ବିଉଟିଫୁଲ ମାଇଣ୍ଡସ୍‍ ତରଫରୁ ତ୍ରିରାଷ୍ଟ୍ରୀୟ ଆଭାସି ବାଳୁତ କର୍ମଶାଳା

ବିଉଟିଫୁଲ ମାଇଣ୍ଡସ୍‍ ତରଫରୁ ତ୍ରିରାଷ୍ଟ୍ରୀୟ ଆଭାସି ବାଳୁତ କର୍ମଶାଳା


ଚିକାଗୋ (ଏଜେନ୍ସି): ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋସ୍ଥିତ ‘ବିଉଟିଫୁଲ୍‍ ମାଇଣ୍ଡସ୍‍ ୟୁଥ୍‍ ମେଣ୍ଟରିଂ ଫାଉଣ୍ଡେସନ’ ତରଫରୁ ନିକଟରେ ଏକ ଆନ୍ତର୍ଜାତିକ ବାଳୁତ କର୍ମଶାଳା ଆୟୋଜନ କରାଯାଇଥିଲା । ଅନ୍‍ଲାଇନ୍‍ ଯୋଗେ ଅନୁଷ୍ଠିତ ଏହି ମେଣ୍ଟରିଂ କାର୍ଯ୍ୟକ୍ରମରେ ଆମେରିକା, କାନାଡ଼ା ଓ ଭାରତବର୍ଷର ସ୍କୁଲ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ‘ଏହି ମୋର ଜୀବନ’ ଶୀର୍ଷକ ଉକ୍ତ ବାର୍ତ୍ତାଳାପ ଅଧିବେଶନକୁ ମୁଖ୍ୟତଃ ସକାଳର ନିତ୍ୟକର୍ମ, ଦ୍ୱିପହରର କାର୍ଯ୍ୟାବଳୀ ଏବଂ ସନ୍ଧ୍ୟା ସମୟର ସୂଚୀ ଆଦି ତିନି ଭାଗରେ ବିଭକ୍ତ କରାଯାଇଥିଲା । ଫାଉଣ୍ଡେସନର ସଭାପତି ସୁଚିସ୍ମିତା ପଣ୍ଡା ସମଗ୍ର ୱେବିନାରକୁ ସଂଯୋଜନା ଓ ସଂଚାଳନା କରିଥିଲେ ।
ପ୍ରାରମ୍ଭିକ ସୂଚନା ପ୍ରଦାନ କରି ‘ବିଉଟିଫୁଲ୍‍ ମାଇଣ୍ଡସ୍‍’ର ତରୁଣ ସହସଂସ୍ଥାପକ ନିଶାନ୍ତ ଷଢ଼ଙ୍ଗୀ, ଆବଶ୍ୟକୀୟ ସର୍ବନିମ୍ନ ସୁବିଧା ସୁଯୋଗରୁ ବଞ୍ôଚତ ଭାରତୀୟ ଶିଶୁ, ବାଳୁତ ଓ ଯୁବକମାନଙ୍କୁ ବିଶ୍ୱସ୍ତରୀୟ ପାରଦର୍ଶୀ ବନାଇବା, ତାଙ୍କ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦର୍ଶାଇଥିଲେ । ସମ୍ମିଳନୀରେ ଅଂଶଗ୍ରହଣକାରୀ ପିଲାମାନଙ୍କୁ ଭବ୍ୟ ସ୍ୱାଗତ ଜଣାଇ ସଭାପତି ସୁଚିସ୍ମିତା ପଣ୍ଡା, ସେମାନଙ୍କୁ ସତ୍ୟ, ନ୍ୟାୟ, ସଚ୍ଚୋଟ, ସ୍ପଷ୍ଟବାଦୀ, ସାକାରତ୍ମକ ଦୃଷ୍ଟିକୋଣ ଆଧାରିତ ଜୀବନଯାପନ କରିବାକୁ ପରାମର୍ଶ ଦେଇଥିଲେ । ତିନୋଟି ରାଷ୍ଟ୍ରର ପିଲାମାନେ ପରସ୍ପରକୁ ଭଲରକମ ଜାଣିବା, ପରସ୍ପରର ଦୁଃଖସୁଖରେ ଭାଗୀଦାର ହେବା, ଜଣେ ଅନ୍ୟଜଣଙ୍କ ପ୍ରତି ଯତ୍ନଶୀଳ ହେବା, ସାଙ୍ଗ ହୋଇ ଆଗକୁ ବଢ଼ିବା ତଥା ମିଳିମିଶି ଆମର ଜ୍ଞାନ ଓ ସୂଚନାର ପରିସୀମାକୁ ପରିବର୍ଦ୍ଧନ କରିବା, ଏହି ଭାବ ଆଦାନ ପ୍ରଦାନକାରୀ କର୍ମଶାଳାର ଅସଲ ଲକ୍ଷ୍ୟ ବୋଲି ଶ୍ରୀମତୀ ପଣ୍ଡା ଉଲ୍ଲେଖ କରିଥିଲେ । ଜୀବନତମାମ ଶିକ୍ଷା ଆହରଣକୁ ଉତ୍ସାହିତ କରିବା ଏବଂ ଜ୍ଞାନ ପ୍ରତି ଉତ୍ସୁକତାକୁ ନିରନ୍ତର ଭାବେ ପ୍ରୋତ୍ସାହନ ଦେବା ଚଳିତ ବର୍ଷ ଗଠନ କରାଯାଇଥିବା ‘ବିଉଟିଫୁଲ୍‍ ମାଇଣ୍ଡସ୍‍’ର ମୂଳମନ୍ତ୍ର ବୋଲି ସେ କହିଥିଲେ । ଆଜିର ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ପୂର୍ଣ୍ଣାଙ୍ଗ ମଣିଷ ଏବଂ ବିଶ୍ୱସ୍ତରୀୟ ନାଗରିକ ଭାବେ ଗଢ଼ି ତୋଲିବାକୁ ସେ ଚାହୁଁଥିବା ସୁଚିସ୍ମିତା ପଣ୍ଡା ପ୍ରକାଶ କରିଥିଲେ ।
ଅଧିବେଶନକୁ ସମ୍ବୋଧନ କରି ବିଶିଷ୍ଟ ଶିକ୍ଷାବିତ୍‍ ରବୀନ୍ଦ୍ରନାଥ ପାଢ଼ୀ, ସୁନ୍ଦର ମନ ଓ ଜୀବନକୁ ନେଇ ଧରାପୃଷ୍ଠକୁ ଆସିଥିବା କୁନିକୁନି ଭାଇଭଉଣୀମାନଙ୍କ ସାମ୍‍ନାରେ ସଦା ପ୍ରସାରଣ ଓ ପ୍ରସ୍ଫୁଟିତ ହେବାର ଅନନ୍ତ ସମ୍ଭାବନା ରହିଥିବା ଦର୍ଶାଇଥିଲେ । କ୍ରମାଗତ ଭାବେ ସେମାନଙ୍କର ଚିନ୍ତା ଓ ଚେତନାକୁ ସମୃଦ୍ଧ କରି ନିଜ ନିଜ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ଆଗକୁ ବଢ଼ିଚାଲିବାକୁ ଶ୍ରୀ ପାଢ଼ୀ ଉପଦେଶ ଦେଇଥିଲେ। ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ମାନସମନ୍ଥନ ବୈଠକରେ, ପିଲାମାନେ ସେମାନଙ୍କର ବକ୍ତବ୍ୟରେ ବିଶେଷ କରି ସେମାନେ ଦୈନଦିନ ନିଭାଉଥିବା ଅଭିଜ୍ଞତା, ସାମ୍ପ୍ରତିକ କାର୍ଯ୍ୟପନ୍ଥା, ଭବିଷ୍ୟତ ଲକ୍ଷ୍ୟପଥ, ମନରେ ଉଙ୍କି ମାରୁଥିବା ଅସୁମାରୀ ସୁନେଲି ସ୍ୱପ୍ନ, ଜୀବନକୁ ସରସ, ସୁନ୍ଦର ଏବଂ ସାର୍ଥକ କରିବା ପାଇଁ ସେମାନଙ୍କର ପ୍ରତିବନ୍ଧତା ସମ୍ପର୍କରେ ଖୁବ୍‍ ଜୀବନ୍ତ, ନିଖୁଣ ଏବଂ ପ୍ରାଞ୍ଜଳ ଭାବେ ଅବତାରଣା କରିଥିଲେ ।
ଚିକାଗୋର ସୁଶ୍ରୀୟା ଦେବୀ ମିଶ୍ର ପ୍ରଥମେ କର୍ମଶାଳାର ବିଷୟବସ୍ତୁ ‘ଏହି ମୋର ଜୀବନ’ ସମ୍ପର୍କରେ ସୂଚାଇଥିଲେ । ଏହାପରେ ଆମେରିକାରୁ ନୈହାରା ରାଉତ, ପ୍ରିୟଙ୍କା ଦାସ, ଦେବାଶିଂ ଦେ, ମିସ୍‍କା ହୋତା, ଆୟାନ ପଟ୍ଟନାୟକ, ସୁଧା ଗଡ଼ନାୟକ, ସ୍ନେହା ଅଧିକାରୀ, ଆନ୍ୟା ପଟ୍ଟନାୟକ, ପ୍ରୀଶା ପଣ୍ଡା, କାନାଡ଼ାରୁ ଆଦ୍ୟେଶା ସିଂହଦେଓ, ଆରୁଶି ସିଂହଦେଓ, ଅନୁସ୍କା ବିଶ୍ୱାଳ, ସାରାଂକ୍ଷୀ ଦୁଭୁରୀ, ଭାରତରୁ ତନୁଶ୍ରୀ ଭୁଜବଳ, ବର୍ଷା ସ୍ୱାଇଁ, ସ୍ଲିପିତନ୍ୟା ପ୍ରଧାନ, ଆନ୍‍ଭି ଆଦ୍ରିକା, କାମିଆ ଶୁଭଦର୍ଶିନୀ ଜେନା, ଶୈଳଶ୍ରୀ ବେହେରା, ଶ୍ରଦ୍ଧା ସଂଜିବନୀ, ଅଭିଶେକ ସାହୁ ଏବଂ ସୁନୀଲ କୁମାର ସାହୁ ପ୍ରମୁଖ ଛାତ୍ରଛାତ୍ରୀମାନେ ଆଲୋଚନାରେ ଭାଗ ନେଇଥିଲେ ।
ଆମେରିକାର ପିଲାମାନେ ସେଠାରେ ସେମାନେ କିପରି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପର୍ବପର୍ବାଣୀ, ପରିପାଟ୍ଟୀ ଏବଂ ବ୍ୟଞ୍ଜନଶୈଳୀକୁ ବଜାୟ ରଖିଛନ୍ତି ତାହା ବର୍ଣ୍ଣନା କରିଥିଲେ । ସେମାନେ ରଥଯାତ୍ରା, ଗଣେଶ ପୂଜା, ସତ୍ୟନାରାୟଣ ପୂଜା ଆଦି ପାଳନ କରୁଥିବା ଜଣାଇଥିଲେ । ସେହିପରି ଆମେରିକୀୟ ଖାଦ୍ୟ ଖାଇବା ସାଙ୍ଗକୁ ଓଡ଼ିଶାର ଭାତ, ରୁଟି, ଡାଲି, ଭଜା, ଶାଗ, ପଖାଳ, ଛେନାପୋଡ଼ ଓ ରସଗୋଲାକୁ ମଧ୍ୟ ଭୁଲି ନ ଥିବା ପିଲାମାନେ ସୂଚାଇଥିଲେ । କାନାଡ଼ାର ପିଲାମାନେ ଚକୁଳିପିଠା ଓ ଚୁଡ଼ା ଭଜା ଖାଉଥିବା କହିଥିଲେ । ଭାରତର ପିଲାମାନେ ରଜ, ନୂଆଁଖାଇ, ଦଶହରା, ରଥଯାତ୍ରା ଆଦି ଗଣପର୍ବଗୁଡ଼ିକୁ ମହାସମାରୋହରେ ପାଳନ କରାଯାଉଥିବାର ବିଶଦ ବିବରଣୀ ପ୍ରଦାନ କରିଥିଲେ । ଖୋଲା ଅଧିବେଶନରେ ସ୍ୱେଚ୍ଛାସେବୀ କାର୍ଯ୍ୟ, ପାଣିପାଗ, ପୋଷା ଜନ୍ତୁ, ଗମନାଗମନ ମାଧ୍ୟମ, ବ୍ରତ ଓ ବିବାହ ଉତ୍ସବ ଏବଂ ଜୁଲାଇ ୪ ତାରିଖ ଆମେରିକାର ସ୍ୱାଧୀନତା ଦିବସ ଆଦି ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଇଥିଲା । ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ଆମେରିକାରେ ସ୍କୁଲ ୟୁନିଫର୍ମ ନ ଥିବା ବିଷୟ ସେଠାକାର ପିଲାମାନେ ଜଣାଇଥିଲେ । ସଙ୍ଗୀତା ତ୍ରିପାଠୀ ଅଂଶଗ୍ରହଣକାରୀ ପିଲାମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବା ଓ ଡିଜିଟାଲ ମଞ୍ଚକୁ ପରିଚାଳନା କରିବାରେ ସହାୟତା କରିଥିଲେ । । ଉପସ୍ଥିତ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଡଃ ବିକ୍ରମ କେଶରୀ ଜେନା, ଡଃ ଅମିତା ପାତ୍ର, ସଂଘମିତ୍ରା ସିଂହ, ଅନୁରାଧା ମହାପାତ୍ର, ଗାର୍ଗୀ ପଟ୍ଟନାୟକ ଏବଂ ପଦ୍ମଜା ନନ୍ଦିନୀ ସାହୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *