ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ

ନିର୍‍ତାର ମାମଲା: ଡେପୁଟେସନ ଅବଧି ସରିଲା ପରେ ଡାକ୍ତର ଏସ୍‍.ପି. ଦାସଙ୍କର ନିର୍ଦ୍ଦେଶକ ରହିବା ଅଧିକାର ନାହିଁ- ହାଇକୋର୍ଟ


କଟକ(ଏନ୍‌.ଏମ୍‌.): ପାଞ୍ଚବର୍ଷ ଡେପୁଟେସନ ଅବଧି ପୂରିଯିବା ପରେ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ (ନିର୍‍ତାର)ର ନିର୍ଦ୍ଦେଶକ ପଦରେ ରହିବାର ଅଧିକାର ଡାକ୍ତର ଶକ୍ତି ପ୍ରସାଦ ଦାସଙ୍କର ନାହିଁ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍‍. ମୁରଲୀଧର ଓ ବିଚାରପତି ଏ. କେ. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ସ୍ପଷ୍ଟ କରିଦେଇଛନ୍ତି । ଡାକ୍ତର ଦାସଙ୍କ ପକ୍ଷରୁ ଦାଖଲ ରିଟ୍‍ ଅପିଲକୁ ଖାରଜ କରିଦେଇ ଖଣ୍ଡପୀଠ ପୂର୍ବରୁ ବିଚାରପତି ଡକ୍ଟର ବି.ଆର୍‍. ଷଡ଼ଙ୍ଗୀଙ୍କ ଦ୍ୱାରା ପ୍ରଦତ୍ତ ରାୟକୁ କାଏମ ରଖିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ଡାକ୍ତର ଦାସ ୨୦୧୬ ଜାନୁଆରୀ୨୮ରେ ନିର୍‍ତାରର ନିର୍ଦ୍ଦେଶକ ପଦରେ ୩ବର୍ଷ ପାଇଁ ଡେପୁଟେସନ ଭିତ୍ତିରେ ଯୋଗ ଦେଇଥିଲେ । ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଡେପୁଟେସନ ଅବଧିକୁ ଆଉ ଦୁଇବର୍ଷ ବଢ଼ାଇ ଦିଆଯାଇଥିଲା । ମୋଟ ପାଞ୍ଚବର୍ଷ ଡେପୁଟେସନ ସମୟ ୨୦୨୧ ଜାନୁଆରୀ ୨୭ରେ ପୂରିଯାଉଥିବାରୁ କାର୍ଯ୍ୟକାଳ ପୁଣି ୨ବର୍ଷ ବୃଦ୍ଧି କରିବା ପାଇଁ ସେ ଦରଖାସ୍ତ କରିଥିଲେ । ମାତ୍ର ତାହା ନକରି ସରକାର ନିୟମିତ ନିର୍ଦ୍ଦେଶ ନିଯୁକ୍ତି ପର୍ଯ୍ୟନ୍ତ ତାଙ୍କୁ ସାମୟିକ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସଙ୍ଗେ ସଙ୍ଗେ ନିୟମିତ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସର୍ବଭାରତୀୟସ୍ତରରେ ବିଜ୍ଞାପନ ଜାରିକରି ଦରଖାସ୍ତ ଆହ୍ୱାନ କରିଥିଲେ । ମାତ୍ର ବିଜ୍ଞାପନକୁ ରଦ୍ଦ କରି ତାଙ୍କ ଡେପୁଟେସନ ଅବଧିକୁ ଆଉ ୨ବର୍ଷ ବଢ଼ାଇ ଦେବା ପାଇଁ ଆବେଦନ କରି ଡାକ୍ତର ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ନଭେମ୍ବର ୧୬ରେ ବିଚାରପତି ଡକ୍ଟର ଷଡ଼ଙ୍ଗୀ ଆବେଦନର ଶୁଣାଣି କରି ଏହାକୁ ଖାରଜ କରି ଦେଇଥିଲେ । ତାଙ୍କ ରାୟ ବିରୋଧରେ ଡାକ୍ତର ଦାସ ‘ଡିଭିଜନ ବେଞ୍ଚ’ରେ ରିଟ୍‍ ଅପିଲ ଦାଖଲ କରିଥିଲେ । ଗତକାଲି ମୁଖ୍ୟ ବିଚାରପତି ଡକ୍ଟର ଏସ୍‍. ମୁରଲୀଧର ଓ ବିଚାରପତି ଏ.କେ. ମହାପାତ୍ରଙ୍କ ଖଣ୍ଡପୀଠରେ ଏହାର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଏସ୍‍ଜି ପ୍ରସନ୍ନ କୁମାର ପାଢ଼ୀ କୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ବିଜ୍ଞାପନ ଅନୁସାରେ ନୂତନ ନିର୍ଦ୍ଦେଶକ ନିଯୁକ୍ତି ପାଇଁ କାର୍ଯ୍ୟ ଚାଲିଛି ଏବଂ ଶୀଘ୍ର ଏହି ପ୍ରକ୍ରିୟା ଶେଷ ହେବ । ଆବେଦନକାରୀ ଡାକ୍ତର ଦାସଙ୍କ ତରଫରୁ ଆଇନଜୀବୀ ବିଭୁପ୍ରସାଦ ଦାସ ମାମଲା ପରିଚାଳନା କରୁଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *