ପୁଣି ବିବାଦରେ କିଟ ବିଶ୍ୱବିଦ୍ୟାଳୟ

#ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ ଉଚ୍ଚ ଶିକ୍ଷାର ସଦୃଢ଼ିକରଣ ନିମନ୍ତେ ଦାୟିତ୍ୱ ନେଇଥିବା କିଟି ବିଶ୍ୱବିଦ୍ୟାଳୟ ସବୁବେଳେ ବିବାଦରେ ଛନ୍ଦି ହୋଇ ପଡ଼ୁଛି। ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ହେଉ ବା ପରିଚାଳନାଗତ ତ୍ରୁଟି। ବିଭିନ୍ନ ଘଟଣାକୁ ନେଇ ଏବେ କିଟ ଚର୍ଚ୍ଚାରେ। ଗତ ଫେବ୍ରୁଆରି ୧୬ ତାରିଖରେ ଘଟିଥିବା ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ‘କିଟ୍’କୁ ପକ୍ଷଭୁକ୍ତ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ‘କିଟ୍’କୁ ଜବାବତଲବ କରିଛନ୍ତି। ଏହାପରେ ‘କିଟ୍’ର ଅଡ଼ୁଆ ବଢ଼ିଛି। ତେବେ ଏନେଇ ‘କିଟ୍’ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ।
ଅନ୍ୟପକ୍ଷରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ପୂର୍ବରୁ କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଗତ ମାର୍ଚ୍ଚ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଏହି ଘଟଣାର ସରଜମିନ ତଦନ୍ତ ଏନ୍ଏଚ୍ଆରସିର ଦୁଇଜଣିଆ ଟିମ୍ କରି ରିପୋର୍ଟ ଦାଖଲ କରିବା ପରେ କିଟ୍ ବିଶ୍ୱବିଦ୍ୟାଳୟର ଆଇଆରଓ, ବିଶ୍ୱବିଦ୍ୟାଳୟର ଅଧିକାରୀ/ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍ଏଚ୍ଆରସି ଦର୍ଶାଇଛନ୍ତି। ଏନ୍ଏଚ୍ଆରସିଙ୍କ ଆଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ଫେବ୍ରୁଆରି ୧୭ରେ ୧୦୦୦-୧୧୦୦ ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ିଥିଲେ। ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ଏହାକୁ ସ୍ୱୀକାର କରିଛନ୍ତି। ହଷ୍ଟେଲ ଛାଡ଼ିଥିବା ଛାତ୍ରୀଙ୍କ ସଂଖ୍ୟା ୧୮୦ ଥିଲା। କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ ଆଦୌ ଚିନ୍ତା କରିନଥିଲେ ଏବଂ ସେମାନଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା। ଏହା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମ୍ବେଦନହୀନତାକୁ ଦର୍ଶାଉଛି ବୋଲି ଅଭିଯୋଗ ଉଠିଛି। ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ବିଶ୍ୱବିଦ୍ୟାଳୟ ହାଲୁକା ଭାବେ ଗ୍ରହଣ କରିଥିଲେ। ଏହି ଘଟଣାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ଠାରୁ ୪ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଏନ୍ଏଚ୍ଆରସି ନିର୍ଦ୍ଦେଶ ଜାରି କରିଛନ୍ତି। ଶିଶୁ କଲ୍ୟାଣ କମିଟି ଦ୍ୱାରା ଜୁଲାଇ ୬,୨୦୧୭ର ରିପୋର୍ଟ ଅନୁଯାୟୀ କିସ୍ ପରିସରରେ ନିମ୍ନମାନର ରହଣୀ ସ୍ଥିତି ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିସ୍ ପରିସରରେ ନିମ୍ନମାନର ରହଣୀ ସ୍ଥିତି ବାବଦରେ ତଦନ୍ତ ପାଇଁ ଶିଶୁ କଲ୍ୟାଣ କମିଟି ଯୁଗ୍ମ ତଦନ୍ତକାରୀ ଦଳ ଗଠନ କରିବାକୁ ସୁପାରିସ କରିଥିଲା। ଏ ନେଇ ସ୍ପଷ୍ଟୀକରଣ ଅଥବା ଅନୁପାଳନ ରିପୋର୍ଟ ଦାଖଲ ପାଇଁ ଏନ୍ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଇନଫୋସିଟି ଥାନା ମାମଲା ସଂଖ୍ୟା ୫୪/୨୦୨୫ରେ ତଦନ୍ତ ଅଗ୍ରଗତି ବାବଦରେ ପୁଲିସ କମିଶନରଙ୍କୁ ଜଣାଇବା ପାଇଁ ଏନ୍ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ମହିଳାଙ୍କ ସୁରକ୍ଷା ତଥା ଛାତ୍ରଛାତ୍ରୀଙ୍କ ପ୍ରତି ଧର୍ମ, ଜାତୀୟତା, ଲିଙ୍ଗ, ବର୍ଣ୍ଣ ଆଦି ପାତରଅନ୍ତର ରୋକିବା ସମ୍ପର୍କିତ କିସ୍ ବିଶ୍ୱବିଦ୍ୟାଳୟ ଓ ୟୁଜିସି ଗାଇଡଲାଇନ୍ସ ଗୁଡ଼ିକର ଉଲ୍ଲଂଘନ ନେଇ ୟୁଜିସି ଅଧ୍ୟକ୍ଷ କିସ୍ ଓ କିଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦାଖଲ କରିବେ ବୋଲି ଏନ୍ଏଚ୍ଆରସି ନିର୍ଦ୍ଦେଶରେ କହିଛନ୍ତି। ସେହିଭଳି ନ୍ୟାସନାଲ୍ ଆସେସମେଣ୍ଟ ଆଣ୍ଡ୍ ଆକ୍ରିଡେସନ କାଉନସିଲ୍ (ଏନ୍ଏସିସି)ର ଗାଇଡଲାଇନ୍ସ ଉଲ୍ଲଂଘନ ବାବଦରେ ଏନ୍ଏସିସି ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ସପ୍ତାହରେ ରିପୋର୍ଟ ଦାଖଲ କରିବେ ବୋଲି ଏନ୍ଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। ତେବେ କିଟ ଏଥିପ୍ରତି ଥିବା ବେଖାତିରକୁ ନେଇ ରାଜ୍ୟର ବହୁ ଅନୁଷ୍ଠାନ ଅସନ୍ତୋଷ ଜାହିର କରିଥିବା ଜଣାପଡ଼ିଛି।
