ରମାକାନ୍ତ ଜେନା ପାଇବେ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’

#କଟକ(ଏନ୍.ଏମ୍.): ବିଶିଷ୍ଟ କବି ତଥା ‘ଗୋକର୍ଣ୍ଣିକା’ର ସମ୍ପାଦକ ରମାକାନ୍ତ ଜେନା ଚଳିତ ବର୍ଷର ମର୍ଯ୍ୟାଦାଜନକ “ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାରସ୍ୱତ ସମ୍ମାନ’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ କଟକ ସାରଳା ଭବନଠାରେ ବିଶିଷ୍ଟ ସାରସ୍ୱତ ସାଧକ, ଗବେଷକ, ବାଗ୍ମୀ ପ୍ରଫେସର ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏହି ସମ୍ମାନ ସ୍ମୃତି ସଂସଦ ପକ୍ଷରୁ ଶ୍ରୀ ଜେନାଙ୍କୁ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ଉପସଭାପତି ନାଟ୍ୟକାର ସଂଜିତ୍ ପଟ୍ଟନାୟକ ଓ ସଂପାଦିକା କ୍ଷୀରାବ୍ଧି ତନୟା ମହାନ୍ତି ଜଣାଇଛନ୍ତି । ସୂଚନାଯୋଗ୍ୟ ଶ୍ରୀ ରମାକାନ୍ତ ଜେନା ଜଣେ ବିଶିଷ୍ଟ କବି, ପ୍ରାବନ୍ଧିକ ଓ କଥାକାର ଭାବରେ ସୁପରିଚିତ । ୧୯୭୮ ମସିହାରୁ ସେ ‘ଗୋକର୍ଣ୍ଣିକା’ ସାହିତ୍ୟ ପତ୍ରିକାର ସଂପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ତାଙ୍କ ଲେଖନୀ ନିଃସୃତ ‘ସ୍ମୃତିର ପାହାଚ’, ‘ଇଚ୍ଛାର ସମୁଦ୍ର’, ‘ଅନେକ ବର୍ଷ ପରେ’, ‘ମାଟିମୋହ’, ‘ଅନାସକ୍ତ ପଥିକ’ ପ୍ରଭୃତି କବିତା ଗ୍ରନ୍ଥ, ‘ଅନ୍ୟ ଦୃଷ୍ଟି’ ଗଳ୍ପ ସଂକଳନ, ‘ଦୃଷ୍ଟିପାତ’ ପ୍ରଭୃତି ପ୍ରବନ୍ଧ ଗ୍ରନ୍ଥ ଆମ ବାଣୀଭଣ୍ଡାରର ଅମୂଲ୍ୟ ସମ୍ପଦ ବୋଲି ସ୍ମୃତି ସଂସଦ ପକ୍ଷରୁ କୁହାଯାଇଛି ।
