ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଡିଆରଏମ କାର୍ଯ୍ୟାଳୟ ଅପରେସନ ଦାବି କଲେ କୋରାପୁଟ ସାଂସଦ

#ରାୟଗଡ଼ା(ଏନ୍.ଏମ୍.): ରାୟଗଡା ଠାରେ ସ୍ଥାପିତ ହୋଇଥିବା ନୂତନ ଡିଆରଏମ କାର୍ଯ୍ୟାଳୟ ବିଶାଖାପଟ୍ଟନମ ବଦଳରେ ରାୟଗଡ଼ାରୁ ଅପରେସନ କରିବାକୁ କୋରାପୁଟ ସାଂସଦ ସପ୍ତଗିରି ଉଲାକା ଦାବି କରିଛନ୍ତି। ଏଥିସହ ଦିନବେଳେ କୋରାପୁଟ ରାୟଗଡାରୁ ଭୁବନେଶ୍ୱର ରେଳ ଚଳାଚଳ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ରାୟଗଡ଼ା ରେଳ ଡିଭିଜନର କାର୍ଯ୍ୟକାରିତାକୁ ନେଇ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଲୋକସଭାରେ ପ୍ରଶ୍ନ ଉଠାଇବା ସହ ଦୀର୍ଘ ୮ବର୍ଷ ତଳେ ରାୟଗଡ଼ା ରେଳ ଡିଭିଜନ୍ ଘୋଷଣା ସରିଥିଲା। ଚଳିତ ବର୍ଷ ଆରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଭର୍ଚ୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଆରଏମ୍ କାର୍ଯ୍ୟାଳୟର ଶିଳାନ୍ୟାସ କରିଥିଲେ। ଏମିତିକି ପରବର୍ତ୍ତୀ ସମୟରେ ଡିଆରଏମ ମଧ୍ୟ ନିଯୁକ୍ତି ଦିଆଯାଇଛି। ହେଲେ ନାମକୁ ମାତ୍ର ରହିଛି ଏହି ରେଳ ଡିଭିଜନ ଘୋଷଣା। ରାୟଗଡ଼ା ଠାରେ ଡିଆରଏମ ରହିଥିବାବେଳେ ଏହାର ସମସ୍ତ ଅପରେସନ ଏବେ ମଧ୍ୟ ବିଶାଖାପଟ୍ଟନମ ଡିଭିଜନ୍ ଦ୍ୱାରା ହେଉଥିବା ଲୋକସଭାରେ ଅଭିଯୋଗ କରିଛନ୍ତି ସାଂସଦ ଶ୍ରୀ ଉଲାକା। ସେ କହିଛନ୍ତି ଯେ, ରାୟଗଡ଼ା ଡିଭିଜନ ଘୋଷଣା ହେବା ସହିତ ଡିଆରଏମ ରହିଥିବା ବେଳେ ଏହାର ସମସ୍ତ ଅପରେସନ ବିଶାଖାପଟ୍ଟନମରେ ହେବା ଦ୍ୱାରା ଏଠାରେ ବହୁ ଉନ୍ନତିମୂଳକ କାର୍ଯ୍ୟ ବିଳମ୍ବିତ ହେଉଛି। ତେଣୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବା ପାଇଁ ସଂସଦରେ ଦାବି କରିଛନ୍ତି ସାଂସଦ ଶ୍ରୀ ଉଲାକା। ଏଥିସହିତ ଦିନବେଳେ କୋରାପୁଟ ରାୟଗଡା ଦେଇ ଭୁବନେଶ୍ୱରକୁ ଟ୍ରେନ ଚଳାଚଳ ପାଇଁ ବାରମ୍ବାର ଦାବି କରାଯାଉଥିବା ବେଳେ ଏହାକୁ ଗୁରୁତ୍ୱ ଦିଆଯାଉନି ବୋଲି କହିଛନ୍ତି। ଏହା ଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ ବୋଲି କହିଛନ୍ତି।
