ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେଲା ମା’ ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ହେଲା ମା’ ଶାରଳା ମନ୍ଦିର ଉନ୍ନତିକରଣ ମାଷ୍ଟରପ୍ଲାନ
ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୪୨ କୋଟି, ନଣ୍ଡାଦେଉଳ ପାଖରେ ହେବ ସାରଳା ଦାସଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ

ଜଗତସିଂହପୁରରୁ ରମେଶ ମହାନ୍ତିଙ୍କ ରିପୋର୍ଟ

ଜଗତସିଂହପୁର(ଏନ୍‌.ଏମ୍‌): ଓଡିଶାର ପ୍ରାଚୀନ ଶକ୍ତି ପୀଠ ମଧ୍ୟରୁ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା’ଶାରଳାଙ୍କ ପୀଠ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା’ ଶାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରି ଆଦିକବି ହୋଇଥିଲେ । ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜାମାନଙ୍କ ଦ୍ୱାରା ନିର୍ମିତ ସାରଳା ମନ୍ଦିର ସବୁବେଳେ ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହିଛି । ମା’ଙ୍କ ଆଶୀର୍ବାଦ ପାଇଁ ଏହି ଝଙ୍କଡ଼ ପୀଠରେ ସବୁବେଳେ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ ।
ତେବେ ଝଙ୍କଡ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ କିଛି ଦିନ ପୂର୍ବେ ମା’ ଶାରଳାଙ୍କ ପୀଠ ପରିଦର୍ଶନ କରି, ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନଙ୍କ ସହ ମା’ଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ । ସବୁ ଦିଗକୁ ଦୃଷ୍ଟିରେ ରଖି ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ୫-ଟି ଉପକ୍ରମରେ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ଏହାକୁ ଇଣ୍ଟେଗ୍ରେଡ ଡେଭଲପମେଣ୍ଟ ଅଫ ହେରିଟେଜ ଆଣ୍ଟ ମନୁମେଣ୍ଟ ଆଣ୍ଡ ଟୁରିଷ୍ଟ ଡେଷ୍ଟିନେସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏ ନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ବୈଠକରେ ଏହି ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିରମାନଙ୍କ ବିକାଶ ହେବାସହ ଚନ୍ଦନ ପୁଷ୍କରିଣୀର ବିକାଶ ଏବଂ ପୂର୍ବ ପଶ୍ଚିମ ଉତ୍ତର ଓ ଦକ୍ଷିଣ ଦ୍ୱାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରାଯିବ । ଏତଦ୍‌ବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜାର, ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ । ଏଥିସହିତ ଯାତ୍ରୀ ତଥା ସେବାୟତ ମାନଙ୍କ ସୁବିଧା ପାଇଁ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୋଲିସ କଣ୍ଟ୍ରୋଲ ରୁମ୍‌, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ । ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ । ଏତଦ୍‌ବ୍ୟତୀତ ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ । ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ । ବର୍ତ୍ତମାନର ସପିଂ କମ୍ପେ୍ଲକ୍‌ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ସେଠାରେ ଗାଡି ମଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ । ଝଙ୍କଡ ପୀଠ ସହିତ ଓଡିଆ ସାହିତ୍ୟର ଉନ୍ମେଷ ଜଡିତ । ମା’ଙ୍କ କୃପାରୁ ସାରଳା ଦାସ ସିଦ୍ଧି ଲାଭ କରି ଓଡିଆ ଭାଷାରେ ମହାଭାରତ ରଚନା କରିଥିଲେ । ଓଡିଆ ସାହିତ୍ୟରେ ନୂଆ ଯୁଗର ଆରମ୍ଭ କରିଥିଲେ । ଆଦିକବିଙ୍କ ସ୍ମୃତିରେ ନଣ୍ଡା ଦେଉଳ ବରଗଛ ନିକଟରେ ସାରଳା ଦାସଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏତଦ ବ୍ୟତୀତ ଦ୍ୱିତୀୟ ପର୍ଯ୍ୟାୟରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଚଉଡା କରାଯିବ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି.କେ ପାଣ୍ଡିଆନ ସଂଯୋଜନା କରିଥିଲେ । ଆଲୋଚନାରେ ଭାଗ ନେଇଥିବା ସେବାୟତମାନେ ବିଭିନ୍ନ ପୀଠର ଉନ୍ନତି ପାଇଁ ସରକାରଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିବା ସହିତ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଉପସ୍ଥାପନାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ, ଜଗତସିଂହପୁର ଜିଲ୍ଲାପାଳ ଓ ସେବାୟତ ମାନେ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *