଣ୍ଡି ନିର୍ମାଣ କରାଯିବ
ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ

Photo From I&PR Odisha

ଭୁବନେଶ୍ୱର(ଏନ.ଏମ୍‌.): କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ସୁବିଧାରେ ବିକ୍ରିବଟାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଖରିଫ ଓ ରବିଧାନ ସମେତ ବିଭିନ୍ନ କୃଷିଜାତ ଦ୍ରବ୍ୟ ସଂଗୃହୀତ ହେଉଥିବା ମଣ୍ଡିଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଇ ମଡେଲ ମଣ୍ଡି ସ୍ଥାପନ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ମଡେଲ୍ ମଣ୍ଡିରେ ସମସ୍ତ ପ୍ରକାର ମୌିଳିକ ସୁବିଧାସୁଯୋଗ ରହିବ ଓ ଏହା ଚାଷୀମାନଙ୍କର ଆବଶ୍ୟକତା ପୂରଣ ଦିଗରେ ସହାୟକ ହେବା ସହିତ ଚାଷୀମାନେ ସହଜରେ ଓ ସୁବିଧାରେ ସେମାନଙ୍କର କୃଷିଜାତ ଦ୍ରବ୍ୟ ମଣ୍ଡିରେ ବିକ୍ରିକରି ସରକାରଙ୍କ ଦ୍ୱାରା ପ୍ରଦତ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ, ମଡେଲ ମଣ୍ଡି ନିର୍ମାଣ ଦ୍ୱାରା ମଣ୍ଡିର କାର୍ଯ୍ୟଦକ୍ଷତାରେ ପ୍ରଭୂତ ଉନ୍ନତି ଆସିପାରିବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୫୨ଟି ମଡେଲ୍ ମଣ୍ଡି ନିର୍ମାଣ କରାଯିବ । ଅଧିକ ଧାନସଂଗ୍ରହ ହେଉଥିବା ଜିଲ୍ଲା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ଦେବଗଡ଼, ମୟୂରଭଞ୍ଜ, କୋରାପୁଟ ଏବଂ ରାୟଗଡ଼ା ଆଦି ଜିଲ୍ଲାକୁ ପ୍ରାଥମିକତା ପ୍ରଦାନ କରି ମଡେଲ ମଣ୍ଡି ଓ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କରାଯାଉଅଛି । ଏହା ଦ୍ୱାରା ଚାଷୀଙ୍କଠାରୁ ଧାନ, ଡାଲି ଓ ତୈଳବୀଜ ସୁବିଧାରେ ସଂଗ୍ରହ ହେବା ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ସାର ଓ ବିହନ ଗଚ୍ଛିତ ରଖି ବିକ୍ରି କରିବାରେ ସୁବିଧା ହେବ । ପ୍ୟାକ୍ସ/ଲ୍ୟାମ୍ପସ୍‌ଗୁଡ଼ିକୁ ୱାନ୍ ଷ୍ଟପ୍ ସେଣ୍ଟରରେ ପରିଣତ କରାଯାଇ ଚାଷୀମାନଙ୍କୁ ଗୋଟିଏ ସ୍ଥାନରେ ସବୁପ୍ର୍ରକାରର ସୁବିଧାସୁଯୋଗ ଦିଆଯାଇପାରିବ । ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ ଦ୍ୱାରା ବହୁମୁଖୀ ଗୋଦାମ ଗୃହର ମଡେଲ ଡିଜାଇନ୍‌? ଓ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି । ପ୍ରତିଟି ବହୁମଖୀ ଗୋଦାମ ଗୃହ ନିର୍ମାଣ ନିମନ୍ତେ ୨୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ବହୁମୁଖୀ ଗୋଦାମ ଗୃହରେ ଅଫିସ କାର୍ଯ୍ୟାଳୟ ସମେତ ପାନୀୟ ଜଳ ଓ ଶୌଚାଳୟର ସୁବିଧା ରହିବ । ପ୍ୟାକ୍ସ/ଲ୍ୟାମ୍ପସ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୨୮ଟି ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ବୈଠକରେ ପ୍ୟାକ୍ସ/ଲ୍ୟାମ୍ପସ୍‌ର ଅଡ଼ିଟ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରି ବକେୟା ଅଡିଟ୍ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସମବାୟ ବିଭାଗର ସଚିବ ତଥା ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦର ସଦସ୍ୟ ସଚିବ ସଂଜୀବ କୁମାର ଚଢ଼ା, ସମବାୟ ସମିତି ସମୂହର ନିବନ୍ଧକ ଡ. ଉଦ୍ଧବ ଚରଣ ମାଝୀ, ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଅଡିଟର ଜେନେରାଲ, ସମବାୟ ସମିତି ଭରତ ଚନ୍ଦ୍ର ବେହେରାଙ୍କ ସମେତ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *